ୱାର୍ନର ତାଙ୍କ ପ୍ରତିଶ୍ରୁତିରୁ ବଳିଗଲେ

-ଭିଭିଏସ୍ ଲକ୍ଷ୍ମଣ-

ରାଜସ୍ଥାନ ବିପକ୍ଷ ଅପ୍ରତ୍ୟାଶିତ ପରାଜୟ ପରେ ପିଲାମାନେ ସହଜରେ ନିରୁତ୍ସାହିତ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ କିଙ୍ଗ୍ସ ଏକାଦଶ ବିପକ୍ଷ ପରବର୍ତୀ ମୁକାବିଲାରେ ସେମାନେ ଯେଭଳି ଭାବେ ଲଢ଼ୁଆ ପ୍ରଦର୍ଶନ କଲେ, ତାହା ମୋତେ ବେଶ୍ ପ୍ରଭାବିତ କରିଛି। ମୁଁ ଭାବୁଛି ହାଇଦ୍ରାବାଦରେ ସନରାଇଜର୍ସର ଏହି ସଫଳ ପ୍ରତ୍ୟାବର୍ତନ ଦଳ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଜୟପୁରରେ ଆମେ ଏକଦା ୧୭୫ ରନ୍ ଛୁଇଁବାର ସ୍ଥିତିରେ ଥିଲୁ। ହେଲେ ଅଚାନକ ବିପର୍ଯ୍ୟୟ ପାଇଁ ୧୫ ରନ୍ ପଛରେ ରହିଗଲୁ। ରାଜସ୍ଥାନ ମଧ୍ୟ ଏହାକୁ ସହଜରେ ହାସଲ କରିନେଲା। ଏହି ମ୍ୟାଚ୍ ପରେ ଉପଲରେ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ ବୋଲି ଜାଣିଥିଲୁ। ମୁଁ ବହୁତ ଖୁସି ଯେ ସେଠାରେ ଆମେ ଆମ ଯୋଜନା ମୁତାବକ ଖେଳ ଖେଳିଲୁ। ଏହିଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଭଲ ଆରମ୍ଭ କରିବାର ଢେର ଆବଶ୍ୟକତା ରହିଥାଏ। ଡେଭିଡ୍ ୱାର୍ନର ଓ ଋଦ୍ଧିମାନ ସାହା ଆମ ପାଇଁ ଠିକ୍ ଏହି କାମ କରିଥିଲେ। ସାହାଙ୍କ କାର୍ଯ୍ୟଶୈଳୀର ମୁଁ ଜଣେ ବଡ଼ ପ୍ରଶଂସକ। ଚୂଡ଼ାନ୍ତ ଦଳରେ ରୁହନ୍ତୁ କି ନ ରୁହନ୍ତୁ, ସେ ସବୁବେଳେ କଠିନ ପରିଶ୍ରମ କରି ଥାଆନ୍ତି। ଦଳର ଯୁବ ଖେଳାଳିଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ଦୀର୍ଘ ସମୟ ଡଗଆଉଟ୍‌ରେ କଟାଇବା ପରେ ସାହା କିଛି ରନ୍ କରିବା ଆମ ପାଇଁ ବହୁତ ଭଲ କଥା। ୱାର୍ନରଙ୍କ ବିଷୟରେ ମୁଁ କଣ କହିବି? ଗତବର୍ଷ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେଥିପାଇଁ ଚଳିତ ଋତୁରେ ତାଙ୍କୁ ନେଇ ଆମ ମନରେ କିଛିଟା ସଂଶୟ ଥିଲା। ସୂଚୀ ପ୍ରକାଶ ପାଇବା ପରେ ଆମେ ଜାଣିଥିଲୁ ଯେ ୱାର୍ନର ଗାଏମୋଟ ୧୨ ମ୍ୟାଚ୍ ଖେଳି ପାରିବେ। ସେଥିରୁ ସେ ନିଶ୍ଚିତ ଭାବେ ୫୦୦ ରନ୍ କରିବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ‌ସେ ସହଜରେ ଅତିକ୍ରମ କଲେ। ୬୯୨ ରନ୍ କରି ବିଦାୟ ନେଲେ। ତାଙ୍କ ପାଇଁ ହିଁ ଆମେ ପ୍ଲେ ଅଫକୁ ଯାଇ ପାରିଲୁ। ୱାର୍ନରଙ୍କ ପାଇଁ ହାଇଦ୍ରାବାଦ ଦ୍ବିତୀୟ ଘର ସଦୃଶ। ଏଠାକାର କ୍ରିକେଟ୍ ପ୍ରେମୀ ତାଙ୍କୁ ବହୁତ ଭଲ ପାଆନ୍ତି। ଲଗାତାର ପାଞ୍ଚଟି ଋତୁରେ ୫୦୦ ରନ୍ କରିବା ଛୋଟିଆ କଥା ନୁହେଁ। ୱାର୍ନର ଏହା କରି ‌ଦେଖାଇଛନ୍ତି। ଉଚ୍ଚ ଷ୍ଟ୍ରାଇକ୍ ହାର ସହ ସ୍ଥିର ପ୍ରଦର୍ଶନ ତାଙ୍କ କ୍ରିକେଟ୍ କଳା କୌଶଳକୁ ଦର୍ଶାଏ। ନିଃସନ୍ଦେହରେ ସେ ଜଣେ ମ୍ୟାଚ୍ ବିଜୟୀ। ଆଇପିଏଲ୍ ଇତିହାସର ସେ ଅନ୍ୟତମ ପ୍ରଭାବଶାଳୀ ତାରକା ମଧ୍ୟ।

ସମ୍ବନ୍ଧିତ ଖବର