କଳାହାଣ୍ତି କପ୍‌ ଉପରେ କଳା ବାଦଲ, କରୋନା ପ୍ରଭାବରେ ବାତିଲ ହେବା ସମ୍ଭାବନା

ବିସିସିଆଇ ଓ ସରକାରଙ୍କ ନିୟମାବଳୀକୁ ଅପେକ୍ଷା: ଓସିଏ

କଟକ: ଅନେକ ପ୍ରସ୍ତୁତି ସତ୍ତ୍ବେ ପୁଣି ଥରେ କଳାହାଣ୍ତି କପ୍‌ କ୍ରିକେଟ ପ୍ରତିଯୋଗିତା ଉପରେ କଳା ବାଦଲ ମାଡ଼ିଗଲାଣି। କରୋନା ପାଇଁ ଏବେ ସମସ୍ତ ପ୍ରକାରର କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଥିବାରୁ ଓସିଏର ଏହି ବୃହତ୍‌ ଘରୋଇ ପ୍ରତିଯୋଗିତାକୁ ଚଳିତ ବର୍ଷ ଆୟୋଜନ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଯଦିଓ ପ୍ରତିଯୋଗିତା ବାତିଲ ହେଉଥିବା ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ, ତଥାପି ଆଗକୁ ଆସୁଥିବା ଘଟଣାଗୁଡ଼ିକରୁ ଏହାର ଅନୁମାନ ଲଗାଯାଇପାରେ।

ଆଉ କିଛି ଦିନ ପରେ ବର୍ଷା ଆରମ୍ଭ ହୋଇଯିବ। ସେପ୍ଟେମ୍ବର ବେଳକୁ ଯଦିଓ ବର୍ଷା ଆଉ ନଥିବ, କିନ୍ତୁ ପିଚ୍‌ ପ୍ରସ୍ତୁତ କରିବାକୁ ସେତିକି ସମୟ ମିଳିବନି। ଅକ୍ଟୋବର ବେଳଠୁ ବିସିସିଆଇ ଘରୋଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ। କିନ୍ତୁ ଅନ୍ୟ ଘରୋଇ ପ୍ରତିଯୋଗିତା ଅପେକ୍ଷା ଆଇପିଏଲ୍‌କୁ ବିସିସିଆଇ ଅଧିକ ଗୁରୁତ୍ବ ଦେଉଥିବାରୁ ଇରାନି କପ୍‌, ରଣଜୀ ଟ୍ରଫି, ଦଲୀପ ଟ୍ରଫି, ଦେଓଧର ଟ୍ରଫି ଇତ୍ୟାଦି ପ୍ରଭାବିତ ହେବା ଆଶଙ୍କା ମଧ୍ୟ ରହୁଛି। ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ନହୁଏ, ତାହେଲେ ଅକ୍ଟୋବର-ନଭେମ୍ବର ମାସରେ ଆଇପିଏଲ୍‌ ଆୟୋଜନ ହୋଇପାରେ। ଏଭଳି ହେଲେ ସେହି ସମୟରେ କଳାହାଣ୍ତି କପ୍‌ କରାଯିବାରେ ଅସୁବିଧା ହେବ ନାହିଁ। କିନ୍ତୁ ବିଶ୍ବକପ୍‌ ଧାର୍ଯ୍ୟ ସମୟରେ ଆୟୋଜନ କରାଗଲେ, ଏହି ସମୟରେ ରଣଜୀ ଟ୍ରଫି ଆୟୋଜନ କରାଯାଇପାରେ। ଯଦି ରଣଜୀ ଟ୍ରଫି ଆରମ୍ଭ ହେବ, ତାହେଲେ କଳାହାଣ୍ତି କପ୍‌ ବାତିଲ ହେବା ନିଶ୍ଚିତ ହୋଇଯିବ। କିନ୍ତୁ ଏସବୁ କଳ୍ପନାଜଳ୍ପନା କରୋନାର ଭୟାବହତା ଉପରେ ନିର୍ଭର କରୁଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସ˚ଖ୍ୟାରେ ବୃଦ୍ଧି ହେଉଥିବାରୁ ସରକାର ବ୍ୟକ୍ତିଗତ କ୍ରୀଡ଼ା ଅଭ୍ୟାସ ପାଇଁ ଅନୁମତି ଦେଇଥିଲା ବେଳେ ଦଳଗତ କ୍ରୀଡ଼ା ଉପରେ ଏବେ ବି ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ କିଛି ନିର୍ଦ୍ଧିଷ୍ଟ ନୀତିନିୟମ ଭିତରେ ଅଭ୍ୟାସ ଆରମ୍ଭ କରିବାକୁ କୁହାଯାଇଛି। ହେଲେ ଯେପର୍ଯ୍ୟନ୍ତ ବିସିସିଆଇଠୁ କିଛି ନିୟମାବଳୀ କିମ୍ବା ପରାମର୍ଶ ନଆସିଛି, ସେପର୍ଯ୍ୟନ୍ତ ରାଜ୍ୟରେ କ୍ରିକେଟ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବନି ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଏଭଳି ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ କ୍ରିକେଟ ଆରମ୍ଭ କରାଯିବା ଅପେକ୍ଷା ଭିତ୍ତିଭୂମି ସୁଦୃଢ କରାଯିବା ଉପରେ ଓସିଏ ଗୁରୁତ୍ବ ଦେଉଛି। ପ୍ରତ୍ୟେକ ଜିଲ୍ଲାରେ ଟର୍ଫ ପିଚ୍‌ ପ୍ରସ୍ତୁତ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହେଲାଣି। ବର୍ଷ ଆରମ୍ଭରୁ ଅନ୍ତଃକ୍ଲବ୍‌ ପ୍ରତିଯୋଗିତାରୁ ଭଲ ପ୍ରତିକ୍ରିୟା ମିଳିଛି। ଯେଉଁଠାରେ ଭଲ ପିଚ୍‌ ନଥିଲା, ସେଠାରେ ମ୍ୟାଟ ବ୍ୟବହାର ହୋଇଥିଲା। ଏବେ ସେସବୁ ସ୍ଥାନରେ ଟର୍ଫ ପିଚ୍‌ କରାଯାଇ ଖେଳାଳିମାନଙ୍କ ଦକ୍ଷତା ବଢାଯିବ ବୋଲି ସ˚ଜୟ କହିଛନ୍ତି।

