୫ ବର୍ଷ ଯାଏଁ ଓଡ଼ିଶାକୁ ସ୍ବର୍ଣ୍ଣ କି ରୌପ୍ୟ ଦେବାକୁ ଚାହେ: ମାସ୍କାରେନ୍‌ହାସ୍‌

ଶୁଭଙ୍କର ସାବ୍ୟସ୍ତ ଶୋଭେନ୍‌

ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଫର୍ଦ ଯୋଡ଼ିଛି ରାଜ୍ୟ ମହିଳା ହକି ଦଳ। ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରି ସୁନ୍ଦରଗଡ଼ ଭାରତୀୟ ହକିର ଏନ୍ତୁଡିଶାଳ ଭାବେ ପରିଚିତ ହୋଇସାରିଥିଲା। କିନ୍ତୁ ଅନେକ ଓଡ଼ିଆ ଜାଣି ଆଶ୍ଚର୍ଯ୍ୟ ହେ‌ବେ ପ୍ରଚୁର ଖେଳାଳି ସୃଷ୍ଟି କରିଥିଲେ ମଧ୍ୟ ଜାତୀୟ ହକି ପ୍ରତିଯୋଗିତାରେ (ମୁଖ୍ୟ ବର୍ଗର ବରିଷ୍ଠ ପୁରୁଷ ଓ ମହିଳା) ଓଡ଼ିଶା କେବେ ବିଜେତା ଟ୍ରଫି ଜିତିନଥିଲା ୨୦୨୨ ମଇ ୧୭ ତାରିଖ ପର୍ଯ୍ୟନ୍ତ। ଏହି ତାରିଖରେ ହିଁ ଭୋପାଳଠାରେ ଓଡ଼ିଶା ମହିଳା ଦଳ ୨-୦ ଗୋଲ୍‌ରେ ଶକ୍ତିଶାଳି କର୍ଣ୍ଣାଟକକୁ ହରାଇ ପ୍ରଥମ ଥର ଟ୍ରଫି ସହ ଇତିହାସ ରଚିଛି। ଅଭେଦ୍ୟ ଦୁର୍ଗ ଦଖଲ ସହ ଅଧୁରା ସ୍ବପ୍ନକୁ ସାକାର କରିଥିବା ଓଡ଼ିଶା ମହିଳା ଦଳର ସଫଳତା ପଛରେ ପ୍ରମୁଖ ଭୂମିକା ତୁଲାଇଥିଲେ ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଏଡଗାର୍‌ ମାସ୍କାରେନ୍‌ହାସ ଜୁନିୟର୍‌। ଖେଳାଳିଙ୍କୁ ବୁଝିବା ଓ ବୁଝାଇବା ସହ ସେମାନଙ୍କୁ ଠିକଣା ମାର୍ଗଦର୍ଶନ କରି ବିଜେତା ଟ୍ରଫି କବ୍‌ଜା ଲାଗି ଜୋସ୍‌ ଭରିଥିବା ଏହି ମହାରାଷ୍ଟ୍ରିଆନ୍‌ ଏବେ ଚର୍ଚ୍ଚାରେ। ପ୍ରଥମ ଦାୟିତ୍ବରେ ଅପୂର୍ବ ସଫଳତା ‌ଦେଇଥିବାରୁ ମଧ୍ୟ ତାଙ୍କଠାରୁ ଅନେକ ଆଶା ରହିବ ଭବିଷ୍ୟତରେ।

ସମାନ ଭାବେ ମଧ୍ୟ ଆଜିଯାଏଁ ଓଡ଼ିଶା ପୁରୁଷ ଦଳ ଜାତୀୟ ସେମିଫାଇନାଲ୍ ସୀମା ଅତିକ୍ରମ କରିପାରିନଥିବାରୁ ଏ ଦିଗରେ ତାଙ୍କଠାରୁ ଆଶା ରଖିବ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା। ହକି ଇଣ୍ଡିଆ ଲିଗ୍‌ ଦଳ ଦବଙ୍ଗ ମୁମ୍ବାଇରୁ ପ୍ରଶିକ୍ଷଣ ଜୀବନ ଆରମ୍ଭ କରିଥିବା ଏଡଗାର ମାସ୍କାରେନ୍‌ହାସ୍‌ ୨୦୧୭, ୨୦୧୯ ଏବଂ ୨୦୨୧ରେ ମହାରାଷ୍ଟ୍ର ପୁରୁଷ ଦଳକୁ ଜାତୀୟ ପ୍ରତିଯୋଗିତାରେ ପ୍ରଶିକ୍ଷଣ ଦେଇଥିଲେ। ୧୯୯୫ ମସିହାରେ ସାଫ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ୧୯୯୬ରେ ସ୍ପେନ୍‌ରେ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଏବଂ ୧୯୯୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ‌ଖେଳିଥିଲେ। ଦୀର୍ଘ ୧୮ ବର୍ଷ ଧରି ଏୟାର ଇଣ୍ଡିଆ ପାଇଁ ଖେଳିବା ପରେ ଏହି ଗୋଲରକ୍ଷକ ଏବେ ଏଅଫ୍‌ଆଇଏଚ୍‌ ଲେବୁଲ୍‌-୨ ପ୍ରଶିକ୍ଷକ ଭାବେ ନୂଆ ଶିଖର ଛୁଇଁବାକୁ ଲାଗିଛନ୍ତି। ଓଡ଼ିଶା ଦାୟିତ୍ବ ସମ୍ଭାଳିବାର ମାତ୍ର ୨ ମାସ ଭିତରେ ଅସମ୍ଭବକୁ ସମ୍ଭବ କରି ନିଜକୁ ମଧ୍ୟ ପ୍ରମାଣିତ କରିଛନ୍ତି। ଗତ ସପ୍ତାହରେ ଭୁବନେଶ୍ବରଠାରେ ଜାତୀୟ ବିଜେତା ଓଡ଼ିଶା ମହିଳା ଦଳର ସମ୍ବର୍ଦ୍ଧନା ପର୍ବ ଅବସରରେ ‘ସମ୍ବାଦ’କୁ ଦେଇଥିଲେ ସ୍ବତନ୍ତ୍ର ସାକ୍ଷାତକାର।

ସମ୍ବାଦ: ହକି ଓ ଓଡ଼ିଶା ପରସ୍ପରର ପରିପୂରକ। ଭାରତୀୟ ହକିକୁ ଓଡ଼ିଶା ଅନେକ ଖେଳାଳି ଯୋଗାଇଛି। କିନ୍ତୁ କେବେ ଜାତୀୟ ବିଜେତା ହୋଇପାରିନଥିଲା। ଏହା କିଭଳି ସମ୍ଭବ ହେଲା?
ଏଡଗାର୍‌: ଆମେ ଚାମ୍ପିଅନ୍‌‌ ହୋଇଛୁ, ଏହା ସହଜ ଯାତ୍ରା ନଥିଲା। ଚାମ୍ପିଅନ୍‌ ହେବାକୁ ଯାହା କିଛି ଆବଶ୍ୟକ ସବୁକିଛି କରିଥିଲୁ। କଠିନ ପରିଶ୍ରମ,‌ ଜୋରଦାର ଅଭ୍ୟାସ, ଫିଟ୍‌ନେସ୍‌ ଓ ତାଲିମରେ କୌଣସି କୋହଳ କରିନଥିଲୁ। ସର୍ଟ କର୍ଣ୍ଣର ଉପରେ ମଧ୍ୟ ସ୍ବତନ୍ତ୍ର ଧ୍ୟାନ‌ ଦେଇଥିଲୁ। ଭୁବନେଶ୍ବରର ପ୍ରବଳ ଗ୍ରୀଷ୍ମତାପ ଭିତରେ ପୂର୍ବାହ୍ଣ ୧୦.୪୫ରୁ ୧୨.୪୫ ଅଭ୍ୟାସ କରୁଥିଲୁ। ସଂଧ୍ୟା ୬ରୁ ୮ ଯାଏଁ ମଧ୍ୟ ଖେଳାଳି ନିଜକୁ ଶାଣିତ କରୁଥିଲେ। ପ୍ରତିଯୋଗିତା ଆରମ୍ଭରୁ ଆମେ ମ୍ୟାଚ୍‌ ପରେ ମ୍ୟାଚ୍‌ ଗଲୁ। ଶକ୍ତିଶାଳି ମଧ୍ୟପ୍ରଦେଶ ବିପକ୍ଷରେ ଝିଅମାନେ‌ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ। ସବୁଠାରୁ ବଡ଼ କଥା ହେଲା ଦଳର ପ୍ରତି ସଦସ୍ୟା ଅଭ୍ୟାସ ସେସନ୍‌ଠାରୁ ଆରମ୍ଭ କରି ପ୍ରତିଯୋଗିତା ସାରା ସମ୍ପୂର୍ଣ୍ଣ ଏକାଗ୍ର ରହିଥିଲେ। ଟ୍ରଫି ଜିତି ଘରକୁ‌ ଫେରିବାକୁ ବଦ୍ଧ ପରିକର ଥିଲେ। କ୍ବାର୍ଟର ଫାଇନାଲ୍‌ରେ ଆମେ ଗୋଟିଏ ଗୋଲ୍‌ରେ ପଛରେ ପଡ଼ିଯାଇଥିବା ବେଳେ କେହି ଆତ୍ମବିଶ୍ବାସ ହରାଇନଥିଲେ। ବିଶେଷ କରି ୩ ବରିଷ୍ଠ ଖେଳାଳି ଲିଲିମା ମିଞ୍ଜ୍‌, ସୁନିତା ଲାକ୍ରା, ପୁନମ ବାର୍ଲା ଚମତ୍କାର ଖେଳିଥିଲେ। ସାଥି ଯୁବ ଓ ଅନଭିଜ୍ଞ ଖେଳାଳିମାନଙ୍କୁ ଶିଖାଇ ଆଗକୁ ନେଇଥିଲେ। ଶେଷରେ ଦଳକୁ ଏହାର ଫଳ ମିଳିଥିଲା।

ସମ୍ବାଦ: ଓଡ଼ିଶା ଓ ଅନ୍ୟ ଦଳ ଭିତରେ କ’ଣ ଫରକ ଥିଲା?
ଏଡଗାର୍‌: ଓଡ଼ିଶା ଫିଟନେସ୍‌ ହେବାର ମୁଖ୍ୟ କାରଣ ହେଉଛି ଆମେ ଅନ୍ୟ ଦଳଠାରୁ ଅଧିକ ଫିଟ୍ ଥିଲୁ। ଫିଟନେସ୍‌ ହିଁ ସବୁ ଫରକ ପକାଇଥିଲା। ଦଳ ଏକାଠି ହୋଇ ଖେଳିବାକୁ ଅଭ୍ୟାସରେ ପରିଣତ କରିଦେଇଥିଲା। ଆମ ନିକଟରେ ମଧ୍ୟ ଶକ୍ତିଶାଳୀ ବେଞ୍ଚ ଷ୍ଟ୍ରେଙ୍ଗ୍‌ଥ ଥିଲା, ଯଦ୍ବାରା ଆମେ ପ୍ରତି କ୍ବାର୍ଟରରେ ଖେଳାଳି ବଦଳାଇ ପାରୁଥିଲୁ।

ସମ୍ବାଦ: ଓଡ଼ିଶା ହକିକୁ ଏହି ସଫଳତା ଢେର ପୂର୍ବରୁ ମିଳିବାର ଥିଲା, କିନ୍ତୁ କି ପ୍ରତିବଂଧକ ଥିଲା?
ଏଡଗାର୍‌: ଓଡ଼ିଶାରେ ପ୍ରତିଭାର ଅଭାବ ନଥିଲା କି ଏବେ ବି ନାହିଁ। କେବଳ ଆଧୁନିକ ହକି ସହ ଅଭ୍ୟସ୍ତ ହେବାର ଥିଲା। ଏଣିକି ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶାକୁ ଦଳଗତ ଭାବେ କେହି ହାଲକାରେ ‌ନେବେ ନାହିଁ। କନିଷ୍ଠ ଓ ଉପକନିଷ୍ଠରେ ଓଡ଼ିଶାର ବାଳକ ଓ ବାଳିକାମାନେ ଚମତ୍କାର ଖେଳି ଆସୁଛନ୍ତି। ସେମାନଙ୍କୁ କେବଳ ମାର୍ଗଦର୍ଶନ ଦେବା ଏବଂ ଆଧୁନିକ ହକି ଅନୁସାରେ ଶାଣିତ କରିବାର ଆବଶ୍ୟକତା ରହିଛି। ଗୋଲ୍‌, ପିସି, ଆକ୍ରମଣ ଆଦି ଉପରେ ଗୁରୁତ୍ବ ରହିଛି। କିନ୍ତୁ ପ୍ରତିଯୋଗିତା ପୂର୍ବରୁ ଆମେ ଏଥର ଅଧିକ ଅଭ୍ୟାସ ମ୍ୟାଚ୍‌ ଖେଳିବା ଅପେକ୍ଷା ପୋଜିସନିଂ, ବଲ୍‌ ନିୟନ୍ତ୍ରଣ, ବଲ୍‌ ଧରି ରଖିବା ସହ ପରସ୍ପର ମଧ୍ୟରେ ସମନ୍ବୟ ଆଣିବା ଉପରେ ଅଧିକ‌ ଜୋର୍ ଦେଇଥିଲୁ।

ସମ୍ବାଦ: ଓଡ଼ିଶା ପୁରୁଷ ଦଳ ଇତିହାସରେ ମାତ୍ର ୨ ଥର ସେମିଫାଇନାଲ୍‌ ଖେଳିଛି, ଏଥର ବି ସେମାନେ ସେପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ?
ଏଡଗାର୍‌: ଏହା ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ। କନିଷ୍ଠ ଖେଳାଳିଙ୍କୁ ବରିଷ୍ଠ ବର୍ଗରେ ଠିକଣା ମାର୍ଗଦର୍ଶନ ମିଳିନଥିବ। ଏଥର ଆମ ପୁରୁଷ ଦଳ ମଧ୍ୟ ଗୋଲ୍‌ ବ୍ୟବଧାନ ଦୃଷ୍ଟିରୁ ଅଳ୍ପକେ ଆଗକୁ ଯିବାରୁ ବଞ୍ଚିତ ହୋଇଥିଲା। ଆମେ ହରିୟାଣା ସହ ଅମୀମାଂସିତ ରଖିଥିଲୁ ଯିଏ ପରବର୍ତୀ ସମୟରେ ବିଜେତା ହୋଇଥିଲା। ଭଲ ‌ଖେଳାଳି ରହିଛନ୍ତି। ଜୁନିଅର୍‌ରୁ ସିନିୟର୍‌କୁ ଆସିବାକୁ ବହୁ ଖେଳାଳି ମଧ୍ୟ ଦକ୍ଷତା ଦେଖାଇଛନ୍ତି। ଭବିଷ୍ୟତରେ ନିଶ୍ଚିତ ସେମାନଙ୍କୁ ଗଢ଼ି‌ତୋଳିବା କାମ ତୁଲାଇବାକୁ ପଡ଼ିବ।

ସମ୍ବାଦ: ହକିର ଏନ୍ତୁଡିଶାଳକୁ ଆସି ପ୍ରଥମରୁ ସ୍ବର୍ଣ୍ଣିମ ସଫଳତା ପାଇଥିବାରୁ ଓଡ଼ିଶାକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ?
ଏଡ୍‌ଗାର୍‌: ସ୍ବର୍ଣ୍ଣ ପଦକ ବିଜୟରୁ ଅଭିଯାନ ଆରମ୍ଭ କରିବା ଯେତିକି ଖୁସିର କଥା ସେତିକି ଆହ୍ବାନ ମଧ୍ୟ। ଏବେ ଲକ୍ଷ୍ୟ କିଭଳି ଏହି ସଫଳତାକୁ ଜାରି ରଖିବା। ପରବର୍ତୀ ୫ ବର୍ଷ ଯାଏଁ କିଭଳି ଆମେ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ବିଜୟ ଅଭିଯାନ ଜାରି ରଖିବୁ ସେଇଟା ଲକ୍ଷ୍ୟ ରହିଛି। ଏହାଠାରୁ ତଳକୁ ଯିବାକୁ ମୁଁ ଚାହିଁବି ନାହିଁ। ପୂର୍ବରୁ ବମ୍ବେ, ଦବଙ୍ଗ ମୁମ୍ବାଇ, ମହାରାଷ୍ଟ୍ର ଦଳର ପ୍ରଶିକ୍ଷଣ ଦାୟିତ୍ବ ସମ୍ଭାଳିଛି। ଓଡ଼ିଶା କିନ୍ତୁ‌ ମୋତେ ଶ୍ରେଷ୍ଠ ଅଭିଜ୍ଞତା ଦେଇଛି। ହକି ଆସୋସିଏସନ୍‌ ଅଫ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ସମର୍ଥନ ମିଳୁଥିବାରୁ ଓଡ଼ିଶା ମଧ୍ୟ ଏବେ ଜାତୀୟ ସ୍ତରରେ ଭଲ କରିପାରିବ ବୋଲି ଆତ୍ମବିଶ୍ବାସ ଭରପୁର ରହିଛି।

ସମ୍ବାଦ: ଜାତୀୟ ବିଜେତା ଓଡ଼ିଶା ମହିଳା ଦଳ ମଧ୍ୟରୁ କାହା ଭବିଷ୍ୟତ ଉଜ୍ବଳ?
ଏଡଗାର୍‌: ଓଡ଼ିଶା ଦଳର ସମସ୍ତ ୧୮ ଜଣ ଖେଳାଳିଙ୍କ ନିକଟରେ ପ୍ରତିଭା ଓ ଦକ୍ଷତାରେ କିଛି କମ୍‌ ନାହିଁ। ସମସ୍ତେ ଆଗକୁ ବଢ଼ିପାରିବେ। ତେବେ ଗୋଲରକ୍ଷିକା ଅସୀମା ମିଞ୍ଜ୍‌ ଏବଂ ଷ୍ଟ୍ରାଇକର୍‌ ଦୀପ୍ତି ଲାକ୍ରାଙ୍କ ପାଖରେ କିଛି ବିଶେଷ ଗୁଣ ଓ ଦକ୍ଷତା ରହିଛି ଯାହା ତାଙ୍କୁ ନିକଟ ଭବିଷ୍ୟତରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବାର ସ‌ୁଯୋଗ ଦେଇପାରିବ।
ସମ୍ବାଦ: ଓଡ଼ିଶା କିଂବଦନ୍ତି ଦିଲୀପ ତିର୍କିଙ୍କ ସହ ବଂଧୁତା କିଭଳି?
ଏଡଗାର୍‌: ୧୯୯୫ ସାଫ୍ ଗେମ୍ସରେ ଆମେ ଉଭୟ ଏକାଠି ଖେଳିଥିଲୁ। ଏହା ପରେ ମଧ୍ୟ ବାର୍ସିଲୋନାରେ ୧୯୯୬ରେ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ପୁଣି ଏକତ୍ର ଖେଳିବାର ସୁଯୋଗ ମିଳିଥିଲା। ପରବର୍ତୀ ସମୟରେ ଦିଲୀପ ଆଗକୁ ବଢ଼ିଯାଇଥିଲେ ଏବଂ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଦିଲୀପଙ୍କ ସହ ମୋ ସମ୍ପର୍କ ଖେଳ ଜୀବନରୁ ଘନିଷ୍ଠ ରହିଆସିଛି। ଏବେ ସେ ମୋତେ ଓଡ଼ିଶା ଆମନ୍ତ୍ରଣ କରି ଗୁରୁ ଦାୟିତ୍ବ ଦେଇଥିବାରୁ ମୁଁ ଏହାକୁ ଆହ୍ବାନ ଭାବେ ଗ୍ରହଣ କରିଛି।

