ଇତିହାସ ରଚି‌ଲେ ୱାର୍ନର, ୫୦+ ସ୍କୋର୍‌ କରିବାରେ ଅର୍ଧଶତକ

ଦୁବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ତଥା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ନର ଗୁରୁବାର ଆଇପିଏଲ୍‌ରେ ନୂଆ ଇତିହାସ ରଚିଛନ୍ତି। ୫୦+ ‌ସ୍କୋର୍‌ କରିବାରେ ଅର୍ଧଶତକ ପୂରଣ କରି ସେ ଏହି ଲୋଭନୀୟ ଲିଗ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ୱାର୍ନର (୧୩୨ ମ୍ୟାଚ୍‌, ୪ ଶତକ, ୪୬ ଅର୍ଧଶତକ) ୫୦ ଥର ୫୦+ ସ୍କୋର୍‌ କରିବାର ଗୌରବ ବହନ କରିଛନ୍ତି। ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ଗୁରୁବାର ମ୍ୟାଚ୍‌ରେ ୫୨ ରନ୍‌ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ପଞ୍ଜାବ ବିପକ୍ଷରେ ଏହା ମଧ୍ୟ ୱାର୍ନରଙ୍କର କ୍ରମାଗତ ନବମ ଏବଂ ମୋଟ ୧୧ତମ ୫୦+ ସ୍କୋର୍‌। ପୁଣି ଚଳିତ ସଂସ୍କରଣରେ ଏହା ତାଙ୍କର ଦ୍ବିତୀୟ ଅର୍ଧଶତକ। ୱାର୍ନରଙ୍କ ପଛକୁ ଆଇପିଏଲ୍‌ରେ ସବୁଠୁ ଅଧିକ ଥର ୫୦+ ସ୍କୋର୍‌ ତାଲିକା‌ରେ ବିରାଟ କୋହଲି (୧୮୨ ମ୍ୟାଚ୍‌, ୫ ଶତକ, ୩୭ ଅର୍ଧଶତକ) ୪୨, ସୁରେଶ ରାଇନା (୧୯୩ ମ୍ୟାଚ୍‌, ୧ ଶତକ, ୩୮ ଅର୍ଧଶତକ) ୩୯, ରୋହିତ ଶର୍ମା (୧୯୪ ମ୍ୟାଚ୍‌, ୧ ଶତକ, ୩୮ ଅର୍ଧଶତକ) ୩୯ ଏବଂ ଏବି ଡି’ଭିଲିୟର୍ସ (୧୫୯ ମ୍ୟାଚ୍‌, ୩ ଶତକ, ୩୫ ଅର୍ଧଶତକ) ୩୮ ରହିଛନ୍ତି।

ସମ୍ବନ୍ଧିତ ଖବର