ଓ୍ଵାଣ୍ଡରର୍ସ ପିଚ୍‌ ‘ଖରାପ’

ଦୁବାଇ: ବିବାଦ ଘେରକୁ ଆସିଥିବା ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ପିଚ୍‌କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଅତି ଖରାପ ମାନ୍ୟତା ଦେଇଛି। ଗତ ସପ୍ତାହରେ ଏହି ପିଚ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ୍‍ ଖେଳାଯାଇଥିଲା। ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଭିତରେ ବିତିଥିବା ଏହି ଟେଷ୍ଟ୍‍ ୪ ଦିନରେ ଶେଷ ହୋଇଯାଇଥିଲା। ଭାରତ ସମ୍ମାରକ୍ଷାକାରୀ ବିଜୟ ହାସଲ କରିଥିଲା। ପିଚ୍‌କୁ ବିଭିନ୍ନ ବର୍ଗରୁ ବହୁ ସମାଲୋଚନା କରାଯାଇଥିଲା। ଆଇସିସି କିନ୍ତୁ ଏହାର ପିଚ୍‌କୁ ଖରାପ ମାନ୍ୟତା ଦେବା ସହିତ ୩ ଡିମେରିଟ୍‌ ପଏଣ୍ଟ୍‌ ପ୍ରଦାନ କରିଛି। ଯାହାକି ଏହି ପିଚ୍‌ ଉପରେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ। ଏଥି ସହିତ ଓ୍ଵାଣ୍ଡରର୍ସ ପିଚ୍‌ କିନ୍ତୁ ନିଲମ୍ବନରୁ ବର୍ତିଯାଇଛି। ଆସନ୍ତା ୫ ବର୍ଷ ଭିତରେ ଯଦି ଏହି ପଡ଼ିଆ ୫ ଡିମେରିଟ୍‌ ପଏଣ୍ଟ୍‌ ଛୁଇଁବ ତେବେ ୧୨ ମାସ ପାଇଁ ନିଲମ୍ବନର ସମ୍ମୁଖୀନ ହେବ।
ପଡ଼ିଆକୁ ଖରାପ ତଥା ଦୁର୍ବଳ ମାନ୍ୟତା ଦେଇଥିଲେ ଆଇସିସି ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟ। ସେ ଦେଇଥିବା ବିବରଣୀରେ ଉଲ୍ଲେଖ ରହିଛି ଯେ, ତୃତୀୟ ଟେଷ୍ଟ୍‍ ପାଇଁ ପ୍ରସ୍ତୁତ ପିଚ୍‌ ଅତ୍ୟନ୍ତ ନିମ୍ନମାନର ଥିଲା। ଅଧିକ ମାତ୍ରାରେ ଆବଡ଼ାଖାବଡ଼ା ଥିଲା, ବଲ୍‌ ଅପ୍ରତ୍ୟାଶିତ ବାଉନ୍‌ସ କରୁଥିଲା ଏବଂ ମାତ୍ରାଧିକ ଗତିଶୀଳ ହେଉଥିଲା। ମ୍ୟାଚ୍‌ ଆଗେଇବା ସହିତ ଏହା ଖରାପ ହେବାରେ ଲାଗିଥିଲା। ଫଳରେ ବ୍ୟାଟିଂ କରିବା କଷ୍ଟକର ଏବଂ ବିପଜ୍ଜନକ ଥିଲା। ଏହି କାରଣରୁ ଉଭୟ ଦଳରୁ ଡାକ୍ତରୀ ଦଳକୁ ବାରମ୍ବାର ପଡ଼ିଆ ଭିତରକୁ ଆସିବାକୁ ପଡ଼ୁଥିଲା।

