କୋହଲିଙ୍କଠାରୁ ଅନେକ କିଛି ଶିଖିବାକୁ ଚାହେଁ: ଶୁବମନ

ନ୍ୟୁଜିଲାଣ୍ଡରେ ପାଳି ଆରମ୍ଭ କରି ପାରନ୍ତି

ଚଣ୍ଡିଗଡ଼: ଭାରତୀୟ ଦଳରେ ସ୍ଥାନ ପାଇବା ପରେ ପଞ୍ଜାବୀ ତାରକା ଶୁବମନ ଗିଲ୍‌ ଏବେ ବହୁତ ଉତ୍ସାହିତ । ବିଶେଷ କରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇବାକୁ ଯାଉଥିବାରୁ ସଂପ୍ରତି ସେ ବେଶ୍ ଉଲ୍ଲସିତ ଅଛନ୍ତି । ଟେଷ୍ଟ୍‌ ଶୃଙ୍ଖଳାରେ ଭାରତ ଯେଭଳି ଭାବେ ଅଷ୍ଟ୍ରେଲିଆକୁ ହରାଇଲା, ସେଥିରୁ ବିରାଟ ଭାଇଙ୍କ ବଳିଷ୍ଠ ନେତୃତ୍ବ ଦକ୍ଷତାର ସ୍ପଷ୍ଟ ପରିଚୟ ମିଳେ। ସେ ଜଣେ ଚମତ୍କାର କ୍ରିକେଟର। ତାଙ୍କ ନେତୃତ୍ବରେ ଖେଳିବାକୁ ମୁଁ ଅପେକ୍ଷା କରି ରହିଛି। ମୁଁ ତାଙ୍କଠାରୁ ଅନେକ କିଛି ଶିଖି ପାରିବି। ତାଙ୍କ କୌଶଳ, ଶାରୀରିକ ସୁସ୍ଥତା ଏବଂ ଆକ୍ରମଣାତ୍ମକ କ୍ରିକେଟ୍‌ ମୋତେ ବେଶ୍ ଅନୁପ୍ରେରିତ କରେ ବୋଲି ଶୁବମନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ନ୍ୟୁଜିଲାଣ୍ଡରେ ହିଁ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବାକୁ ସେ ଆଶାବାଦୀ ରହିଛନ୍ତି। ସୂଚନାଯୋଗ୍ୟ ଯେ ଭାରତ ‘ଏ’ ଦଳରେ ସାମିଲ ହୋଇ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଶୁବମନ ସେଠାରେ ଭଲ ପ୍ରଦର୍ଶନ କରିଥିଲେ। ଏହା ପରେ ରଣଜୀ ଟ୍ରଫିରେ ୧୦୦ରୁ ଅଧିକ ହାରରେ ରନ୍ କରି ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ପୃଥ୍ବୀ ସ’ଙ୍କ ନେତୃତ୍ବରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସେ ମଧ୍ୟ ଉପ ଅଧିନାୟକ ଥିଲେ। ନିଜ ସଫଳତା ପାଇଁ ଶୁବମନ ପ୍ରଶିକ୍ଷକ ତଥା ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେୟ ଦେଇଥିଲେ।

ମୁମ୍ବାଇ: ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳରେ ପଞ୍ଜାବର ପ୍ରତିଭାବାନ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍‌ଙ୍କୁ ସାମିଲ କରିବାର କାରଣ ଉପରୁ ପରଦା ଉଠାଇଛନ୍ତି ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ। ପାଳି ଆରମ୍ଭ କରିବା ଏବଂ ମଧ୍ୟକ୍ରମରେ ଖେଳିବାର ଯୁଗଳ ଦକ୍ଷତା ଶୁବମନଙ୍କର ଥିବାରୁ ତାଙ୍କୁ ଜାତୀୟ ଦଳ ଲାଗି ଏତେଶୀଘ୍ର ଡାକରା ମିଳିଲା ବୋଲି ପ୍ରସାଦ ସଙ୍କେତ ଦେଇଛନ୍ତି। ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ପାଳି ଆରମ୍ଭ କରିବା ସହ ମଧ୍ୟକ୍ରମରେ ଖେଳିବାରେ ଶୁବମନଙ୍କର କୌଣସି ଅସୁବିଧା ନାହିଁ। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ‌ଶିଖର ଧାୱନ ଓ ‌ରୋହିତ ଶର୍ମାଙ୍କ ସହ ଆମେ ଶୁବମନଙ୍କୁ ସଂରକ୍ଷିତ ଓପନର ଭାବେ ଦେଖୁଛୁ। ସେ ବିଶ୍ବକପ୍ ଖେଳିବେ କି ନାହିଁ, ସେବିଷୟରେ ମୁଁ କିଛି କହିବି ନାହିଁ। ହେଲେ ଭାରତୀୟ ଏ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ସେ ନ୍ୟୁଜିଲାଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରାହୁଲ (ଭାରତୀୟ ଏ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼)ଙ୍କ ସହ ଆମେ ଏଥିନେଇ ଆଲୋଚନା କରିଛୁ। ଶୁବମନ ସଂପ୍ରତି ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ପ୍ରସ୍ତୁତ ବୋଲି ରାହୁଲ ମଧ୍ୟ ମତ ଦେଇଛନ୍ତି। ଭାରତୀୟ ଏ ଦଳରେ ଭଲ କରିବା ପରେ ଏବେ ସେ ବଡ଼ ଆହ୍ବାନର ପ୍ରସ୍ତତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଭାବୁଛୁ। ଏହି କ୍ରମରେ ପ୍ରସାଦ ଯୁବ ତାରକା ହନୁମା ବିହାରୀ, ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଖଲିଲ ଅହମ୍ମଦଙ୍କ ଉଦାହରଣ ଦେଇଥିଲେ। ଏହି ପିଲାମାନଙ୍କ ଭବିଷ୍ୟତ ନେଇ ମୁଁ ରାହୁଲ ଏବଂ ରବି (ଭାରତୀୟ ଦଳ ପ୍ରଶିକ୍ଷକ)ଙ୍କ ସହ ନିୟମିତ ଆଲୋଚନା କରେ। ରଣଜୀ ଟ୍ରଫିରେ ସେମାନଙ୍କ ଅଗ୍ରଗତି ଉପରେ ନଜର ରଖେ। ଭାରତୀୟ ଦଳରେ ସ୍ଥାନ ପାଇବା ପରେ ହନୁମା ଏବଂ ମୟଙ୍କ କିଭଳି ଖେଳୁଛନ୍ତି, ତାହା ଅପଣ ଦେଖି ପାରୁଥିବେ। ଅତୀତରେ ଆମେ ଅନେକ ସାହସିକ ନିଷ୍ପତ୍ତି ନେଇଛୁ। ବିଶ୍ବର ପ୍ରଥମ ଏବଂ ଦ୍ବିତୀୟ ମାନ୍ୟତାରେ ଥିବା ଆର ଅଶ୍ବିନ ଏବଂ ରବୀନ୍ଦ୍ର ଜାଦେଜାଙ୍କ ପରିବର୍ତେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ନେଇଛୁ। ଏବେ ଯାହା ଭଲ ଫଳ ଦେଉଛି। ଆଗକୁ ମଧ୍ୟ ଦଳର ହିତ ଦୃଷ୍ଟିରୁ ଆମେ ଏମିତି ନିଷ୍ପତ୍ତି ନେବା ଜାରି ରଖିବୁ।

ସମ୍ବନ୍ଧିତ ଖବର