ଓ୍ଵାର୍ନରଙ୍କୁ ନେଇ ଆଉ ଏକ ବିବାଦ

ବଲ୍‌ ବିକୃତ ବିବାଦ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଉପଅଧିନାୟକ ପଦ ହରାଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ଆଉ ଏକ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ସେଥିପାଇଁ ସେ ଆହୁରି ଅସୁବିଧାରେ ପଡ଼ିବାର ଆଶଙ୍କା ଦେଖା ଦେଇଛି। କେପଟାଉନ ଟେଷ୍ଟ୍‌ର ନିନ୍ଦନୀୟ ବଲ୍‌ ବିକୃତ ବିବାଦ ପଦାକୁ ଆସିବା ପରେ ଓ୍ଵାର୍ନର ଦଳୀୟ ହୋଟେଲକୁ ନିଜର କିଛି ବାହାରର ବନ୍ଧୁଙ୍କୁ ଡାକି ପାର୍ଟି କରିଥିଲେ। ଯାହାକୁ ତାଙ୍କ ସାଥୀ ଖେଳାଳିମାନେ ସହଜରେ ଗ୍ରହଣ କରି ପାରି ନଥିଲେ। ଏପିରିକି ସେମାନେ ଓ୍ଵାର୍ନର ଏବଂ ତାଙ୍କ ସାଙ୍ଗମାନଙ୍କୁ ହୋଟେଲ ବାହାରକୁ ପଠାଇଦେବାକୁ ହୋଟେଲ କର୍ତୁପକ୍ଷଙ୍କୁ ଅନୁରୋଧ କରିଥିଲେ। ସେବେଠାରୁ ଓ୍ଵାର୍ନର ମଧ୍ୟ ନିଜ ଦଳୀୟ ସାଥୀଙ୍କ ଉପରେ ପୂରା ରାଗି ଯାଇଛନ୍ତି। ସେଥିପାଇଁ କଙ୍ଗାରୁ ଦଳର ଖେଳାଳିଙ୍କୁ ନେଇ ଗଠିତ ଏକ ହ୍ଵାଟ୍‌ସଆପ୍‌ ଗ୍ରୁପରୁ ସେ ଓହରି ଯାଇଛନ୍ତି। ବଲ୍‌ ବିକୃତ ବିବାଦରେ ଓ୍ଵାର୍ନରଙ୍କ ସିଧାସଳଖ ହାତ ଥିବାର କୌଣସି ପ୍ରମାଣ ମିଳିନି। ହେଲେ ତାଙ୍କ ପ୍ରରୋଚନାରେ ହିଁ ସ୍ମିଥ୍‌ ଏଭଳି କାଣ୍ଡ ଘଟାଇବାକୁ ବନକ୍ରଫ୍ଟଙ୍କୁ କହିଥିବା ସାଥୀ ଖେଳାଳିମାନେ ବିଶ୍ୱାସ କରୁଛନ୍ତି। ସେଥିପାଇଁ ଓ୍ଵାର୍ନର ଏବଂ ଅନ୍ୟ କେତେକ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର