ଦୁବାଇ: ଗତ ମାସରେ ଆଇପିଏଲ୍ ବେଳେ ଫର୍ମକୁ ନେଇ ସଂଘର୍ଷ କରିଥିବା ଡେଭିଡ୍ ୱାର୍ଣ୍ଣରଙ୍କୁ ବିଶ୍ବକପ୍ ବେଳେ ପୂର୍ଣ୍ଣ ସମର୍ଥନ କରିଥିଲେ ଅଧିନାୟକ ତଥା ସାଥି ପ୍ରାରମ୍ଭିକ ବ୍ୟାଟର୍ ଆରୋନ୍ ଫିଞ୍ଚ୍। ଏହି ବିଶ୍ବାସର ଫଳ ମଧ୍ୟ ସେ ପାଇଛନ୍ତି। ସେମିଫାଇନାଲ୍ ଏବଂ ଫାଇନାଲ୍ରେ ୱାର୍ଣ୍ଣର ଦୁଇଟି ମ୍ୟାଚ୍ ବିଜୟୀ ପାଳି (୪୯, ୫୩) ଖେଳି ଅଷ୍ଟ୍ରେଲିଆକୁ ବହୁ ପ୍ରତୀକ୍ଷିତ ବିଶ୍ବ ବିଜେତା କରାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ୱାର୍ଣ୍ଣର ଖରାପ ଫର୍ମରେ ଥିବାବେଳେ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ପ୍ରାରମ୍ଭିକ ବ୍ୟାଟର୍ ଜଷ୍ଟିନ୍ ଲାଙ୍ଗର କରିଥିବା ପୂର୍ବାନୁମାନ ସତ ହୋଇଛି। ଫିଞ୍ଚ୍ଙ୍କୁ ସେ ସିଧାସଳଖ କହିଥିଲେ ୱାର୍ଣ୍ଣର ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହେବେ। ଶେଷରେ ରବିବାର ରାତିରେ ସମାନ କଥା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଖରାପ ଫର୍ମ କାରଣରୁ ୱାର୍ଣ୍ଣର ଆଇପିଏଲ୍ ଅଧାରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପଦ ହରାଇବା ସହ କିଛି ମ୍ୟାଚ୍ରୁ ବଞ୍ଚିତ ହୋଇଥିଲେ। ଏକଦା ବିଜେତା ହୋଇଥିବା ହାଇଦ୍ରାବାଦ ଏଥର ୧୪ ମ୍ୟାଚ୍ରୁ ମାତ୍ର ୩ଟି ଜିତି ଶେଷ ତଥା ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ବିଶ୍ବକପ୍ ଫାଇନାଲ୍ ପରେ ଫିଞ୍ଚ୍ କହିଛନ୍ତି ‘ମୁଁ ଭାବୁଥିଲି ଆଦାମ ଜାମ୍ପା ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହେବେ, କିନ୍ତୁ ୱାର୍ଣ୍ଣର ଏହି ସମ୍ମାନ ପାଇଲେ। ସେ ସର୍ବାକାଳୀନ ମହାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଲଢ଼ୁଆ ଖେଳାଳି। ତାଙ୍କ ପାଇଁ ବିଶ୍ବକପ୍ର ସ୍ବତନ୍ତ୍ର ସମାପ୍ତି ଘଟିଲା’।। ସେହିଭଳି ୱେଷ୍ଟଇଣ୍ଡିଜ୍ରେ ମିଚେଲ୍ ମାର୍ସଙ୍କୁ ୩ ନମ୍ବରରେ ଖେଳାଇବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା। ବିଶ୍ବକପ୍ରେ ଏହାମୁ ଆମେ ଜାରି ରଖିଥିଲି। ୟୁଏଇର ସ୍ପିନ୍ ପ୍ରିୟ ପିଚ୍ରେ ନିମ୍ନକ୍ରମରେ ସ୍ପିନରଙ୍କୁ ଆକ୍ରମଣ କରିବାକୁ ଷ୍ଟିଭ୍ ସ୍ମିଥ୍ଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଥିଲା ବୋଲି ଫିଞ୍ଚ୍ ପ୍ରକାଶ କରିଥିଲେ। ସେ ଆହ୍ବାନକୁ ଗ୍ରହଣ କରି ସଫଳ ହେଲେ ବୋଲି ଫିଞ୍ଚ୍ ପ୍ରକାଶ କରିଥିଲେ।