ସାମ୍‌ସନ୍‌ ଭାରତରୁ ନଖେଳିବା ନେଇ ୱର୍ନ ବିସ୍ମିତ

ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଗତ ମଙ୍ଗଳବାର ମହେନ୍ଦ୍ର ସିଂହ ‌ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାସ୍ତ କରି ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ଅଭିଯାନ ଆରମ୍ଭ କରିଥିଲା। ସେହି ମ୍ୟାଚ୍‌ରେ ୩୨ ବଲ୍‌ରୁ ବିସ୍ଫୋରକ ୭୪ ରନ୍‌ କରିଥିଲେ ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସଞ୍ଜୁ ସାମ୍‌ସନ୍‌। ତାଙ୍କ ମ୍ୟାଚ୍‌ ବିଜୟୀ ପାଳି ଯୋଗୁଁ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସାମ୍‌ସନ୍‌ଙ୍କ ପ୍ରଦର୍ଶନକୁ ରାଜସ୍ଥାନ ରୟାଲ୍‌ସର ବ୍ରା‌ଣ୍ଡ ଆମ୍ବାସଡର ସେନ୍‌ ୱର୍ନ ଭୂୟଶୀ ପ୍ରଶଂସା କରିଛନ୍ତି। ରାଜସ୍ଥାନ ରୟାଲ୍‌ସର ଏହି ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ଅଷ୍ଟ୍ରେଲୀୟ ସ୍ପିନର ୱର୍ନ ଭାରତୀୟ ଦଳରେ ସାମ୍‌ସନ୍‌ଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଉନଥିବା ନେଇ ବିସ୍ମୟ ପ୍ରକଟ କରିଛନ୍ତି। ସାମ୍‌ସନ୍‌ କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖିଛନ୍ତି। ‘‘ପ୍ରକୃତରେ ସେ ଜଣେ ଚମତ୍କାର ଖେଳାଳି। ମୁଁ ଆଗରୁ ବି କହିଆସିଛି ଏବଂ ଏବେ ବି କହୁଛି ସାମ୍‌ସନ୍‌ ଜଣେ ସବୁଠୁ ଅଧିକ ଆମୋଦଦାୟକ ଖେଳାଳି। ତାଙ୍କ ଭଳି ଖେଳାଳି ହୁଏତ ମୁଁ ଦୀର୍ଘ ଦିନ ଧରି ଦେଖିନାହିଁ। ଭାରତୀୟ ଦଳ ପକ୍ଷରୁ ସେ ‌ସବୁ ଫର୍ମାଟ୍‌ରେ ଖେଳୁନଥିବା ମୋତେ ଆଶ୍ଚର୍ଯ୍ୟ କରୁଛି’’ ବୋଲି ରାଜସ୍ଥାନ ରୟାଲ୍‌ସ ଦ୍ବାରା ଆୟୋଜିତ ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ସେସନ୍‌ରେ କହିଛନ୍ତି ୱର୍ନ।

ସମ୍ବନ୍ଧିତ ଖବର