ପଡ଼ିଆ ଭିତରେ ଅମ୍ପାୟାର୍‌ ମାନେ ମଧ୍ୟ ଖେଳାଳିଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଥିଲେ। ୩ ଦିନ ପରେ ମ୍ୟାଚ୍‌କୁ ଚାଲୁକରାଯିବ କି ନା ବିତର୍କ ଆସିଥିଲା। ଚତୁର୍ତ ଦିନରେ ଶେଷକୁ ମ୍ୟାଚ୍‌ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଥିଲା। ତଥାପି ମାତ୍ରାଧିକ ବିବିଧ ବାଉନ୍‌ସ ଏବଂ ଅସାମାନ ସିମ୍‌ ଗତି ଜାରି ରହିଥିଲା। ଏଥି ସହ ଜୋହାନେସ୍‌ବର୍ଗ ଟେଷ୍ଟ୍‍ ମଧ୍ୟ ପାରମ୍ପରିକ ଭାବେ ପଞ୍ଚମ ଦିନକୁ ନ ଯିବା ଧାରା ବଜାୟ ରଖିବାରୁ ପ୍ରସ୍ତୁତକର୍ତା ବେଥୁଲ୍‌ ବୁଥେଲେଜି ଅଡୁଆରେ ପଡ଼ିଛନ୍ତି। ୨୦୧୬ରେ ଇଂଲଣ୍ଡ ଏବଂ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‍ ତୃତୀୟ ଦିନରେ ହିଁ ଶେଷ ହୋଇଯାଇଥିଲା।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୮୬* ରନ୍‌ କରିଥିବା ପ୍ରାରମ୍ଭିକ ବ୍ୟାଟ୍‌ମ୍ୟାନ୍‌ ଡିନ୍‌ ଏଲଗାର କହିଥିଲେ ଏହି ଟେଷ୍ଟ୍‍ ଅଧାରୁ ବାତିଲ କରାଯିବା କଥା।

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ କହିଥିଲେ ଏହା ଆହ୍ଵାନ ଭରା ଥିଲେ ବି ବିପଜ୍ଜନକ ନ ଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁ ପ୍ଳେସିସ୍‌ କହିଥିଲେ ଓ୍ଵାଣ୍ଡରର୍ସ ପିଚ୍‌ ନିଲମ୍ବିତ ହେଉ ମୁଁ ଚାହୁଁ ନ ଥିଲି। ପ୍ରସ୍ତୁତି ବେଳେ ମୁଁ ଏଠାରେ ପେସ୍‌ ଓ ବାଉନ୍‌ସ ପାଇଁ କହିଥିଲି। କିନ୍ତୁ ଏଭଳି ଚଟାଣ ନୁହେଁ। ଆମ ପସନ୍ଦ ମୁତାବକ ପିଚ୍‌ ପ୍ରସ୍ତୁତ କରିବାରେ ନିର୍ମାତା ବିଫଳ ହେଉଛନ୍ତି ବୋଲି ସେ କହିଥିଲେ। ଏବେ ଏହି ପଡ଼ିଆରେ ଗୋଟିଏ ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଥିବାରୁ ପୁଣି ନଜରରେ ରହିବ। ଏହି ବିବାଦ କିନ୍ତୁ ପ୍ରଶଂସକଙ୍କୁ ରୋକି ପାରିନାହିଁ। ୩୪,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଏହାର ଟିକେଟ୍‌ ବିକ୍ରୀ ଶେଷ ହୋଇଯାଇଛି।
ପ୍ରଥମ ୩ ଦିନିକିଆରେ ଡି’ଭିଲିୟର୍ସ ଖେଳିବେନି
ଡର୍ବାନ: ଗୁରୁବାରଠାରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୬ ଟିକିଆ ଦିନିକିଆ ଶୃଙ୍ଖଳା ପୂର୍ବରୁ ଘରୋଇ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟ୍‌କା ଲାଗିଛି। ଦଳର ବ୍ୟାଟିଂ ମେରୁଦଣ୍ଡ ଏବି ଡି’ଭିଲିୟର୍ସଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ସେ ପ୍ରଥମ ତିନିଟି ଦିନିକିଆରେ ଖେଳି ପାରିବେନି ବୋଲି ଜଣା ପଡ଼ିଛି। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟେଷ୍ଟରେ ଡି’ଭିଲିୟର୍ସଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ଜୋରଦାର ଆଘାତ ଲାଗିଥିଲା। ଏଥିରୁ ମୁକୁଳିବା ଲାଗି ତାଙ୍କୁ ଆହୁତି ୧୦-୧୫ ଦିନ ଲାଗିବ। ସେଥିପାଇଁ ଡି’ଭିଲିୟର୍ସ ପ୍ରଥମ ତିନିଟି ଦିନିକିଆରୁ ବାଦ୍‌ ପଡ଼ିଛନ୍ତି ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା କହିଛି। ଦକ୍ଷିଣ ଆଫ୍ରିକା କିନ୍ତୁ ମଙ୍ଗଳବାର ସୁଦ୍ଧା ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରି ନାହିଁ।

ସମ୍ବନ୍ଧିତ ଖବର