ଇଂଲଣ୍ଡ ବାଟରେ ବର୍ଷା, ଓ୍ଵାର୍ନର ଓ ସ୍ମିଥ୍‌

ମେଲ୍‌ବର୍ନ: ଏମ୍‌ସିଜିରେ ଚାଲିଥିବା ଚତୁର୍ଥ ଆସେସ୍‌ ଟେଷ୍ଟ୍‍ରେ ବିଜୟ ପାଇଁ ଇଂଲଣ୍ଡ ପକାଇଥିବା ଚାପକୁ ବର୍ଷା, ଡେଭିଡ୍‌ ଓ୍ଵାର୍ନର ଏବଂ ଷ୍ଟିଭେନ୍‌ ସ୍ମିଥ୍‌ ଏକପ୍ରକାର ନିଷ୍ଫଳ କରି ଦେଇଛନ୍ତି। ବିଶେଷ କରି ବର୍ଷା କାରଣରୁ ଚତୁର୍ଥ ଦିନ ମାତ୍ର ୪୪ ଓଭର ଖେଳ ହେବା ହିଁ ମ୍ୟାଚ୍‌କୁ ଅମୀମାଂସିତ ମୁହାଁ କରିଛି। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିଛି। ହାତରେ ୮ ଓ୍ଵିକେଟ୍‌ ଥାଇ ଘରୋଇ ଦଳ ମାତ୍ର ୬୧ ରନ୍‌ ପଛୁଆ ଥିବାରୁ ମ୍ୟାଚ୍‌ରୁ ଫଳାଫଳ ବାହାରିବା ନେଇ ଆଶା ପ୍ରାୟ ମଉଳିଯାଉଛି। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ୧୬୦ରୁ ଊର୍ଧ୍ୱ ରନ୍‌ ପଛୁଆ ରହିବା ପରେ ମାତ୍ର ୭ ଥର ପରାଜୟରୁ ବର୍ତିଛି। ଶେଷ ଥର ପାଇଁ ସଂଯୋଗ ବଶତଃ ୧୯୬୫ରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଏଭଳି ଘଟିଥିଲା। କିନ୍ତୁ ମୋଟ ଉପରେ ୨୧ ଥର ହାରିଛି।

ଶୁକ୍ରବାର ଇଂଲଣ୍ଡ ୪୯୧/୯ରୁ ଖେଳିବା ପରେ ସକାଳର ପ୍ରଥମ ବଲ୍‌ରେ ଆଣ୍ଡରସନ୍‌ଙ୍କୁ ଶେଷ ଓ୍ଵିକେଟ୍‌ ରୂପରେ ହରାଇଥିଲା। କମିନ୍‌ସ ତାଙ୍କୁ ଚତୁର୍ଥ ଶିକାର କରିଥିଲେ। ଆଲେଷ୍ଟର୍‌ କୁକ୍‌ (୨୪୪*, ୪୦୯ ବଲ୍‌, ୨୭ ଚୌକା) ୨୦ ବର୍ଷ ପରେ ପ୍ରଥମ ଏବଂ ମୋଟ ଉପରେ ଅଷ୍ଟମ ଇଂଲିସ୍‌ ଖେଳାଳିଭାବେ ପାଳି ସାରା ବ୍ୟାଟିଂ କରିଥିଲେ। ୧୯୯୬-୯୭ରେ ଶେଷ ଥର ପାଇଁ କ୍ରାଏଷ୍ଟଚର୍ଚ ଟେଷ୍ଟ୍‍ରେ ମାଇକ୍‌ ଆଥରଟନ୍‌ ପାଳି ସାରା ବ୍ୟାଟିଂ କରିଥିଲେ। ସେହିଭଳି କୁକ୍‌ ମଧ୍ୟ ସମ୍ପୂର୍ଣ୍ଣ ପାଳି ବ୍ୟାଟିଂ କରି ଅପରାଜିତ ରହିବାରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ହାସଲକାରୀ ଗ୍ଲେନ୍‌ ଟର୍ନର (୨୨୩ ବନାମ େଓ୍ଵଷ୍ଟଇଣ୍ଡିଜ୍‌, ୧୯୭୨)ଙ୍କୁ ପଛରେ ପକାଇଥିଲେ। ଶେଷ ଥର ପାଇଁ ଏକ ଆସେସ୍‌ ଟେଷ୍ଟ୍‍ରେ ୧୯୭୯ରେ ଜିଓଫ୍ରେ ବୟକଟ୍‌ (୯୯) ପର୍ଥରେ ପାଳି ସାରା ବ୍ୟାଟିଂ କରିଥିଲେ।

ପ୍ରଥମ ପାଳିରେ ୧୬୪ ରନ୍‌ ପଛରେ ରହି ଦ୍ୱିତୀୟ ପାଳି ଖେଳିଥିବା ଅଷ୍ଟ୍ରେଲିଆ ୬୫ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ଦେଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ କିନ୍ତୁ ବର୍ଷା ଦ୍ୱିତୀୟ ଥର ପ୍ରତିବଂଧକ ସହିତ ୪୩.୫ ଓଭରରେ ୧୦୩/୨ ସ୍କୋର୍‌କୁ ଆଗକୁ ବଢ଼ିବାକୁ ଦେଇ ନ ଥିଲା। ସେତେବେଳକୁ ଡେଭିଡ୍‌ ଓ୍ଵାର୍ନର (୪୦*, ୧୪୦ ବଲ୍‌) ଏବଂ ଷ୍ଟିଭେନ୍‌ ସ୍ମିଥ୍‌ (୨୫*, ୬୭ ବଲ୍‌) ଲଢ଼େଇ ଜାରି ରଖିଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୭ (ଡେଭିଡ୍‌ ଓ୍ଵାର୍ନର-୧୦୩, ଷ୍ଟିଭେନ୍‌ ସ୍ମିଥ୍‌-୭୬, ସନ୍‌ ମାର୍ସ-୬୧, ଷ୍ଟୁଆର୍ଟ ବ୍ରଡ୍‌-୪/୫୧, ଜେମ୍‌ସ ଆଣ୍ଡରସନ୍‌-୩/୬୧, କ୍ରିସ୍‌ ଓ୍ଵକ୍‌ସ-୨/୭୨)। ଇଂଲଣ୍ଡ ପ୍ରଥମ ପାଳି: ୧୪୪.୧ ଓଭରରେ ୪୯୧ (ଆଲେଷ୍ଟର୍‌ କୁକ୍‌-୨୪୪*, ଜୋ ରୁଟ୍‌-୬୧, ଷ୍ଟୁଆର୍ଟ ବ୍ରଡ୍‌-୫୬, କମିନ୍‌ସ-୪/୧୧୭, ହାଜେଲ୍‌ଉଡ୍‌-୩/୯୫, ଲିଅନ୍‌-୩/୧୦୯)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୧୦୩/୨ (ବନ୍‌କ୍ରଫ୍ଟ-୨୭, ଓ୍ଵାର୍ନର-୪୦*, ସ୍ମିଥ୍‌-୨୫*,ଆଣ୍ଡରସନ୍‌-୧/୨୦, ଓ୍ଵକ୍‌ସ-୧/୨୪)।

କୁକ୍‌ କୀର୍ତ୍ତିମାଳା

ଆଲେଷ୍ଟର କୁକ୍‌ (୨୪୪*) ଅର୍ଜନ କରିଥିବା ଜାଜ୍ଜୁଲ୍ୟମାନ ଦ୍ୱିଶତକ ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେଇଛି। ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯିବା ସହ ଏବେ ବି ତାଙ୍କ ବ୍ୟାଟ୍‌ରେ ପ୍ରଖର ଧାର ଥିବା କୁକ୍‌ ପୁଣି ଥରେ ପ୍ରମାଣିତ କରି ଦେଇଛନ୍ତି। ଶକ୍ତିଶାଳୀ କଙ୍ଗାରୁ ବୋଲିଂ ବାହିନୀ ସହ କଷ୍ଟକର ପିଚ୍‌ରେ ଦ୍ୱିଶତକ ଅର୍ଜନ କରି ସେ କେବଳ ଇଂଲଣ୍ଡକୁ ଆଶା ଦେଇ ନାହାନ୍ତି। ଆଷ୍ଟ୍ରେଲିଆର ମୁଳପୋଛ ଅଭିଯାନ ଆଗରେ ଏକ ବିରାଟ ପାଚେରୀ ପକାଇ ଦେଇଛନ୍ତି। ଗୁରୁବାର ଦ୍ୱିଶତକ ଥିଲା କୁକ୍‌ଙ୍କ ଖେଳ ଜୀବନର ପଞ୍ଚମ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ। ଏଭଳି କମାଲ କରି ସେ ଏକାଥରକେ ଅନେକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।
ଆଲେଷ୍ଟର କୁକ୍‌ ଏକାଦଶ ଥର ପାଇଁ ୧୫୦ରୁ ଅଧିକ ରନ୍‌ କଲେ। ଏହା କରି ସେ ଓ୍ଵାଲି ହାମଣ୍ଡ (୧୦), ଲେନ୍‌ ହଟନ୍‌ (୧୦) ଏବଂ କେଭିନ ପିଟରସନ (୧୦)ଙ୍କୁ ଅତିକ୍ରମ କଲେ।
ଅଷ୍ଟ୍ରେଲିଆରେ ଦୁଇ କିମ୍ବା ତା’ଠାରୁ ଅଧିକ ଦ୍ୱିଶତକ ଅର୍ଜନ କରିବାରେ ବ୍ରାଏନ ଲାରା ଏବଂ ଓ୍ଵାଲି ହାମଣ୍ଡଙ୍କ ପରେ କୁକ୍‌ ତୃତୀୟ ଖେଳାଳି ହେଲେ।
ଐତିହାସିକ ଏମ୍‌ସିଜି (ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ)ରେ କୁକ୍‌ ସର୍ବାଧିକ ବ୍ୟକ୍ତିଗତ ରନ୍‌ ହାସଲ କଲେ। ଏହା କରି ସେ େଓ୍ଵଷ୍ଟଇଣ୍ଡିଜର ମହାନ ଖେଳାଳି ଭିଭିଆନ୍‌ ରିଚାର୍ଡସ (୨୦୮)ଙ୍କୁ ଟପିଲେ।
ଚଳିତ ବର୍ଷ କୁକ୍‌ ଦ୍ୱିତୀୟ ଦ୍ୱିଶତକ ଅର୍ଜନ କଲେ। ସେ ମଧ୍ୟ ଚଳିତ ବର୍ଷର ସର୍ବାଧିକ ବ୍ୟକ୍ତିଗତ ରନ୍‌ ହାସଲକାରୀ ହେଲେ। ଏହା କରି ସେ ନିଜର ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି କରିଥିବା ୨୪୩ ରନ୍‌କୁ ଟପିଗଲେ।
ଚଳିତ ବର୍ଷ ଦୁଇଟି ଦ୍ୱିଶତକ ହାସଲ କରିବାରେ କୋହଲିଙ୍କ ପରେ କୁକ୍‌ ଦ୍ୱିତୀୟ ଖେଳାଳି ହେଲେ।
ଅଷ୍ଟ୍ରେଲିଆର ପ୍ରମୁଖ ପାଞ୍ଚଟି କ୍ରିକେଟ୍‌ ପଡ଼ିଆ ଯଥା ଗାବା (ବ୍ରିସବନ୍‌), ଆଡିଲେଡ୍‌ ଓଭାଲ, ଓ୍ଵାକା (ପର୍ଥ), ଏମ୍‌ସିଜି ଏବଂ ସିଡନି କ୍ରିକେଟ୍‌ ପଡ଼ିଆ ମଧ୍ୟରୁ କୁକ୍‌ ଏବେ ଦୁଇଟି ପଡ଼ିଆରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କଲେ। ଏହି ଦୁଇଟି ପଡ଼ିଆ ହେଲା ଏମସିଜି ଏବଂ ଗାବା।

ସମ୍ବନ୍ଧିତ ଖବର