ଓ୍ଵାର୍ନରଙ୍କ ଶତକ; ଅଷ୍ଟ୍ରେଲିଆ ୨୪୪/୩

ମେଲ୍‌ବର୍ନ: ମଙ୍ଗଳବାର ବକ୍ସିଂ ଡେ’ରେ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆସେସ୍‌ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ। ତୃତୀୟ ଟେଷ୍ଟ ଜିତିବା ସାଙ୍ଗକୁ ଆସେସ୍‌ ବଜାୟ ରଖିବାର ଗୌରବ ପାଇ ସାରିଥିବା ଘରୋଇ ଦଳ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନରଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅର୍ଧଶତକ ବଳରେ ପ୍ରଥମ ଦିବସରେ ସ୍ଥିତି ଦୃଢ଼ କରିନେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ୮୯ ଓଭର ଖେଳରୁ ୨୪୪ ରନ୍‌ କରିନେଇଥିଲା ବେଳେ ୩ ଓ୍ଵିକେଟ୍‌ ହରାଇଛି। ଓ୍ଵାର୍ନର (୧୦୩ ରନ୍‌, ୧୫୧ ବଲ୍‌, ୧୩ ଚୌକା ଓ ୧ ଛକା) ଶତକ ଜମାଇବା ସାଙ୍ଗକୁ ପ୍ରଥମ ଓ୍ଵିକେଟ୍‌ରେ ବାନ୍‌କ୍ରଫ୍ଟ (୨୬)ଙ୍କ ସହ ୧୨୨ ରନ୍‌ ଯୋଡ଼ି ଦଳକୁ ଦୃଢ଼ ସ୍ଥିତି ଦେଇଥିଲେ। ଉଭୟ ବାନ୍‌କ୍ରଫ୍ଟ ଓ ଓ୍ଵାର୍ନରଙ୍କ ପରେ ଉସ୍‌ମାନ ଖଓ୍ଵାଜା (୧୭) ସଅଳ ପାଭିଲିୟନ୍‌ ଫେରିଯାଇଥିଲେ ମଧ୍ୟ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ସ୍ମିଥ୍‌ (୬୫ ରନ୍‌, ୧୩୧ ୧ଲ୍‌, ୬ ଚୌକା) ଓ ସନ୍‌ ମାର୍ସ (୩୧ ରନ୍‌, ୯୩ ବଲ୍‌, ୪ ଚୌକା) ୮୪ ରନ୍‌ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍‌ସ ଆଣ୍ଡରସନ୍‌, ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ଵକ୍‌ସ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଛନ୍ତି।

୬୦୦୦ ରନ୍‌ କ୍ଲବ୍‌ରେ ଓ୍ଵାର୍ନର

ପ୍ରଥମ ଦିବସରେ ଶତକ ହାସଲ କରିଥିବା ଓ୍ଵାର୍ନର ୬୦୦୦ ଟେଷ୍ଟ ରନ୍‌ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ସେ ୧୨୯ ପାଳିରୁ ଏହି ମାଇଲଖୁଣ୍ଟରେ ପହଞ୍ଚି ଗ୍ରେଗ୍‌ ଚାପେଲଙ୍କ ସମକକ୍ଷ ହୋଇଛନ୍ତି। ଟେଷ୍ଟରେ ଦ୍ରୁତତମ ୬୦୦୦ ରନ୍‌ କରିବାରେ ଓ୍ଵାର୍ନର ମଧ୍ୟ ଯୁଗ୍ମ ଭାବେ ଚତୁର୍ଥ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଗ୍ରେଗ୍‌ ଚାପେଲ ମଧ୍ୟ ସମାନ ୧୨୯ ପାଳିରେ ୬୦୦୦ ରନ୍‌ ପୂରଣ କରିଥିଳେ। ଏକ୍ଷେତ୍ରରେ ଓ୍ଵାର୍ନର ଓ ଚାପେଲ୍‌ଙ୍କ ଉପରକୁ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୬୮ ପାଳି), ରିକି ପଣ୍ଟିଂ (୧୨୫ ପାଳି) ଓ ମାଥ୍ୟୁ ହେଡେନ୍‌ (୧୨୬ ପାଳି) ରହିଛନ୍ତି। ମଙ୍ଗଳବାର ବକ୍ସିଂ ଡେ ଟେଷ୍ଟରେ ମଧ୍ୟ ଓ୍ଵାର୍ନର ବ୍ୟକ୍ତିଗତ ୨୧ତମ ଶତକ ହାସଲ କରିଛନ୍ତି। ତାଙ୍କ ୨୧ ଶତକ ମଧ୍ୟରେ କେବଳ ୧୫ଟି ଘରୋଇ ପରିବେଶରେ କରିଛନ୍ତି। ପୁଣି ମେଲ୍‌ବର୍ନ କ୍ରିକେଟ୍‌ ପଡ଼ିଆରେ ଓ୍ଵାର୍ନର କ୍ରମାଗତ ଶତକ ହାସଲ କଲେ। ୨୦୧୧ରୁ ୨୦୧୫ ମଧ୍ୟରେ ୯ ଟେଷ୍ଟରୁ ମାତ୍ର ଗୋଟିଏ ଅର୍ଧଶତକ ହାସଲ କରିଥିବା ଓ୍ଵାର୍ନର ଚଳିତ ବର୍ଷ ୨ ଶତକ ଜମାଇ ସାରିଲେଣି। ଚଳିତ ବର୍ଷ ସେ ସିଡ୍‌ନିରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ।

ଆଣ୍ଡରସନ୍‌ଙ୍କୁ ୧୦୦ ଆସେସ୍‌ ଓ୍ଵିକେଟ୍‌

ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିବସରେ ଶତକୀୟ ପାଳି ଖେଳିଥିବା ଡେଭିଡ୍‌ ଓ୍ଵାର୍ନରଙ୍କ ପୁରସ୍କାର ଓ୍ଵିକେଟ୍‌ ଦଖଲ କରିଥିଲେ। ଏଥି ସହିତ ଆଣ୍ଡରସନ୍‌ ଆସେସ୍‌ରେ ୧୦୦ ଓ୍ଵିକେଟ୍‌ ଦଖଲ କରିବାର ଗୌରବ ପାଇଥିଲେ। ଆଣ୍ଡରସନ୍‌ ମଧ୍ୟ କୌଣସି ଗୋଟିଏ ପ୍ରତିପକ୍ଷ ବିପକ୍ଷରେ ୧୦୦ ବା ଅଧିକ ଓ୍ଵିକେଟ୍‌ ଅକ୍ତିଆର କରିବାରେ ୩୭ତମ ବୋଲର ହୋଇଛନ୍ତି। ଆସେସ୍‌ରେ ଏଭଳି ସଫଳତା ପାଇବାରେ ସେ ମଧ୍ୟ ବିଶ୍ୱର ଅଷ୍ଟମ ତଥା ଇଂଲଣ୍ଡର ପଞ୍ଚମ ଦ୍ରୁତ ବୋଲର ହୋଇଛନ୍ତି। ଆସେସ୍‌ରେ ଶତକୀୟ ଓ୍ଵିକେଟ୍‌ ଗୌରବ ପାଇବାରେ ଇଆନ୍‌ ବୋଥାମ୍‌ (୩୨ ଟେଷ୍ଟ, ୧୨୮ ଓ୍ଵିକେଟ୍‌) ଇଂଲଣ୍ଡ ପକ୍ଷରୁ ଏବଂ ସେନ୍‌ ଓ୍ଵର୍ନ (୩୬ ଟେଷ୍ଟ, ୧୯୫ ଓ୍ଵିକେଟ୍‌) ଅଷ୍ଟ୍ରେଲିଆ ପକ୍ଷରୁ ଆଗରୁ ରହିଛନ୍ତି।

ଏମ୍‌ସିଜିରେ ସ୍ମିଥ୍‌ଙ୍କ କମାଲ୍‌

ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଭ୍‌ ସ୍ମିଥ୍‌ଙ୍କ ପାଇଁ ମେଲ୍‌ବର୍ନ କ୍ରିକେଟ୍‌ ପଡ଼ିଆ (ଏମ୍‌ସିଜି) ସର୍ବଦା ଶୁଭ ରହିଆସିଛି। ଶେଷ ଥର ପାଇଁ ଏହି ପଡ଼ିଆରେ ଆଉଟ୍‌ ହେବାର ୬୨୪ ବଲ୍‌ ପରେ ମଧ୍ୟ ସ୍ମିଥ୍‌ଙ୍କୁ କୌଣସି ବୋଲର ଆଉଟ୍‌ କରିପାରୁନାହାନ୍ତି। ୬୨୪ ବଲ୍‌ରୁ ସ୍ମିଥ୍‌ ଏପର୍ଯ୍ୟନ୍ତ ୪୩୪ ରନ୍‌ କରିସାରିଲେଣି। ଏହି ସମୟ ମଧ୍ୟରେ ସ୍ମିଥ୍‌ ଏମ୍‌ସିଜିରେ ୯ ପାଳି ଖେଳିଥିଲା ବେଳେ ସେଥିରେ ୩ ଶତକ ଓ ୨ ଅର୍ଧଶତକ ସାମିଲ ରହିଛି।

ସମ୍ବନ୍ଧିତ ଖବର