ସିଡ୍ନି: ସ୍ପିନ୍ ଯାଦୁକର ସେନ୍ ୱର୍ଣ୍ଣଙ୍କ ହୃଦ୍ଘାତଜନିତ ମୃତ୍ୟୁ ସନ୍ଦେହଘେରରେ ରହିଥିଲା ବେଳେ ଏପର୍ଯ୍ୟନ୍ତ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। କେତେକ ସେ ମୃ୍ତ୍ୟୁ ପୂର୍ବରୁ ପ୍ରଚୁର ମଦ୍ୟପାନ କରିଥବା ଗୁଜବ ଉଠାଉଛନ୍ତି। ହେଲେ ଶନିବାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ୱର୍ଣ୍ଣଙ୍କ ବ୍ୟାବସାୟିକ ପ୍ରବନ୍ଧକ ଜେମ୍ସ ଇର୍ସ୍କିନେ। ହୃଦ୍ଘାତ ପୂର୍ବରୁ ୱର୍ଣ୍ଣ କେତେକ ବନ୍ଧୁଙ୍କ ସହ ଥାଇଲାଣ୍ଡ୍ର ଏକ ହୋଟେଲରେ ରାତ୍ରି ଭୋଜନ କରିବା ପାଇଁ କାର୍ଯ୍ୟକ୍ରମ ରହିଥିଲା। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍କୁ ଦେଖୁଥିଲେ। ହେଲେ କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିବା ତାଙ୍କର ଜଣେ ବନ୍ଧୁ ଆଣ୍ଡରୁ ନିଓଫିଟୋଉ ଦେଖିଥିଲେ। କିନ୍ତୁ ସେ ଆଦୌ ମଦ୍ୟପାନ କରିନଥଲେ ବୋଲି ସେହି ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ୱର୍ଣ୍ଣଙ୍କ ବ୍ୟାବସାୟିକ ପ୍ରବନ୍ଧକ କହିଛନ୍ତି। ନିକଟରେ ଉନ୍କୋଚିତ ୱର୍ଣ୍ଣଙ୍କ ପ୍ରମାଣିକ ଚିତ୍ରର ଜଣେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ମଧ୍ୟ ତାଙ୍କ ମଦ୍ୟପାନ ଗୁଜବକୁ ଅସ୍ବୀକାର କରିଛନ୍ତି। ୱର୍ଣ୍ଣ ଶୁକ୍ରବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମ୍ୟାଚ୍କୁ ଟେଲିଭିଜନ୍ରେ ଦେଖୁଥିଲେ। ହଠାତ୍ ସେ ଅଚେତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ବୋଲି ଜେମ୍ସ କହିଥିଲେ। ସେ ସୁସ୍ଥ ନଥିବା ଅନୁଭବ କରିଥିଲି। ତାଙ୍କ ଚେତା ଫେରାଇବା ନାଁ ପ୍ରବଳ ପ୍ରୟାସ କରିଥିଲୁ। ହେଲେ ତାଙ୍କର ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ୨୦ ମିନିଟ୍ ପରେ ଆମ୍ବୁଲାନ୍ସରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଘଣ୍ଟାକ ପରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ମାତ୍ର ସେ ମଦ୍ୟପାନ କରିନଥିଲେ। ସେ ଛୁଟିରେ ଥିଲେ। ବିରତି ସମୟକୁ ସେ ଗଲ୍ଫ ଖେଳି କଟାଉଥିଲେ। ଓଜନ କମାଇବା ପାଇ ଡାଏଟିଂ ମଧ୍ୟ କରୁଥିଲେ। ମଦ୍ୟପାନ କରିବା କେବଳ ଗୁଜବ ମାତ୍ର ବୋଲି ଜେମ୍ସ ଦୃଢ଼ତାର ସହ କହିଥିଲେ। ୱର୍ଣ୍ଣ ଏବେ ମଦ୍ୟକୁ ଘୃଣା କରୁଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ଏଭଳି ଗୁଜବ ସୃଷ୍ଟି କରିବା ଅନାବଶ୍ୟକ ବୋଲି ଜେମ୍ସ କହିଛନ୍ତି।