ଶୁଭଙ୍କର ସାବ୍ୟସ୍ତ ଶୋଭେନ୍‌
ଭୁବନେଶ୍ବର: ଓଡ଼ିଶା ମହିଳା ହକି ଦଳର ଐତିହାସିକ ସଫଳତା ପଛରେ ଯେଉଁ ବ୍ୟକ୍ତିମାନଙ୍କର ନେପଥ୍ୟ ଅବଦାନ ରହିଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଫିଜିଓ କୃଷ୍ଣେଶୁ ସୋ‌ଭେନ୍‌ କୁମାର। ଖେଳାଳିମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରଖିବାରେ ଶୋଭେନ କୁମାରଙ୍କ ଅବଦାନ ଅତୁଳନୀୟ ଥିଲା। ଶେ‌ାଭେନଙ୍କୁ ମଧ୍ୟ ଦଳର ଶୁଭଙ୍କର ଖେଳାଳି ଭାବେ ଅଭିହିତ କରନ୍ତି ହକି କିଂବଦନ୍ତି ଦିଲୀପ ତିର୍କି। କେବଳ ଭାଗ୍ୟ ନୁହେଁ ଶୋଭେନ୍ ଏହାକୁ ବାରମ୍ବାର ପ୍ରମାଣିତ କରି ସାରିଛନ୍ତି ଦକ୍ଷତା, ଅଭିଜ୍ଞତା ଓ ଉପଚାର ଜରିଆରେ। କାରଣ ଶୋଭେନ୍‌ ସମ୍ପୃକ୍ତ ଥିବା ବିଗତ ୫ଟି ଯାକ ପ୍ରତିଯୋଗିତାରେ ଓଡ଼ିଶା ଦଳ ପଦକ ଜିତିଛି। ୨୦୨୧ରେ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ କନିଷ୍ଠ ଖୋଖୋ ପ୍ରତିଯୋଗିତାରେ ଶୋଭେନ୍ ନିଯୁକ୍ତ ଥିବାବେଳେ ଓଡ଼ିଶା କାଂସ୍ୟ ପଦକ ଜିତିଥିଲା। ସେହିବ‌ର୍ଷ ଡିସେମ୍ବରରେ ତାମିଲନାଡୁର କୋଭିଲପଟିରେ ଅନୁଷ୍ଠିତ ଏକାଦଶ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲା। ପୁଣି ଚଳିତ ବର୍ଷ ମାର୍ଚ୍ଚରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ରୌପ୍ୟ ପଦଜ ଜିତିଥିବା ବେଳେ ଶୋଭେନ୍‌ ସମ୍ପୃକ୍ତ ଥିଲେ। ଭୋପାଳରେ ସ୍ବର୍ଣ୍ଣ ବିଜୟୀ ଇତିହାସ ରଚିଥିବା ଓଡ଼ିଶା ମହିଳା ହକି ଦଳର ଫିଜିଓ ଭାବେ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ‌ଶୋଭେନ। ସଦ୍ୟ ସମାପ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା‌ରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଦଳ ସହ ମଧ୍ୟ ଥିଲେ ଶୋଭେନ୍‌। ଏହା ପୂର୍ବରୁ ମଧ୍ୟ ‌ଶୋଭେନ୍‌ ଓଡ଼ିଶା ମହିଳା ହକି ଦଳ, ପୂର୍ବାଞ୍ଚଳ ଏଜି ହକି ପ୍ରତିଯୋଗିତା, ମେଜର ଧ୍ୟାନଚାନ୍ଦ ସ୍ମାରକୀ ସର୍ବଭାରତୀୟ ହକି ପ୍ରତିଯୋଗିତାରେ ଦାୟିତ୍ବ ତୁଲାଇଥିଲେ। ୨୦୧୮ରୁ ଭାରତୀୟ କନିଷ୍ଠ ଦୌଡ଼କୁଦ ଦଳରୁ ଅଭିଯାନ ଆରମ୍ଭ କରିଥିବା ଏହି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ‌ଠୋକର ଗାଁର ମୂଳ ଅଧିବାସୀ ଏବେ କ୍ରୀଡ଼ା ଫିଜିଓଥେରାପିରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃ୍ଷ୍ଟି କରିଛନ୍ତି। କେବଳ ହକି, ଖୋଖୋ ନୁହେଁ ଦୌଡ଼କୁଦ, ଭାରୋତ୍ତୋଳନରେ ମଧ୍ୟ ଏକାଧିକ ପ୍ରତିଯୋଗିତା ଓ ଚୟନ ପ୍ରକ୍ରିୟା ଶୋଭେନଙ୍କ ବିନା ସମ୍ଭବ ହେଉନାହିଁ। ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟରୁ ବିପିଟିରେ ଉତ୍ତୀର୍ଣ୍ଣ ଏହି ଯୁବ ପ୍ରତିଭା କ୍ରିକେଟ୍‌ରେ ଉଚ୍ଚ ସ୍ତରରେ ଖେଳି ନପାରିବାର ଅବସୋସକୁ ଏବେ ଖେଳାଳିଙ୍କ ସଫଳତା ପଛରେ ବିନିଯୋଗ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି।

ସମ୍ବନ୍ଧିତ ଖବର