ଚାପରେ ଥିବା ରାହୁଲଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ୱାର୍ଣ୍ଣର

ନୂଆଦିଲ୍ଲୀ: ଋଷଭ ପନ୍ତ୍‌ଙ୍କ ଅନୁପସ୍ଥିତିରେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ବିପକ୍ଷରେ ଶନିବାର ଅଭିଯାନ ଆରମ୍ଭ କରିବ। ଏଲ୍‌ଏସ୍‌ଜି ପ୍ରଥମ ଥର ପାଇଁ ନିଜ ଘରେ ଖେଳିବ। ଏଭଳି ସ୍ଥିତିରେ ଅଧିନାୟକ କେଏଲ୍‌ ରାହୁଲଙ୍କ ପାଇଁ ପ୍ରଥମ ମ୍ୟାଚ୍‌ ଆହ୍ବାନ ଭରା ରହିବ। କାରଣ ସେ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ତେଣୁ ନିଜକୁ ପ୍ରମାଣିତ କରିବାକୁ ହେଲେ ପ୍ରତିଟି ମ୍ୟାଚ୍‌ ରାହୁଲଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷରେ ପୂର୍ବ ପ୍ରଦର୍ଶନ ଓ ଲୋପ୍ରିୟତାକୁ ଦେଖିଲେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସଙ୍କ ଆଗରେ ଏମାନଙ୍କ ମଧ୍ୟରୁ କେହି ବି ଟ୍ରଫି ଜିତିବା ପାଇଁ ଦାବିଦାର ମନେ ହେଉନାହାନ୍ତି। କିନ୍ତୁ ଏହି ଫଟାଫଟ ଫର୍ମାଟ୍‌ ଖେଳରେ ସମୀକରଣ କେତେବେଳେ ବି ବଦଳିଯାଇପାରେ।

ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ଅଧିକ ଆଶା ରହିଛି ପୃଥ୍ବୀ ସ’ଙ୍କ ଉପରେ। ୱାର୍ଣ୍ଣରଙ୍କ ସହ ପୃଥ୍ବୀ ପାଳି ଆରମ୍ଭ କରିବାକୁ ଥିବାରୁ ପାୱାରପ୍ଲେ ମଧ୍ୟରେ ଅଧିକ ରନ୍‌ ବାହାର କରିବାକୁ ପଡ଼ିବ। ଧଳାବଲ୍‌ରେ ୱାର୍ଣ୍ଣର ଭଲ ଫର୍ମରେ ଥିବାବେଳେ ପୃଥ୍ବୀ ମଧ୍ୟ ଦ୍ରୁତ ବୋଲରଙ୍କୁ ‌ଚମତ୍କାର ଖେଳନ୍ତି। ସାମ୍ନାରେ ମାର୍କ ଉଡ୍‌ ଯଦିଓ ୧୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବଲ୍‌ ପକାଇବେ, କିନ୍ତୁ ବଲ୍‌କୁ ବାଉଣ୍ଡରି ପାର୍‌ କରାଇବାର କାଇଦା ପୃଥ୍ବୀଙ୍କୁ ଜଣାଅଛି। ତେବେ ମଧ୍ୟକ୍ରମରେ ପନ୍ତ୍‌ ନଥିବାରୁ କେବଳ ରୋଭମାନ ପାୱେଲ୍‌ଙ୍କ ଉପରେ ଦଳ ନିର୍ଭର କରିବ। ଯୁବ କ୍ରିକେଟର ୟାଶ ଧୂଲ୍‌, ସରଫରାଜ ଖାନ୍‌ ବଡ଼ ମଞ୍ଚରେ ଖେଳିବା ଅଭିଜ୍ଞତା କମ୍‌ ରହିଛି। ତଥାପି ଆଇପିଏଲ୍‌ ସେମାନଙ୍କ ପାଇଁ ସୁଯୋଗ ରହିବ। ସେହିପରି ଅନରିକ୍‌ ନର୍ଖିୟା, ଲୁଙ୍ଗି ଏନ୍‌ଗିଡି ଓ ମୁସ୍ତାଫିଜୁର ରେହମାନ୍‌ ବିଳମ୍ବରେ ଦଳ ସହ ଯୋଗଦେଉଥିବାରୁ ଏମାନଙ୍କ ବିନା ବୋଲିଂ କ୍ରମ ଦୁର୍ବଳ ହୋଇଯିବ। ଇଶାନ୍ତ ଶର୍ମା ଲୟ ପାଇବାକୁ ସଂଘର୍ଷ କରିଆସୁଥିଲା ବେଳେ ଖଲିଲ୍‌ ଅହମ୍ମଦ ଓ ଚେତନ ସାକାରିଆ ନିୟମିତ ଦ୍ରୁତ ବୋଲର ହୋଇପାରିନାହାନ୍ତି। ପଦାର୍ପଣ ଅପେକ୍ଷାରେ ଥିବା ମୁକେଶ କୁମାର ମଧ୍ୟ ଏଭଳି ମଞ୍ଚରେ ନୂଆ। ତେଣୁ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ୮ ଓଭର ହିଁ ଦିଲ୍ଲୀ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।

ତେବେ ଏ‌ହି ମ୍ୟାଚ୍‌ ଜରିଆରେ ରାହୁଲଙ୍କ ମାନସିକତା ଉପରେ ସମସ୍ତଙ୍କ ନଜର ରହିବ। ଖରାପ ପ୍ରଦର୍ଶନ ଯୋଗୁଁ ଟେଷ୍ଟ ଉପଅଧିନାୟକ ହୋଇଥିଲେ ବି ତାଙ୍କୁ ଦଳରୁ ବାହାର କରାଯାଇଥିଲା। ପରେ ଦିନିକିଆରେ ଲୟକୁ ଫେରିଥିଲେ। ହେଲେ ତାଙ୍କ ବ୍ୟାଟ୍‌ ଯେତିକି ଗର୍ଜନ କରିବା କଥା ସେଭଳି ହୋଇନାହିଁ। ତେଣୁ ଇମ୍ପାକ୍ଟ ପ୍ଲେୟାର ରାହୁଲଙ୍କୁ ଟିକେ ସାହସ ଯୋଗାଇପାରିବ। ଅମିତ ମିଶ୍ରାଙ୍କ ଭଳି ବୋଲରଙ୍କୁ ମାର୍ଶ କିମ୍ବା ପାୱେଲଙ୍କ ବିପକ୍ଷରେ ବୋଲିଂ କରାଇ ଖେଳ ଉପରେ ନିୟନ୍ତ୍ରଣ ଆଣିପାରିବେ। ଏହାବାଦ୍‌ ମଧ୍ୟକ୍ରମରେ କୃନାଲ ପାଣ୍ଡ୍ୟା, ଆୟୁଷ ବାଦୋନି, ଦୀପକ ହୁଦାଙ୍କ ଉପରେ ମଧ୍ୟ ଦଳ ନର୍ଭର କରିବ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ: ଡେଭିଡ୍‌ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ସ’, ମିଚେଲ୍‌ ମାର୍ସ, ମନୀଷ ପାଣ୍ଡେ, ରୋଭମାନ ପାୱେଲ, ରିଲି ରୁଷୋ, ସର୍ଫରାଜ ଖାନ୍‌, ଫିଲ୍ ସଲ୍‌ଟ, ଅଭିଷେକ ପୋରେଲ୍‌, ଅକ୍ଷର ପଟେଲ, କୁଲଦୀପ ଯାଦବ, ଲଳିତ ଯାଦବ, ରିପଲ ପଟେଲ, ଇଶାନ୍ତ ଶର୍ମା, ଚେତନ ସାକାରିଆ, ଖଲିଲ ଅହମଦ, ଅମନ ହାକିମ୍‌ ଖାନ୍‌, ପ୍ରବୀଣ ଦୁବେ, କମଳେଶ ନାଗରକୋଟି, ୟାଶ ଧୂଲ, ମୁକେଶ କୁମାର, ଭିକି ଓସ୍ତୱାଲ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଦଳ: କେଏଲ୍‌ ରାହୁଲ (ଅଧିନାୟକ), କାଇଲ୍‌ ମାୟର୍ସ, ଦୀପକ ହୁଦା, କୃନାଲ ପାଣ୍ଡ୍ୟା, ଅମିତ ମିଶ୍ରା, ନିକୋଲାସ ପୂରନ, ନବୀନ ଉଲ୍‌ହକ୍‌, ଆୟୁଷ ବାଦୋନି, ଆୱେଶ ଖାନ୍‌, କରଣ ଶର୍ମା, ଯୁଦ୍ଧବୀର ଚରକ, ୟାଶ ଠାକୁର, ରୋମାରିଓ ସେଫର୍ଡ, ମାର୍କ ଉଡ୍‌, ସ୍ବପ୍ନିଲ୍‌ ସିଂହ, ମନନ ଭୋରା, ଡାନିଏଲ୍‌ ସାମ୍ସ, ପ୍ରେରକ ମଙ୍କଡ଼, କୃଷ୍ଣାପ୍ପା ଗୌତମ, ଜୟଦେବ ଉନାଦ୍‌କଟ୍‌, ମାର୍କସ ଷ୍ଟୋଇନିସ୍‌, ରବି ବିଷ୍ଣୋଇ, ମୟଙ୍କ ଯାଦବ।

ସମ୍ବନ୍ଧିତ ଖବର