ରାଷ୍ଟ୍ରୀୟ ମର୍ଜାଦା ସହ ୱର୍ଣ୍ଣଙ୍କ ଅନ୍ତିମ ସଂସ୍କାର ହେବ: ପ୍ରଧାନମନ୍ତ୍ରୀ
ମେଲ୍ବର୍ଣ୍ଣ, ୫ା୩: ଶୁକ୍ରବାର ରାତିରେ ହୃଦ୍ଘାତ ଯୋଗୁଁ ମାତ୍ର ୫୨ ବର୍ଷ ବୟସରେ ୱର୍ଣ୍ଣଙ୍କ ପରଲୋକ ଘଟିଥିଲା। ୱର୍ଣ୍ଣଙ୍କ ଅକାଳ ବିୟୋଗ ପାଇଁ କ୍ରିକେଟ୍ ଜଗତ ସ୍ତବ୍ଧ ହୋଇଯାଇଛି। କେହି ବି ଏହାକୁ ସହଜର ଗ୍ରହଣ ଓ ବିଶ୍ବାସ କରିପାରୁନାହାନ୍ତି। ସମଗ୍ର ଅଷ୍ଟ୍ରେଲିଆ ଦୁଃଖରେ ଭାଙ୍ଗି ପଡ଼ି ୱର୍ଣ୍ଣଙ୍କୁ ଗୁମୁରିଗୁମୁରୀ ଝୁରୁଥିଲା ବେଳେ ଏହି କିଂବଦନ୍ତି କ୍ରିକେଟର୍ଙ୍କୁ ରାଷ୍ଟ୍ରୀୟ ମର୍ଜାଦା ସହ ଅନ୍ତିମ ସଂସ୍କାର କରାଯିବ ବୋଲି ଶନିବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଘୋଷଣା କରିଛନ୍ତି। ୱର୍ଣ୍ଣଙ୍କ ଜାତୀୟ ସଫଳତାର ସ୍ବୀକୃତି ସ୍ବରୂପ ତାଙ୍କ ପରିବାରକୁ ରାଷ୍ଟ୍ରୀୟ ମର୍ଜାଦା ଅର୍ପଣ କରାଯିବ ବୋଲି ମୋରିସନ୍ ଏକ ବିବୃତି ଜାରି କରିଛନ୍ତି। ୱର୍ଣ୍ଣଙ୍କ ପରିବାର ସହ ଆଲୋଚନା କରିବା ପରେ ଏହା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ୱର୍ଣ୍ଣଙ୍କ ସ୍ମୃତିକୁ ସମ୍ମାନ ଜଣାଇବୁ ବୋଲି ମୋରିସନ୍ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ମେଲ୍ବର୍ଣ୍ଣ କ୍ରିକେଟ୍ ପଡ଼ିଆ (ଏମ୍ସିଜି)ରେ ଏକ ଷ୍ଟାଣ୍ଡ୍କୁ ୱର୍ଣ୍ଣଙ୍କ ନାମରେ ପୁନଃନାମିତ କରିବାକୁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ସ୍ଥିର କରିଛି। ସେହି ଦୃଷ୍ଟିରୁ ଏମ୍ସିଜିର ବୃହତ୍ ଦକ୍ଷିଣ ଷ୍ଟାଣ୍ଡ୍କୁ ୱର୍ଣ୍ଣଙ୍କ ସମ୍ମାନାର୍ଥେ ପୁନଃନାମିତ କରାଯିବ ବୋଲି ଶନିବାର ଭିକ୍ଟୋରିଆର ପର୍ଯ୍ୟଟନ ଓ କ୍ରୀଡ଼ା ମନ୍ତ୍ରୀ ମାର୍ଟିନ୍ ପକୁଲା ଘୋଷଣା କରିଛନ୍ତି। ପକୁଲା ଏନେଇ ଶନିବାର ସକାଳେ ଭିକ୍ଟୋରିଆ ପ୍ରଧାନମନ୍ତ୍ରୀ ଡାନିଏଲ୍ ଆଣ୍ଡ୍ରୁସ୍, ଏମ୍ସିସି ଟ୍ରଷ୍ଟ ଅଧ୍ୟକ୍ଷ ଷ୍ଟିଭ୍ ବ୍ରାକ୍ସ ଏବଂ ଏମ୍ସିସି ସିଇଓ ଷ୍ଟୁଆର୍ଟ ଫକ୍ସଙ୍କ ସହ ପରାମର୍ଶ ପରେ ଘୋଷଣା କରିଛନ୍ତି। ଏଣିକି ଦକ୍ଷିଣ ଷ୍ଟାଣ୍ଡ୍ ଏସ୍କେ ୱର୍ଣ୍ଣ ନାମରେ ନାମିତ ହେବ ବୋଲି ପକୁଲା କହିଛନ୍ତି।