ନୂଆଦିଲ୍ଲୀ : ଶନିବାରର ଚେନ୍ନାଇ ସୁପର୍ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସିଏସ୍କେର ୨୨୩କୁ ଦିଲ୍ଲୀ ପିଛା କରୁଥିବା ବେଳେ ପଞ୍ଚମ ଓଭରରେ ଏହି ଘଟଣା ଘଟିଥିଲା। ଦୀପକ ଚହରଙ୍କ ବୋଲିଂ ବେଳେ ମୋଇନ୍ ଅଲୀଙ୍କ ଥ୍ରୋ’ରେ ଡେଭିଡ୍ ୱାର୍ଣ୍ଣର ରନ୍ ଆଉଟ୍ରୁ ବର୍ତିଯାଇଥିଲେ। ଦ୍ବିତୀୟ ପ୍ରୟାସରେ ରବୀନ୍ଦ୍ର ଜାଦେଜା ରନ୍ ଆଉଟ୍ ପାଇଁ ପ୍ରୟାସ କରୁଥିବା ବେଳେ ଡେଭିଡ୍ ୱାର୍ଣ୍ଣର କ୍ରିଜ୍ଠାରୁ ବାହାରେ ଥିଲେ। ଏହି ସମୟରେ ଜାଦେଜା ବଲ୍ ଫିଙ୍ଗିବାର ଧମକ ଦେଉଥିବା ବେଳେ ୱାର୍ଣ୍ଣର ବାହାରେ ଥାଇ ମଜାଦାର ଆହ୍ବାନ ଦେଇଥିଲେ।
ୱାର୍ଣ୍ଣର ଏହି ସମୟରେ ଜାଦେଜାଙ୍କ ବ୍ରାଣ୍ଡ୍ ଭାବେ ପରିଚିତ ‘ଖଣ୍ଡା ବୁଲାଇବା’ ଶୈଳୀକୁ ନକଲ କରିବାରୁ ଜାଡ୍ଡୁ ହସି ହସି ଆଉ ବଲ୍ ଫିଙ୍ଗିନଥିଲେ। ଏହା ପରେ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ୱାର୍ଣ୍ଣର ଷ୍ଟମ୍ପ୍ସକୁ ବଲ୍ ଫିଙ୍ଗିବାକୁ ଆହ୍ବାନ ଦେଇଥିଲେ। ରାହାଣେ ଏହା କରିଥିଲେ ମଧ୍ୟ ବଲ୍ ପୁଣି ଜାଦେଜାଙ୍କ ପାଖକୁ ଯାଇଥିଲା। ଦିଲ୍ଲୀ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିବାରୁ ଏଭଳି କିଛି ହାଲକା ଫୁଲକା ମୁହୂର୍ତ ପ୍ରଶଂସକଙ୍କୁ ଭାରି ପସନ୍ଦ ଲାଗିଥିଲା।