ୱାର୍ନର ଓ ଅଷ୍ଟ୍ରେଲିଆ ଶୀର୍ଷରେ, ହୃଦୟ ଜିତିଲା ବାଂଲାଦେଶ

ନଟିଂହାମ: ଚଳିତ ବିଶ୍ବକପ୍‌ରେ ଗୁରୁବାର ଡେଭିଡ୍ ୱାର୍ନର ଏବଂ ଅଷ୍ଟ୍ରେଲିଆ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ବାଂଲା‌ଦେଶକୁ ୪୮ ରନ୍‌ରେ ହରାଇ କଙ୍ଗାରୁ ଦଳ ପଞ୍ଚମ ବିଜୟ ସହିତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଡେଭିଡ୍‌ ୱାର୍ନର ଚଳିତ ବିଶ୍ବକପ୍‌ରେ ନିଜର ଦ୍ବିତୀୟ ଶତକ ସହିତ ଅଗ୍ରଣୀ ବ୍ୟାଟସମ୍ୟାନ ତାଲିକାର ପ୍ରଥମରେ ପହଞ୍ଚିଛନ୍ତି। ଟ୍ରେଣ୍ଟବ୍ରିଜ୍‌ରେ ଟସ୍ ଜିତିଥିବା ଅଷ୍ଟ୍ରେଲିଆା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି‌ ନେଇଥିଲା। ଡେଭିଡ୍ ୱାର୍ନର ଏବଂ ଅରୋନ୍ ଫିଞ୍ଚ୍‌ ପ୍ରଥମ ୱିକେଟ୍‌ ପାଇଁ ୨୦.୫ ଓଭରରେ ୧୨୧ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଫିଞ୍ଚ୍‌ (୫୩, ୫୧ ବଲ, ୫ ଚୌକା, ୨ ଛକା)ଙ୍କୁ ସୌମ୍ୟ ସରକାର ଆଉଟ୍ କରି ଏମାନଙ୍କୁ ଅଲଗା କରିଥିଲେ। ୱାର୍ନରଙ୍କ ସହିତ ଯୋଗ ଦେଇଥିବା ଉସମାନ ଖୱାଜା (୮୯, ୭୨ ବଲ୍) ଦ୍ବିତୀୟ ୱିକେଟ୍‌ ପାଇଁ ୧୮୮ ରନ୍ ଯୋଡ଼ିଥିଲେ। ଏହି ୩ ଜଣଙ୍କୁ ବାଂଲା‌ ଦ୍ରୁତ ବୋଲର ସୌମ୍ୟ ସରକାର ଆଉଟ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ (୩୨, ୧୦ ବଲ୍‌, ୨ ଚୌକା, ୩ ଛକା) ବିସ୍ଫୋରକ ପାଳି ଖେଳିଥିଲେ ମଧ୍ୟ ନିଜକୁ ନିଜେ ରନ୍ ଆଉଟ୍ କରାଇଥିଲେ। ତଥାପି ଅଷ୍ଟ୍ରେଲିଆ ୩୮୧ ରନ୍ ସ୍କୋର୍ କରି ବାଂଲା ଆଗରେ ବଡ଼ ଆହ୍ବାନ ଦେଇଥିଲା।

।ରହିମ୍‌ଙ୍କ ପ୍ରଥମ ବିଶ୍ବକପ୍‌ ଶତକ
୩୮୨ ରନ୍ ବିଜୟ ଲକ୍ଷ୍ୟ ପାଇଥିଲେ ବି ବାଂଲାଦେଶ ଲଢ଼ିଥିଲା। ତମିମ୍ ଇକବାଲ (୬୨, ୭୪ ବଲ), ସକିବ୍ ଅଲ ହାସନ୍‌ (୪୧, ୪୧ ବଲ୍‌), ମହମ୍ମଦୁଲ୍ଲା (୬୯, ୫୦ ବଲ), ମୁସଫିକର ରହିମ୍‌ (୧୦୨*, ୯୭ ବଲ, ୯ ଚୌକା, ୧ ଛକା)ଙ୍କ ପ୍ରୟାସ ବେକାର ଯାଇଥିଲା। ବାଂଲାଦେଶ କିନ୍ତୁ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ମୁସଫିକର ରହିମ୍ ତାଙ୍କ ଦିନିକିଆ ଜୀବନର ସପ୍ତମ ଏବଂ ପ୍ରଥମ ବିଶ୍ବକପ୍ ଶତକ ହାସଲ କରିଥିଲେ। ମହମ୍ମଦୁଲ୍ଲା (୨), ସକିବ୍ ଅଲ୍ ହାସନ୍ (୨)ଙ୍କ ପରେ ବାଂଲାଦେଶ ପାଇଁ ଏହା ଥିଲା ପଞ୍ଚମ ବିଶ୍ବକପ୍‌ ଶତକ। ବାଂଲାଦେଶ କିନ୍ତୁ ୩୩୩/୮ରେ ଅଟକି ମ୍ୟାଚ୍‌ ହାରିଯାଇଥିଲା।

।ୱାର୍ନରଙ୍କ ଷଷ୍ଠ ୧୫୦+
ଗୁରୁବାରର ପାଳି ସହିତ ୱାର୍ନର (୧୬୬) ନିଜ ଦିନିକିଆ ଜୀବନର ଷଷ୍ଠ ଏବଂ ଚଳିତ ବିଶ୍ବକପ୍‌ର ଦ୍ବିତୀୟ ଶତକ ହାସଲ କରିଥିଲେ। ଏହି ଅବସରରେ ୱାର୍ନର ନିଜ ଦେଶର ସର୍ବାଧିକ ବ୍ୟକ୍ତିଗତ‌ ସ୍କୋରଠାରୁ ମାତ୍ର ୧୨ ରନ୍ ଦୂରରେ ଅଟକିଯାଇଥିଲେ। ଗତ ସଂସ୍କରଣରେ ଆଫଗାନିସ୍ତାନ ବିପକ୍ଷରେ ସେ ମାରିଥିବା ୧୭୮ ରନ୍ ଅଷ୍ଟ୍ରେଲିଆ ପାଇଁ ବିଶ୍ବକପ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ହୋଇ ରହିଛି। ଦ୍ବିତୀୟ ଥର ପାଇଁ ୧୫୦+ ବିଶ୍ବକପ୍‌ ସ୍କୋର୍ କରି ସେ ମଧ୍ୟ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଅନ୍ୟ କୌଣସି ଦେଶର ଖେଳାଳି ଦୁଇ ଥର ବିଶ୍ବକପ୍‌ରେ ୧୫୦ ଟପି ନାହାନ୍ତି। ଦିନିକିଆରେ ମଧ୍ୟ ୱାର୍ନରଙ୍କ ଏହା ଷଷ୍ଠ ୧୫୦+ ସ୍କୋର୍‌। କେବଳ ଭାରତର ରୋହିତ ଶର୍ମା (୭ ଥର) ତାଙ୍କଠାରୁ ଆଗରେ ରହିଛନ୍ତି। ପ୍ରଥମ ଥର ପାଇଁ ମଧ୍ୟ ଅଷ୍ଟ୍ରେଲିଆର ପ୍ରଥମ ଦୁଇ ଭାଗୀଦାରିରୁ ଶତକ (୧୨୧, ୧୮୮) ମିଳିଥିଲା। ମୋଟ ଉପରେ ଏହା ଚତୁର୍ଥ ଉଦାହରଣ।

।ଶେଷ ୧୫ରୁ ୧୭୩
ଅଷ୍ଟ୍ରେଲିଆ ଶେଷ ୧୫ ଓଭରରେ ୧୭୩ ରନ୍ ଯୋଡ଼ିବା ଚଳିତ ବିଶ୍ବକପ୍‌ରେ ଦ୍ବିତୀୟ ସର୍ବାଧିକ। ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ମଙ୍ଗଳବାର ୧୯୮ ରନ୍ ଯୋଡ଼ିଥିଲା। ଗୁରୁବାର ୪୬ତମ ଓଭରରେ ଅଷ୍ଟ୍ରେଲିଆ ୨୫ ରନ୍ ଯୋଡ଼ିଥିଲା। ଚଳିତ ବିଶ୍ବକପ୍‌ରେ ଗୋଟିଏ ଓଭରରୁ ଏହା ସର୍ବାଧିକ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାଂଲାଦେଶ ୩୮ତମ ଓଭରରେ ୨୪ ରନ୍ କରିଥିଲା। ୩୮୧ ରନ୍‌ଠୁ ଅଧିକ ଅଷ୍ଟ୍ରେଲିଆ ପାଇଁ ଦିନିକିଆରେ ଦ୍ବିତୀୟ ଥର। ବିଶ୍ବକପ୍‌ରେ ମଧ୍ୟ ଏହା ଅଷ୍ଟ୍ରେଲିଆର ଦ୍ବିତୀୟ ସର୍ବୋଚ୍ଚ ଏବଂ ବାଂଲାଦେଶ ବିପକ୍ଷରେ ଦଳର ଚତୁର୍ଥ ସର୍ବୋଚ୍ଚ। ଅଷ୍ଟ୍ରେଲିଆର ସର୍ବୋଚ୍ଚ ବିଶ୍ବକପ୍‌ ସ୍କୋର (୪୧୭/୬, ଆଫଗାନିସ୍ତାନ, ପର୍ଥ, ୨୦୧୫) ଗତ ଥର ଦେଖିବାକୁ ମିଳିଥିଲା। ସଂଯୋଗବଶତଃ ୪ଟି ସର୍ବୋଚ୍ଚ ମଧ୍ୟରୁ ଦୁଇଟି ନଟିଂହାମରେ ଦେଖିବାକୁ ମିଳିଛି। ବାଂଲାଦେଶ ଚଳିତ ବିଶ୍ବକପ୍‌ରେ ମଧ୍ୟ ଇଂଲଣ୍ଡକୁ ୩୮୬ ରନ୍ ସ୍କୋର୍ କରିବାକୁ ସୁଯୋଗ ଦେଇଥିଲା।

କୋହଲିଙ୍କ ସମକକ୍ଷ ହେଲେ ୱାର୍ନର
ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡେଭିଡ୍ ୱାର୍ନର ଏବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ୱାର୍ନର ଗୁରୁବାର ବାଂଲାଦେଶ ବିପକ୍ଷରେ ନିଜ ୧୬ତମ ଦିନିକିଆ ଶତକ ହାସଲ କରିଥିଲେ। ୧୧୦ ପାଳିରୁ ଷୋଡ଼ଶ ଶତକ ହାସଲ କରିବାରେ ସେ କୋହଲିଙ୍କ ସମକକ୍ଷ ହୋଇଛନ୍ତି। କୋହଲିଙ୍କ ଦିନିକିଆ ଶତକ ସଂଖ୍ୟା କିନ୍ତୁ ୪୧ରେ ପହଞ୍ଚିସାରିଛି। ୧୬ ଶତକ ବେଳକୁ କିନ୍ତୁ ସବୁଠୁ ଦ୍ରୁତତମ ରହିଛନ୍ତି ଦକ୍ଷିଣ ଆଫ୍ରିକାର ହାସିମ୍ ଆମଲା। ଯିଏ ଏହି ମାଇଲଖୁଣ୍ଟ ବେଳକୁ ମାତ୍ର ୯୪ ପାଳି ‌ଖେଳିଥିଲେ। ଗତବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ୍‌ ବିକୃତ ବିବାଦରେ ଫସି ବର୍ଷକର ବାସନ୍ଦାଦେଶ ପରେ ୱାର୍ନର ଚମତ୍କାର ଖେଳୁଛନ୍ତି। ଗତ ଆଇପିଏଲ୍‌ରେ ସେ ୧୨ ମ୍ୟାଚ୍‌ରୁ ୬୯୨ ରନ୍‌ ସହିତ କମଳା ଟୋପି ବିଜେତା ହୋଇଥିଲେ। ଚଳିତ ବିଶ୍ବକପ୍‌ରେ ୱାର୍ନର ଅଗ୍ରଣୀ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର