ନୂଆଦିଲ୍ଲୀ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପରବର୍ତ୍ତୀ ଦୁଇ ଟେଷ୍ଟରୁ ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓହରିଯାଇଛନ୍ତି। ତାଙ୍କ କହୁଣି ପାଖରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ସିଡ୍ନି ଫେରିଛନ୍ତି। ତେବେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବା ପୂବର୍ରୁ ସେ ପୁଣି ଥରେ ଦଳ ସହିତ ଯୋଡ଼ିହେବେ ବୋଲି ସୂଚନା ମିଳିଛି। ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିନରେ ମହମ୍ମଦ ସିରାଜଙ୍କ ଏକ ବାଉନ୍ସରରେ ୱାର୍ଣ୍ଣରଙ୍କ ବାମ ହାତ କହୁଣି ପାଖରେ ସାମାନ୍ୟ ଆଘାତ ଲାଗିଥିଲା। ଦୁଇ ଓଭର ପରେ ପୁଣି ଥରେ ବଲ୍ ତାଙ୍କ ହେଲ୍ମେଟ୍ରେ ବାଜିବାରୁ କିଛି ସମୟ ପରେ ସେ ଆଉଟ୍ ହୋଇଯାଇଥିଲେ। ହେଲେ ତାଙ୍କର କହୁଣି ପାଖ ଆଘାତର ତୁରନ୍ତ ଚିକିତ୍ସା କରାନଗଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଥିଲା। ତଥାପି ସୋମବାର ତାଙ୍କର ପରୀକ୍ଷା କରାଯିବା ପରେ ଦଳ ପକ୍ଷରୁ ଔପଚାରିକ ଭାବେ ତାଙ୍କୁ ପରବର୍ତ୍ତୀ ଦୁଇ ମ୍ୟାଚ୍ରୁ ବାଦ୍ ଦିଆଯାଇଥିଲା। ତେବେ ୱାର୍ଣ୍ଣରଙ୍କ ବଦଳରେ କୌଣସି ନୂଆ ଖେଳାଳିଙ୍କୁ ନେବାକୁ ଦଳ ଆଗ୍ରହ ଦେଖାଇନାହିଁ। ତାଙ୍କ ଅନୁପସ୍ଥିତିରେ ଟ୍ରାଭିସ୍ ହେଡ୍ ପାଳି ଆରମ୍ଭ କରିବେ।
ଦିଲ୍ଲୀ ଟେଷ୍ଟରେ ଶୀର୍ଷକ୍ରମରେ ହେଡ୍ ବ୍ୟାଟିଂ କରିଥିଲା ବେଳେ ୪୩ ରନ୍ ସଂଗ୍ରହ କରିଥିଲେ। ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଦୁଇଥର ପାଳି ଆରମ୍ଭ କରିଛନ୍ତି। କିନ୍ତୁ ହେଡ୍ ଦୀର୍ଘ ସମୟ ପାଇଁ ଏହି ସ୍ଥାନରେ ବ୍ୟାଟିଂ କରିବେନି ବୋଲି ପ୍ରଶିକ୍ଷକ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ କହିଛନ୍ତି। ଅନ୍ୟପକ୍ଷରେ ଇନ୍ଦୋରରେ ଖେଳିବା ପାଇଁ କାମେରୁନ୍ ଗ୍ରିନ୍ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଲେଣି। ଜୋସ୍ ହାଜେଲ୍ଉଡ୍ଙ୍କୁ ଅଷ୍ଟ୍ରେଲିଆ ପ୍ରଥମରୁ ହରାଇସାରିଛି। ତାଙ୍କ ସ୍ଥାନରେ ସୁସ୍ଥ ହୋଇଥିବା ମିଚେଲ୍ ଷ୍ଟାର୍କ ଖେଳିବା ନିଶ୍ଚିତ ହୋଇଛି। ସେହିପରି ପାରିବାରିକ କାମରେ ଅଷ୍ଟ୍ରେଲିଆ ଫେରିଥିବା ମିଚେଲ୍ ସ୍ବିପସନ୍ ଓ ଅଧିନାୟକ ପ୍ୟାଟ୍ କମିନ୍ସ ଚଳିତ ସପ୍ତାହ ଶେଷ ଆଡ଼କୁ ଭାରତ ଫେରିଆସିବେ ବୋଲି ଜଣାପଡ଼ିଛି।
ସେହବାଗଙ୍କୁ ଟପିଲେ କୋହଲି
ନୂଆଦିଲ୍ଲୀ: ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ସ୍ଥାନୀୟ ତାରକା ବିରାଟ କୋହଲିଙ୍କୁ ପ୍ରତି ରନ୍ ସଂଗ୍ରହ ବେଳେ ଦର୍ଶକମାନେ ଉତ୍ସହିତ କରୁଥିଲେ। ଏକ ସ୍ଲୋ-ଟର୍ଣ୍ଣିଂ ