ଦୁବାଇ : ଜାସନ୍ ହୋଲଡରଙ୍କ ପ୍ରଥମ ମ୍ୟାଚ୍‌ ପ୍ରଭାବ ଏବଂ ମନୀଷ ପାଣ୍ଡେଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ହାଇଦ୍ରାବାଦ ଗୁରୁବାର ପରାଜୟ ଧାରାକୁ ଭାଙ୍ଗିଛି। ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟରେ ହରାଇ ସପ୍ତମରୁ ପଞ୍ଚମ ସ୍ଥାନକୁ ଡିଆଁ ମାରିଛି। ଦଶମ ମ୍ୟାଚ୍‌ରୁ ଡେଭିଡ୍‌ ୱାର୍ନରଙ୍କ ଦଳ ଚତୁର୍ଥ ବିଜୟ ସହ ପ୍ଲେ ଅଫ୍‌ ଆଶାକୁ ଉଜ୍ଜୀବିତ ମଧ୍ୟ କରିଛି। ଅନ୍ୟ ପକ୍ଷରେ ଏକାଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରି ଷ୍ଟିଭେନ୍ ସ୍ମିଥ୍‌ଙ୍କ ଦଳ ବିଦାୟ ମୁହାଁ ହୋଇଛି।

Advertisment

ଦୁଇ ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଅଧୀନରେ ଥିବା ଦଳର ଗୁରୁବାର ମୁକାବିଲା ଚମତ୍କାର ହେବ ବୋଲି ଆଶା କରାଯାଉଥିଲା। ଏହି ମ୍ୟାଚ୍‌ରେ ଏକାଧିକ ଇଂଲଣ୍ଡ ଖେଳାଳି ମଧ୍ୟ ପରସ୍ପରରକୁ (ଜୋସ ବଟ୍ଟଲର, ବେନ୍ ‌ଷ୍ଟୋକ୍ସ, ଜୋର୍ଫା ଆର୍ଚର ବନାମ ଜନି ବେୟାରଷ୍ଟୋ) ମୁହାଁମହିଁ ସ୍ଥିତିରେ ଦେଖିଥିଲେ। ଡେଭିଡ୍ ୱାର୍ନର ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି‌ ନେଇଥିଲେ। ପ୍ରଥମ ସଂସ୍କରଣ ବିଜେତା ରୟାଲ୍ସ ପାଇଁ ରବିନ୍‌ ଉଥପ୍ପା (୧୯, ୧୩ ବଲ୍‌) ଏବଂ ବେନ୍ ଷ୍ଟୋକ୍ସ (୩୦, ୩୨ ବଲ୍‌) ଭଲ ଆରମ୍ଭ ବି କରିଥିଲେ। ଭଲ ଖେଳି ଆସୁଥିବା ରବିନ୍‌ ଉଥପ୍ପା ନିଜ ଭୁଲ ପାଇଁ ରନ୍‌ ଆଉଟ୍ ହୋଇଯିବା ପରେ ବେନ୍ ଷ୍ଟୋକ୍ସଙ୍କୁ ରସିଦ୍‌ ଖାନ୍ ବୋଲ୍ଡ କରି ଦେଇଥିଲେ। ସଂଜୁ ସାମସନ୍ (୩୬, ୨୬ ବଲ୍‌) ମଧ୍ୟ ଭଲ ଖେଳି ଆସୁଥିବା ବେଳେ ଜାସନ୍ ହୋଲ୍ଡରଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ‌ଜୋସ୍ ବଟ୍ଟଲର୍ (୯), ଷ୍ଟିଭେନ୍ ସ୍ମିଥ୍‌ (୧୯, ୧୫ ବଲ୍‌), ରିୟାନ୍ ପରାଗ (୨୦, ୧୨ ବଲ୍‌) ପ୍ରମୁଖ ବଡ଼ ପାଳି ଖେଳିପାରିନଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡର ବୋଲିଂରେ ପ୍ରଭାବୀ ପ୍ରଦର୍ଶନ (୪-୦-୩୩-୩) କରିଥିଲେ। ରସିଦ୍‌ ଖାନ୍‌ (୪-୦-୨୦-୧) ଏବଂ ବିଜୟ ଶଙ୍କର (୩-୦-୧୫-୧) ମିତ୍ତବ୍ୟୟୀ ବୋଲିଂ କରିଥିଲେ।

ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ପାୱାର ପ୍ଲେ ଭିତରେ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱାର୍ନର ଏବଂ ଜନି ବେୟାରଷ୍ଟୋଙ୍କୁ ଇଂଲିସ୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଏହା ପରେ କିନ୍ତୁ ଦୁଇ ଭାରତୀୟ ତାରକା ମନୀଷ ପାଣ୍ଡେ (୮୩*, ୪୭ ବଲ) ଏବଂ ବିଜୟ ଶଙ୍କର (୫୨*, ୫୧ ବଲ) ଅତୁଟ ତୃତୀୟ ୱିକେଟରେ ୧୪୦* ରନ୍ ଯୋଡ଼ି ବିଜୟକୁ ଏକତରଫା କରି ଦେଇଥିଲେ। ବିଜୟ ଶଙ୍କର ପାଳି ଗଢ଼ିବାରେ ଲାଗି ପଡ଼ିଥିବାବେଳେ ପାଣ୍ଡେ ନିଜ ପ୍ରହାର କରିଥିଲେ। ପାଣ୍ଡେ ମାତ୍ର ୨୮ ବଲରୁ ତାଙ୍କ ଚଳିତ ଋତୁର ତୃତୀୟ ଅର୍ଧଶତକ ହାସଲ କରିଥିଲେ। ବିଜୟ ଶଙ୍କର କିନ୍ତୁ ଦିନିକିଆ ଷ୍ଟାଇଲରେ ଖେଳି ୫୧ ବଲରୁ ୫୦ ପୂର୍ଣ୍ଣ କରିଥିଲେ। କାର୍ତ୍ତିକ ତ୍ୟାଗୀଙ୍କୁ ଚୌକା ମାରି ଶଙ୍କର ମଧ୍ୟ ନିଜ ପଞ୍ଚମ ମ୍ୟାଚ୍‌ରୁ ପ୍ରଥମ ଅର୍ଧଶତକ ସ୍ପର୍ଶ ପାଇଥିଲେ। ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ହାଇଦ୍ରାବାଦ ୧୧ ବଲ୍ ପୂର୍ବରୁ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।