ଟଣ୍ଟନ: ବୁଧବାର ବିଶ୍ବକପ୍‌ର ସପ୍ତଦଶ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୧ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୩୦୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ପାକିସ୍ତାନ ଭଲ ଭାଗୀଦାରିର ଅଭାବ ପାଇଁ ୪୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୬ ରନ୍ କରି ପାରିଥିଲା। ଶତକୀୟ ପାଳି ପାଇଁ ଡେଭିଡ୍ ୱାର୍ନର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ସମାନ ସଂଖ୍ୟକ ମୁକାବିଲାରୁ ଦ୍ବିତୀୟ ପରାଜୟ ବରଣ କରିଥିଲା।
ବଡ଼ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନ ୨ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫକର ଜମନ (୦)ଙ୍କୁ ହରାଇଥିଲା। ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ (୦) ମଧ୍ୟ ଖାତା ଖୋଲି ପାରି ନଥିଲେ। ପ୍ୟାଟ୍ କମିନ୍ସ ହିଁ ତିନିଟି ୱିକେଟ୍ ନେଇ ପାକିସ୍ତାନକୁ ଘାଇଲା କରି ଦେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ୍-ହକ୍ (୫୩) ଲଢ଼ୁଆ ଅର୍ଧଶତକ ଅର୍ଜନ କରିଥିଲେ। ବାବର ଆଜମ (୩୦), ମହମ୍ମଦ ହାଫିଜ (୪୬) ଭଲ ଆରମ୍ଭ ପାଇଥିଲେ। ହେଲେ କେହି ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଦୁର୍ବଳ କ୍ଷେତ୍ରରକ୍ଷଣ କରିଥିବା ଆସିଫ ଅଲ୍ଲୀ (୫) ବ୍ୟାଟିଂରେ ବି ବିଫଳ ହୋଇଥିଲେ। ଆଦାମ ଜାମ୍ପାଙ୍କୁ ଦଳରୁ ବାଦ୍ ଦେଇ ନିଜେ ସ୍ପିନ୍ ଆହ୍ବାନ ସମ୍ଭାଳିଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ଭଲ ଖେଳୁଥିବା ହାଫିଜଙ୍କୁ ଶିକାର ‌କରି ନେଇଥିଲେ। ୧୬୦ ରନ୍‌ରେ ୬ ଜଣ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିବା ପାକିସ୍ତାନ ଲାଞ୍ଜ କିନ୍ତୁ ଲଢ଼ିଥିଲା। ଦୁଇ ଦ୍ରୁତ ବୋଲର ହାସନ ଅଲ୍ଲୀ (୩୨ ରନ୍, ୧୫ ବଲ୍) ଓ ୱାହାବ ରିଆଜ୍ (୪୫ ରନ୍, ୩୯ ବଲ୍) ଙ୍କ ସହ ଅଧିନାୟକ ସର୍ଫରାଜ ଅହମ୍ମଦ (୪୦) ପାକିସ୍ତାନ ପାଇଁ ଆଶା ସୃଷ୍ଟି କରିଥିଲେ। ତେବେ ମିଚେଲ ଷ୍ଟାର୍କ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ସର୍ଫରାଚ ଅହମ୍ମଦଙ୍କୁ ଶେଷ ୱିକେଟ୍ ଭାବେ ରନ୍ ଆଉଟ୍ କରି ଗ୍ଲେନ୍ ମ୍ୟାକ୍ସୱେଲ୍ ପାକିସ୍ତାନ ପାଳି ଶେଷ କରି ଦେଇଥିଲେ।
ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ହେଲେ ବୋଲର ତାଙ୍କ ଯୋଜନା ମୁତାବକ ବୋଲିଂ କରି ନଥିଲେ। ସେହିଭଳି ପାକ୍ କ୍ଷେତ୍ରରକ୍ଷକ ଏକାଧିକ କ୍ୟାଚ୍ ହାତଛଡ଼ା କରିଥିଲେ। ଫଳରେ ୱାର୍ନର (୧୦୭) ଓ ଫିଞ୍ଚ୍‌ (୮୨) ପ୍ରଥମ ୱିକେଟ୍‌ରେ ୧୪୬ ରନ୍ ଯୋଡ଼ି ନେଇଥିଲେ। କଙ୍ଗାରୁ ଅଧିନାୟକ ଫିଞ୍ଚ୍‌ ଶତକରୁ ବଞ୍ଚିତ ହୋଇଥିଲେ। ୱାର୍ନର କିନ୍ତୁ ଚଳିତ ବିଶ୍ବକପ୍‌ରେ ପ୍ରଥମ ଏବଂ ଏକଦିବସୀୟ କ୍ରିକେଟ୍‌ରେ ପଞ୍ଚଦଶ ଶତକ ପୂରଣ କରିଥିଲେ। ଫିଞ୍ଚ୍‌ ଆଉଟ୍ ହେବା ପରେ କିନ୍ତୁ ପାକିସ୍ତାନ ବୋଲର ଲୟ ଫେରି ପାଇ ଯାଇଥିଲେ। ବିଶେଷ କରି ମହମ୍ମଦ ଆମିର (୧୦-୨-୩୦-୫) ଅଷ୍ଟ୍ରେଲିଆ ପାଳିକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଅଷ୍ଟ୍ରେଲିଆ ତା’ର ଶେଷ ୮ ୱିକେଟ୍ ମାତ୍ର ୮୪ ରନ୍‌ରେ ହରାଇଥିଲା। ଫଳରେ ଏକାଦା ୪୦୦ ରନ୍ କରିବାର ସୁଯୋଗ ଥିଲେ ମଧ୍ୟ ଗୋଟିଏ ଓଭର ପୂର୍ବରୁ ୩୦୭ରେ ସୀମିତ ରହି ଯାଇଥିଲା। ଆମିର ଖେଳ ଜୀବନର ତୃତୀୟ ଏବଂ ବିଶ୍ବକପ୍‌ର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ।

Advertisment

ଅଷ୍ଟ୍ରେଲିଆ-ପାକିସ୍ତାନ ସ୍କୋର‌୍‌ କାର୍ଡpublive-image

ଅଷ୍ଟ୍ରେଲିଆ: ୩୦୭/୧୦
ଫିଞ୍ଚ୍‌-କ-ହାଫିଜ୍‌-ବୋ-ଆମିର-୮୨
ୱର୍ନର-କ-ଇମାମ୍‌-ବୋ-ଆଫ୍ରିଦି-୧୦୭
ସ୍ମିଥ୍‌-କ-ଆସିଫ୍-ବୋ-ହାଫିଜ୍‌-୧୦
ମ୍ୟାକ୍ସୱେଲ୍‌-ବୋ-ଆଫ୍ରିଦି-୨୦
ମାର୍ସ-କ-ସୋଏବ୍‌-ବୋ-ଆମିର-୨୩
ଖୱାଜା-କ-ୱାହବ୍‌-ବୋ-ଆମିର-୧୮
କାରେ-ଏଲ୍‌ବି-ବୋ-ଆମିର-୨୦
କୁଲ୍‌ଟର ନାଇଲ୍‌-କ-ସର୍ଫରାଜ-ବୋ-ୱାହବ୍‌-୦୨
କମିନ୍ସ-କ-ସର୍ଫରାଜ-ବୋ-ହାସନ୍‌-୦୨
ଷ୍ଟାର୍କ-କ-ସୋଏବ୍‌-ବୋ-ଆମିର-୦୩
ରିଚାର୍ଡସନ୍‌-ଅପରାଜିତ-୦୧
ଅତିରିକ୍ତ- (ଲେବା-୧୦, ନୋ-୩, ୱା-୬)-୧୯
ମୋଟ-(୪୯ ଓଭର, ଅଲ୍‌ଆଉଟ୍‌ )-୩୦୭
ୱିକେଟ୍‌ ପତନ: ୧/୧୪୬, ୨/୧୮୯, ୩/୨୨୩, ୪/୨୪୨, ୫/୨୭୭, ୬/୨୮୮, ୭/୨୯୯, ୮/୩୦୨, ୯/୩୦୪, ୧୦/୩୦୭।
ବୋଲି˚: ମହମ୍ମଦ ଆମିର ୧୦-୨-୩୦-୫, ସାହିନ୍‌ ଶାହା ଆଫ୍ରିଦି ୧୦-୦-୭୦-୨, ହାସନ୍‌ ଅଲ୍ଲୀ ୧୦-୦-୬୭-୧, ୱାହବ୍‌ ରିୟାଜ୍‌ ୮-୦-୪୪-୧, ମହମ୍ମଦ ହାଫିଜ୍‌ ୭-୦-୬୦-୧, ସୋଏବ୍‌ ମଲ୍ଲିକ ୪-୦-୨୬-୦।
ପାକିସ୍ତାନ: ୨୬୬/୧୦
ଇମାମ୍‌-କ-କାରେ-ବୋ-କମିନ୍ସ-୫୩
ଫକର-କ-ରିଚାର୍ଡସନ୍‌-ବୋ-କମିନ୍ସ-୦୦
ବାବର-କ-ରିଚାର୍ଡସନ୍‌-ବୋ-କୁଲ୍‌ଟର ନାଇଲ୍‌-୩୦
ହାଫିଜ୍‌-କ-ଷ୍ଟାର୍କ-ବୋ-ଫିଞ୍ଚ୍‌-୪୬
ସର୍ଫରାଜ-ରନ୍‌ ଆଉଟ୍‌-୪୦
ସୋଏବ୍‌-କ-କାରେ-ବୋ-କମିନ୍ସ-୦୦
ଆସିିଫ୍-କ-କାରେ-ବୋ-ରିଚାର୍ଡସନ୍‌-୦୫
ହାସନ୍‌ ଅଲ୍ଲୀ-କ-ଖୱାଜା-ବୋ-ରିଚାର୍ଡସନ୍‌-୩୨
ୱାହବ୍‌-କ-କାରେ-ବୋ-ଷ୍ଟାର୍କ-୪୫
ମହମ୍ମଦ ଆମିର-ବୋ-ଷ୍ଟାର୍କ-୦୦
ସାହିନ୍‌ ଶାହା ଆଫ୍ରିଦି-ଅପରାଜିତ-୦୧
ଅତିରିକ୍ତ- (ଏଲ୍‌ବି-୪, ନୋ-୧, ୱାଇଡ୍‌-୯)-୧୪
ମୋଟ-(୪୫.୪ ଓଭର, ଅଲ୍‌ଆଉଟ୍‌)-୨୬୬
ୱିକେଟ୍‌ ପତନ: ୧/୨, ୨/୫୬, ୩/୧୩୬, ୪/୧୪୬, ୫/୧୪୭, ୬/୧୬୦, ୭/୨୦୦, ୮/୨୬୪, ୯/୨୬୫, ୧୦/୨୬୬।
ବୋଲି˚: ପ୍ୟାଟ୍‌ କମିନ୍ସ ୧୦-୦-୩୩-୩, ମିଚେଲ ଷ୍ଟାର୍କ ୯-୧-୪୩-୨, କେନ୍‌ ରିଚାର୍ଡସନ୍‌ ୮.୪-୦-୬୨-୨, ନାଥନ୍‌ କୁଲ୍‌ଟର ନାଇଲ୍‌ ୯-୦-୫୩-୧, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୭-୦-୫୮-୦, ଆରୋନ୍‌ ଫିଞ୍ଚ୍‌ ୨-୦-୧୩-୧।