ନୂଆଦିଲ୍ଲୀ: ମଙ୍ଗଳବାର ୱାଙ୍ଖ୍‌ଡ଼େରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ବ୍ୟାଟିଂ ଆତସବାଜୀ ଯୋଗୁଁ ଅଷ୍ଟ୍ରେଲିଆ ନିଶ୍ଚିତ ପରାଜୟ ମୁହଁରୁ ରକ୍ଷା ପାଇବା ସହ ସିଧାସଳଖ ସେମିଫାଇନାଲ୍‌କୁ ଲମ୍ଫ ମାରିଥିଲା। ୯୧/୭ରୁ ୨୯୩/୭ର ଯାତ୍ରା ଯେତିକି ଆହ୍ବାନଭରା ଥିଲା ସେତିକି ରୋମାଞ୍ଚକର ମଧ୍ୟ ହୋଇଥିଲା। ମ୍ୟାକ୍ସୱେଲ୍‌ଙ୍କ ଏହି ଲଢୁଆ ପାଳି (୨୦୧*, ୧୨୮ ବଲ୍‌, ୨୧ ଚୌକା, ୧୦ ଛକା) ୪୦ ବର୍ଷ ତଳର କପିଳ ଦେବ (୧୭୫*, ୧୩୮ ବଲ୍‌, ୧୬ ‌ଚୌକା, ୬ଛକା) ଙ୍କ ଶତକୀୟ ପାଳିକୁ ମନେପକାଇ ଦେଉଛି। ଇଂଲଣ୍ଡର ଟନବ୍ରିଜ୍‌ ୱେଲ୍ସଠାରେ ଖେଳାଯାଇଥିବା ୧୯୮୩ ବିଶ୍ବକପ୍‌ ସଂସ୍କରଣରେ କପିଳ ବୁଡ଼ି ଯାଉଥିବା ଭାରତକୁ ଯେଉଁଭଳି ଭାବେ ଉଦ୍ଧାର କରିଥିଲେ ଓ ବିଶ୍ବକପ୍‌ର ନୂଆ ରେକର୍ଡ ସ୍ଥାପନ କରିଥିଲେ, ତାହା ଏବେବି ‌ପ୍ରଶଂସକଙ୍କ ମନରେ ସତେଜ ଅଛି। କପିଳଙ୍କ ବ୍ୟାଟିଂ ସମୟରେ ଦର୍ଶକଙ୍କ ମଧ୍ୟରେ ଯେଉଁ ରୋମାଞ୍ଚ ଦେଖାଯାଇଥିଲା, ତାହା ୪୦ ବର୍ଷ ପରେ ମ୍ୟାକ୍ସୱେଲ୍‌ଙ୍କ ବ୍ୟାଟିଂ ସମୟରେ ଦେଖିବାକୁ ମିଳିଛି।

Advertisment

publive-image

ଜିମ୍ବାୱେ ବିପକ୍ଷରେ ଭାରତ ଖେଳୁଥିବା ବେଳେ ୧୭/୫ରେ ସଂଘର୍ଷ କରୁଥିଲା। ଠିକ୍‌ ସେମିତି ମଙ୍ଗଳବାର ରାତିରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ୯୧/୭ ରେ ବାରମ୍ବାର ଝୁଣ୍ଟିଥିଲା। ଉଭୟ ସମୟ ମଧ୍ୟରେ ସମାନତା କେବଳ ଏତିକିରେ ସୀମିତ ନାହିଁ। କପିଳ ବ୍ୟାଟିଂ କରୁଥିବା ବେଳେ ଦଳୀୟ ପ୍ରବନ୍ଧକ ପିଆର୍‌ ମାନସିଂହ ଆଉଟ୍ ହୋଇଯାଇଥିବା କ୍ରିଷ୍ଣମଚାରୀ ଶ୍ରୀକାନ୍ତଙ୍କୁ ପରିଶ୍ରା ଯିବା ପାଇଁ ବି ଦେଇନଥିଲେ। ଯେଉଁମାନେ ଯେଉଁଠି ଯେମିତି ଥିଲେ, ସେମାନଙ୍କୁ ସେଇଠି ସେମିତି ଭଙ୍ଗିରେ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କ୍ରିକେଟ୍‌ରେ ଏଭଳି ଅନ୍ଧବିଶ୍ବାସ ମଙ୍ଗଳବାର ମ୍ୟାଚ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା। ମ୍ୟାକ୍ସୱେଲ୍‌ ବ୍ୟାଟିଂ କରୁଥିବା ସମୟରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ନିଜ ନିଜ ସ୍ଥାନରୁ ହଲୁନଥିଲେ। ଯେପର୍ଯ୍ୟନ୍ତ ମୁଜୀବ ଉର ରେହମାନଙ୍କୁ ମ୍ୟାକ୍ସୱେଲ୍‌ ଛକା ମାରି ଦଳକୁ ନଜିତାଇଛନ୍ତି, ସେଯାଏଁ ସମସ୍ତେ ‌ନିଜକୁ ଅନ୍ଧବିଶ୍ବାସରେ ବାନ୍ଧି ରଖିଥିଲେ।

ଜୋସ୍‌ ହାଜଲଉଡ୍‌ଙ୍କ ମତରେ, ଜର୍ଜ ବେଲି ଓ ଆଡାମ ଜାମ୍ପାଙ୍କ ପାଖରେ ବସିଥିବା ବେଳେ ସେମାନେ ବହୁତ ନର୍ଭସ ଜଣାପଡୁଥିଲେ। କିନ୍ତୁ ସମସ୍ତେ ନିଜ ସ୍ଥାନରେ ସ୍ଥାୟୀ ଭାବେ ରହିଯାଇଥିଲେ। କେହି ବି ନିଜ ସ୍ଥାନ ପରିବର୍ତ୍ତନ କରିବାକୁ ଚାହୁନଥିଲେ। ମ୍ୟାକ୍ସୱେଲ୍‌ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ ମଧ୍ୟ ସବୁ ଖେଳାଳିମାନେ ତାଙ୍କୁ ଖେଳିବା ଜାରି ରଖିବାକୁ ଉତ୍ସାହିତ କରୁଥିଲେ। ମ୍ୟାକ୍ସୱେଲ୍‌ ଯେଉଁ ପାଳି ଖେଳିଥିଲେ ଦିନିକିଆ କ୍ରିକେଟ୍‌ ଇତିହାସରେ ତାହାକୁ ସର୍ବୋତ୍କୃଷ୍ଟ ବୋଲି ଗଣାଯାଇପାରେ। ନିକଟ ଅତିତରେ ମଧ୍ୟ ଏଭଳି ଖେଳ ସେ ଦେଖିନାହାନ୍ତି ବୋଲି କହିଥିଲେ। ମ୍ୟାକ୍ସୱେଲ୍‌ ଆମ ଦଳରେ ଖେଳୁଥିବାରୁ ବହୁତ ଖୁସି ଲାଗୁଛି। ସେ ୩୬୦ ଡିଗ୍ରିରେ ବ୍ୟାଟିଂ କରିପାରୁଛନ୍ତି। ଏପରିକି ସୂର୍ଯ୍ୟକୁମାର ଯାଦବ ଓ ଜୋସ୍‌ ବଟଲରଙ୍କ ଭଳି ଖେଳାଳିଙ୍କ ଖେଳ ଦେଖୁଥିବା ଭଳି ମନେହେଉଥିବା ହାଜଲଉଡ୍‌ କହିଛନ୍ତି।