ସିଡ୍ନି: ଫର୍ମରେ ଥିବା ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଭାରତ ବିପକ୍ଷ ସୀମିତ ଓଭର ପର୍ଯ୍ୟାୟର ବଳକା ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଅର୍ଥାତ୍ ବୁଧବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ସହ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ମଧ୍ୟ ସେ ଖେଳି ପାରିବେ ନାହିଁ। ଅନ୍ୟପକ୍ଷରେ ମହତ୍ବପୂର୍ଣ୍ଣ ତଥା ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଦ୍ରୁତ ବୋଲର ତଥା କଙ୍ଗାରୁ ସୀମିତ ଓଭର ଦଳର ଉପଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ବଳକା ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି।
ଭାରତ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ଯଥାକ୍ରମେ ୬୯ ଓ ୮୩ ରନ୍ କରିଥିବା ୱାର୍ନର ରବିବାରର ଦ୍ବିତୀୟ ମୁକାବିଲାରେ ଆହତ ହୋଇଥିଲେ। ତାଙ୍କ ସ୍ଥାନରେ ବାମହାତୀ ଯୁବ ବ୍ୟାଟର ଡାର୍କି ସଟ୍ଙ୍କୁ ଅଷ୍ଟ୍ରେଲିଆ ନିଜ ଦଳରେ ସାମିଲ କରିଛି। ୱାର୍ନର ଫିଟ୍ ହେବା ଲାଗି ୪ ସପ୍ତାହ ଲାଗିବ ବୋଲି ଡାକ୍ତର ଆକଳନ କରିଛନ୍ତି। ଫଳରେ ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଦିନିକିଆରେ ଆହତ ହୋଇ ଦ୍ବିତୀୟ ଦିନିକିଆ ଖେଳି ନଥିବା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଦଳ ସହ ରହିବେ। ସେପଟେ ଅନ୍ୟତମ ଆହତ ଅଲରାଉଣ୍ଡର ମିଚେଲ ଷ୍ଟାର୍କ ଆସନ୍ତା ରବିବାରଠାରୁ ଆରମ୍ଭ ହୋଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଖେଳିବେ ନାହିଁ।
ସିଡ୍ନି: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ସିଡ୍ନିରେ ଖେଳାଯାଇଥିବା ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ କ୍ଷେତ୍ରରକ୍ଷଣ ବେଳେ ଆହତ ହୋଇଥିଲେ। ଆହତ ୱାର୍ନରଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇ ସ୍କାନ୍ କରା ଯାଇଥିଲା। ୱାର୍ନରଙ୍କ ଆହତ ସତ୍ତ୍ବେ ଏହି ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତି ଶୃଙ୍ଖଳା ଆଗୁଆ କରାୟତ୍ତ କରିଥିଲା। ଭାରତୀୟ ଉପଅଧିନାୟକ କେଏଲ୍ ରାହୁଲ ମ୍ୟାଚ୍ ପରର ସାମ୍ବାଦିକ ସମ୍ମିଳନୀରେ ୱାର୍ନରଙ୍କ ଆଘାତକୁ ନେଇ ହାଲ୍କା ମତ ରଖିଥିଲେ। ଆମେ ଜାଣିନୁ ତାଙ୍କ ଆଘାତ କେତେ ଜଟିଳ। ସେ ଅଷ୍ଟ୍ରେଲିଆ ଦଳର ଜଣେ ମୁଖ୍ୟ ବ୍ୟାଟ୍ସମ୍ୟାନ୍। ତାଙ୍କ ଆଘାତ ସମସ୍ୟା ଅଧିକ ଦିନ ରହିଲେ ଭଲ ହେବ। କାହାର ଖରାପ ଚିନ୍ତା କରିବା ଭଲ ନୁହେଁ। ହେଲେ ଦଳ ପାଇଁ ଏହା ଭଲ। ତାଙ୍କ ଅଘାତ ସମସ୍ୟା ବହୁତ ଦିନ ରହିଲେ ଆମ ଦଳ ପାଇଁ ଭଲ ବୋଲି ରାହୁଲ କହିଥିଲେ। ଏଭଳି ଦାୟିତ୍ବହୀନ ମତ ଲାଗି ରାହୁଲ ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହୋଇଛନ୍ତି। ପ୍ରଶଂସକମାନେ ଏହାକୁ ‘ଘୃଣ୍ୟ’ ଏବଂ ‘କ୍ରୀଡ଼ାଭାବନାର ଅଭାବ’ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/gd65j4dg74dg65j4gjddgj.jpg)