ଅନ୍ୟପକ୍ଷରେ କ୍ରିକେଟ ପରାମର୍ଶଦାତା ସମିତି ସଦସ୍ୟ ଚିନ୍ମୟାନନ୍ଦ ଜେନାଙ୍କ ସୂଚନା ଅନୁଯାୟୀ, ରଣଜୀ ଟ୍ରଫି ପାଇଁ ଖେଳାଳି ଚୟନ ଦୁଇ ମାସ ଆଗରୁ ହେବା ଆବଶ୍ୟକ। ହେଲେ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖିଲେ ଯଦି ନଭେମ୍ବରରୁ ରଣଜୀ ଆରମ୍ଭ ହୁଏ, ତାହେଲେ ସେପ୍ଟେମ୍ବରଠୁ ଖେଳାଳିଙ୍କୁ ଚୟନ କରାଯାଇ ଶିବିର ଆରମ୍ଭ କରିବାକୁ ପଡ଼ିବ। ତେଣୁ ଏଭଳିସ୍ଥିତିରେ କଳାହାଣ୍ତି କପ୍‌ ଆରମ୍ଭ କରିବା ସମ୍ଭବ ହେବନି। ଠିକ୍‌ ସେମିତି ତାଲାବନ୍ଦର ଲମ୍ବା ବିରତି ପରେ ଖେଳାଳିମାନଙ୍କୁ ଶାରୀରିକ ଦକ୍ଷତା ପ୍ରମାଣ ଦେବା ବାଧ୍ୟତାମୂଳକ ଏବ˚ ମ୍ୟାଚ ପାଇଁ ପ୍ରସ୍ତୁତ ହେବାକୁ ଅତିକମ୍‌ରେ ଦୁଇ ସପ୍ତାହ ଶିବିରରେ କଟାଇବାକୁ ହେବ। କିନ୍ତୁ ସମୟ ଆଉ ନଥିବାରୁ ଆମକୁ ପୂର୍ବ ବର୍ଷମାନଙ୍କ ଭଳି ରଣଜୀ ଦଳ ଚୟନ କରିବାକୁ ପଡ଼ିପାରେ। ତଥାପି କରୋନାର ପ୍ରକୋପ ଓ ବିସିସିଆଇ ନିୟମାବଳୀ ନଆସିବା ପର୍ଯ୍ୟନ୍ତ କିଛି ବି ଆକଳନ କରିବା ଠିକ୍‌ ହେବନାହିଁ ବୋଲି ଚିନ୍ମୟାନନ୍ଦ କହିଛନ୍ତି। ସୂଚନାଯୋଗ୍ୟ, କଳାହାଣ୍ତି କପ୍‌ ଶେଷଥର ପାଇଁ ୨୦୧୮ରେ ଆୟୋଜନ ହୋଇଥିଲା ବେଳେ ଭୁବନେଶ୍ବର ଏ’ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର