ୱାର୍ନର ମୋ‌ତେ ଦୁଃଖିତ କହି ଆଲିଙ୍ଗନ କରିଥିଲେ: ଜୟକିଷନ

ନୂଆଦିଲ୍ଲୀ: ବିଶ୍ବକପ୍‌ ପୂର୍ବରୁ ଜୟକିଷନ ପ୍ଲାହା କିଏ ସମ୍ଭବତଃ କେହି ଜାଣିନଥିଲେ। ଏବେ କିନ୍ତୁ ତାଙ୍କୁ ସମସ୍ତେ ଜାଣିଗଲେଣି। ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌ ପୂର୍ବରୁ ନେଟ୍ସ ବୋଲର ଭାବେ‌ ଡାକରା ପାଇଥିବା ଭାରତୀୟ ବଂଶୋଦ୍ଭବ ଏହି ଇଂଲିସ୍ କ୍ଲବ୍ କ୍ରିକେଟର୍‌ ଜଣଙ୍କ ଏକ ଅଘଟଣ ପାଇଁ ଚର୍ଚିତ ହୋଇଯାଇଛନ୍ତି। ‌ଡେଭିଡ୍‌ ୱାର୍ନରଙ୍କ ଏକ ସଟ୍ ତାଙ୍କ ମୁଣ୍ଡରେ ବାଜିବାରୁ ସେ ଅଚେତ ହୋଇପଡ଼ିଥିଲେ। ୨୩ ବର୍ଷୀୟ ଏହି ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କ ପାଇଁ ଏହି ଦୁର୍ଘଟଣା ନୂଆ ଅଭିଜ୍ଞତା ନେଇ ଆସିଛି। ‘ହେ ଭଗବାନ..ଏଭଳି ନୁହେଁ..’ ବୋଲି ଅନ୍ୟପାର୍ଶ୍ବରୁ ସେଦିନ ୱାର୍ନର କହିଥିବା କଥା ଜୟକିଷନ ମନେ ପକାଇଛନ୍ତି। ବଲ୍‌ଟି ଅଫଷ୍ଟମ୍ପ୍ ବାହାରେ ଥିଲା, ୱାର୍ନରଙ୍କ ସଟ୍‌କୁ ମୁଁ ଏଡ଼ାଇବା ଲାଗି ବସିଯିବା ପୂର୍ବରୁ ଏହା ମୋ ମୁଣ୍ଡରେ ବାଜିଥିଲା। ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଦଳ, ଫିଜିଓ ଏବଂ ଡାକ୍ତର ମୋ ନିକଟକୁ ଦୌଡ଼ିଥିଲେ। ମୋତେ ତୁରନ୍ତ ଷ୍ଟ୍ରେଚରରେ ଡାକ୍ତରଖାନା ନିଆଯାଇଥିଲା। ମୋତେ ଯେତେବେଳେ ଦେଖିବାକୁ ଅଷ୍ଟ୍ରେଲିଆ ଖେଳାଳି ଡାକ୍ତରାଖାନା ଆସିଥିଲେ ସେମାନଙ୍କ ମୁଖମଣ୍ଡଳରେ ଦୁଃଖ ଭରି ରହିଥିଲା। ୱାର୍ନର, ଲାଙ୍ଗର, ମ୍ୟାକ୍ସୱେଲ, ସ୍ମିଥ୍ ସମସ୍ତେ ଆସିଥିଲେ। କିଛି ବର୍ଷ ତଳେ ଏକ ସେଫିଲଡ୍ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହେବା ପରେ ଅଷ୍ଟ୍ରେଲିଆ ‌ଖେଳାଳି ଫିଲ୍ ହ୍ୟୁଗସ ମୃତ୍ୟୁ ବରଣ କରିଥିବାରୁ ସେମାନେ ଚାପଗସ୍ତ ଥିବା ଜଣାପଡୁଥିଲେ। ୱାର୍ନର ମୋତେ କହିଥିଲେ ‘ହେ ବଡ଼ ଖେଳାଳି, ମୁଁ ଦୁଃଖିତ’ ଏହା କହି ସେ ମୋତେ ଅଲିଙ୍ଗନ କରିଥିଲେ ବୋଲି ଜୟକିଷନ ପ୍ରକାଶ କରିଛନ୍ତି। ଲଣ୍ଡନ୍ ହସପିଟାଲରେ ୪ ରାତି ବିତାଇବା ପରେ ପ୍ଲାହା ଓଭାଲ୍ ଆସି ପୁଣି ୱାର୍ନରଙ୍କୁ ଭେଟିଛନ୍ତି। ୱାର୍ନର ତାଙ୍କୁ ନିମନ୍ତ୍ରଣ କରିଥି‌ଲେ ଏବଂ ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସହ ସେ ମିଶିଥିଲେ। ଅଷ୍ଟ୍ରେଲିଆର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମଧ୍ୟ ତାଙ୍କୁ ଅଷ୍ଟ୍ରେଲିଆ ଜର୍ସି ପ୍ରଦାନ କରିଥିଲେ। ମୁଁ ସେ ମୁହୂର୍ତକୁ ଭୁଳି ପାରିବି ନାହିଁ। ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଦଳ ମୋ ପାଖରେ ଉପସ୍ଥିତ ଥିଲେ। ୱାର୍ନର ମୋ ନାମ ଧରି ଡାକିଥିଲେ। ସମ୍ପୂର୍ଣ୍ଣ ଦଳର ଖେଳାଳିଙ୍କ ସ୍ବାକ୍ଷର ସେ ଜର୍ସିରେ ରହିଛି। ସେ ମଧ୍ୟ ମୋ ପାରିବାରକୁ ବିଶ୍ବକପ୍‌ ଟିକେଟ୍ ଉପହାର ଦେଇଛନ୍ତି। ମୋତେ ଲାଗିଲା ଯେଭଳି ମୁଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଡକରା ପାଇଗଲି। ମୁଁ ପେସାଦାର ଖେଳାଳି ହେବାକୁ ଚାହୁଁଛି ଏବଂ ଦିନେ ନିଶ୍ଚିତ ଖେଳିବି ବୋଲି ଆତ୍ବବିଶ୍ବାସର ସହ କହିଛନ୍ତି ଜୟକିଷନ। ଜୟକିଷନଙ୍କୁ ଏବେ ଡାକ୍ତର ୬ ସପ୍ତାହ ବିଶ୍ରାମ ପରାମର୍ଶ ଦେଇଛନ୍ତି। ଇଂଲଣ୍ଡର ସେପରଟନ୍ ଏବଂ ସନବରି କ୍ରିକେଟ୍‌ କ୍ଲବ୍ ପାଇଁ ଖେଳୁଥିବା ଜୟକିଷନ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ପ୍ରେରଣା ପାଇଛନ୍ତି ଏବଂ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍‌ଙ୍କ ଭଳି ବୋଲିଂ ଦକ୍ଷତା ଆଶା କରିଛନ୍ତି। ମୁଁ ଭାରତୀୟ ଖେଳାଳି ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା ଏବଂ ଦୀନେଶ କାର୍ତିକଙ୍କୁ ବୋଲିଂ କରିଥିଲି। କୋହଲି ଜଣେ ସୁପରଷ୍ଟାର୍,‌ ସେ ମୋତେ ସହଜରେ ଖେଳୁଥିଲେ। କିନ୍ତୁ ଧୋନିଙ୍କୁ ବୋଲିଂ କରିବାର ସୁଯୋଗ ମୁଁ ପାଇନଥିଲି ବୋଲି ଜୟକିଷନ କହିଛନ୍ତି। ଦିନେ ଇଂଲଣ୍ଡ ପାଇଁ ଦିନିକିଆ ଅନ୍ତର୍ଜାତୀୟ ଖେଳିବା ମୋ ଏକମାତ୍ର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର