ଜାନୁଆରିରେ ଟେଷ୍ଟ୍‌ କ୍ରିକେଟ୍‌ ଛାଡ଼ିବାକୁ ଚାହାନ୍ତି ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ୱାର୍ଣ୍ଣର ଆସନ୍ତା ଜାନୁଆରିରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ସିଡ୍‌ନି କ୍ରିକେଟ୍‌ ପଡ଼ିଆ (ଏସ୍‌ସିଜି)ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ତାଙ୍କର ‌ବିଦାୟୀ ମ୍ୟାଚ୍‌ ହେଉ ବୋଲି ସେ ଆଗ୍ରହ ଦେଖାଇଛନ୍ତି। ଏବେ ୱାର୍ଣ୍ଣର ଡବ୍ଲୁଟିସି ଫାଇନାଲ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ନିଜ ଭବିଷ୍ୟତ ସଂକ୍ରାନ୍ତରେ ଏହି ପ୍ରତିକ୍ରିୟା ରଖିଛନ୍ତି। କିଛି ଦିନ ଧରି ସେ ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ତେଣୁ ଦଳରେ ସ୍ଥାୟୀ ଭାବେ ରହିବାକୁ ହେଲେ ନିୟମିତ ରନ୍‌ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ତାଙ୍କ ମତରେ ୨୦୨୪ ଟେଣ୍ଟି-୨୦ ବିଶ୍ବକପ୍‌ ତାଙ୍କର ଶେଷ ଆବିର୍ଭାବ ହେବ।

ଭାରତ ବିପକ୍ଷ ଡବ୍ଲୁଟିସି ଫାଇନାଲ୍‌ ଖେଳିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ୍‌ ଶୃଙ୍ଖଳା ପାଇଁ ତାଙ୍କୁ ଚୟନ କରାଯାଇଛି। ଆସେସ୍‌ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ୱାର୍ଣ୍ଣରଙ୍କ ନାମ ତାଲିକାରେ ଥିବା ବେଳେ ମାର୍କସ ହାରିସ୍‌ ଓ ମ୍ୟାଟ୍‌ ରେନସ ବକଳ୍ପ ଖେଳାଳି ଭାବେ ରହିଛନ୍ତି। ଏଥିପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫିରେ ୱାର୍ଣ୍ଣରଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଥିଲା। ତିନୋଟି ପାଳିରୁ ମାତ୍ର ୨୬ ରନ୍ ସେ ସଂଗ୍ରହ କରିଥିଲେ। ଚଳିତ ବର୍ଷ ଶେଷ ଆଡ଼କୁ ପାକିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ ଏବଂ ଶେଷ ମ୍ୟାଚ୍‌ ସିଡ୍‌ନିରେ ଜାନୁଆରି ୩ ତାରିଖରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର