ମାଳଦ୍ବୀପରେ ୱାର୍ଣ୍ଣର-ସ୍ଲେଟର ମାରପିଟ୍, ଉଭୟଙ୍କ ଖଣ୍ଡନ

ମାଲେ: ଆଇପିଏଲ୍-୨୦୨୧ ଅଧାରୁ ବନ୍ଦ ହେବା ପରେ ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ଛାଡ଼ି ସଂପ୍ରତି ମାଳଦ୍ବୀପରେ ଅବସ୍ଥାନ କରୁଛନ୍ତି। ନିକଟରେ ଭାରତ ଗସ୍ତ କରିଥିବା ନିଜ ଦେଶର ନାଗରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଉପରେ ଅଷ୍ଟ୍ରେଲିଆ ସରକାର ବାସନ୍ଦାଦେଶ ଜାରି କରିଥିବାରୁ ଏହି ଭାରତୀୟ ମହାସାଗରୀୟ ଦେଶରେ ସେମାନଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ବିସିସିଆଇ ସଙ୍ଗ‌ରୋଧରେ ରହିବାର ବ୍ୟବସ୍ଥା କରିଛନ୍ତି। ତେବେ ସେଠାରୁ ରବିବାର ଏକ ଅପ୍ରୀତିକର ଖବର ପଦାକୁ ଆସିଛି।

ସନ୍‌ରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ କ୍ରିକେଟରରୁ ଭାଷ୍ୟକାର ପାଲଟିଥିବା ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟ୍ ତାରକା ମାଇକେଲ୍ ସ୍ଲେଟର ସେଠାକାର ଏକ ନାଇଟ୍ କ୍ଲବ୍‌ରେ ମଦ୍ୟପାନ କରି ହାତାହତି ହୋଇଥିବାର ସୂଚନା ମିଳିଛି। ଯାହା କ୍ରିକେଟ୍ ଅଷ୍ଟ୍ରେଲିଆ ସହ ମାଳଦ୍ବୀପରେ ଅଷ୍ଟ୍ରେଲିଆ ଖେଳାଳି (ଯେଉଁମାନେ ଆଇପିଏଲ୍ ଖେଳୁଥିଲେ)ଙ୍କ ରହିବା ବ୍ୟବସ୍ଥା କରିଥିବା ବିସିସିଆଇ ଅଡ଼ୁଆରେ ପଡ଼ିଛି। କ୍ରିକେଟ୍ ଅଷ୍ଟ୍ରେଲିଆର ଭାବମୂର୍ତ୍ତୀ ମଧ୍ୟ କ୍ଷୁଣ୍ଣ ହୋଇଛି। ଏହି ଘଟଣା ମାଳଦ୍ବୀପର ମାଲେସ୍ଥିତ ତାଜ କୋରାଲ ରିସୋର୍ଟରେ ଘଟିଛି। ଏହି ହୋଟେଲରେ ଉଭୟ ୱାର୍ଣ୍ଣର ଓ ସ୍ଲେଟର ସଙ୍ଗରୋଧରେ ରହିଛନ୍ତି। ଉଭୟ ରାତ୍ରିଭୋଜନ ପାଇଁ ହୋଟେଲ ରେଷ୍ଟୁରାଣ୍ଟକୁ ଯାଇଥିଲା ବେଳେ ପରସ୍ପର ମଧ୍ୟରେ କୌଣସି କଥା ନେଇ ଭୀଷଣ ଯୁକ୍ତିତର୍କ ହୋଇଥିଲା। ଏପରିକି ଉଭୟ ପରସ୍ପରକୁ ଆକ୍ରମଣ କରିବା ସହ ପରସ୍ପର ମୁହଁକୁ ମୁଥ ମାରିଥିଲେ।

ଉଭୟଙ୍କ ଖଣ୍ଡନ
ଘଟଣା ପଦାକୁ ଆସିବା ପରେ କିନ୍ତୁ ଦୁଇ ଜଣଯାକ ଏଭଳି କୌଣସି ଘଟଣା ଘଟିନଥିଲା ବୋଲି କହିଛନ୍ତି। ସ୍ଲେଟର କହିଛନ୍ତି ଯେ ଏହା ଏକ ଗୁଜବ। ଏଭଳି କୌଣସି ଅଶୋଭନୀୟ ଘଟଣା ଆଦୌ ଘଟିନି। ଡେଭି (ୱାର୍ଣ୍ଣର) ଓ ମୁଁ ବହୁତ ଭଲ ବନ୍ଧୁ, ଏଣୁ ଆମ ଭିତରେ ଲଢ଼େଇ ହେବାର ପ୍ରଶ୍ନ ଉଠୁନାହିଁ। ୱାର୍ଣ୍ଣର ମଧ୍ୟ ଏହି ଘଟଣାକୁ ଖଣ୍ଡନ କରିଛନ୍ତି। ଅଷ୍ଟ୍ରେଲୀୟ ୱେବସାଇଟ୍ ଫକ୍ସସ୍ପୋର୍ଟସ ଡଟ୍ କମ୍‌କୁ ଦେଇଥିବା ସାକ୍ଷାତaକାରରେ ସେ କହିଛନ୍ତି ଯେ ଏଭଳି କିଛି ହୋଇନି। ମୁଁ ବୁଝି ପାରୁନି ଏହି ଗୁଜବ କିଏ ସୃଷ୍ଟି କରିଛି। ଆପଣଙ୍କ ପାଖରେ ଏହାର କୌଣସି ପ୍ରମାଣ ଅଛି କି? ଯଦି ନାହିଁ ତାହାଲେ ଏଭଳି କହିବା ଆଦୌ ଠିକ୍ ନୁହେଁ।

ସୂଚନାଯୋଗ୍ୟ ଯେ ସଂପ୍ରତି ମାଳଦ୍ବୀପରେ ୩୯ ଜଣ ଅଷ୍ଟ୍ରେଲୀୟ (ଖେଳାଳି, ଅମ୍ପାୟାର, ଅଧିକାରୀ, ଭାଷ୍ୟକାର ଆଦିଙ୍କୁ ମିଶାଇ) ସଙ୍ଗରୋଧରେ ରହିଛନ୍ତି। ସମସ୍ତେ ଭାରତରୁ ସ୍ବତନ୍ତ୍ର ବିମାନ ଯୋଗେ ମାଳଦ୍ବୀପ ପହଞ୍ଚିଛନ୍ତି। ଏହା ପୂର୍ବରୁ ସ୍ଲେଟର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ଙ୍କ ସୀମା ସିଲ୍ ନୀତିକୁ କଡ଼ା ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ସେ ଦେଇଥିବା ମୋରିସନଙ୍କ ହାତରେ ରକ୍ତଛିଟା ମନ୍ତବ୍ୟ ବେଶ୍ ଭାଇରାଲ ବି ହୋଇଥିଲା। ମୋରିସନ୍ ମଧ୍ୟ ଏଥିଲାଗି ତାଙ୍କୁ ଖୋଲା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର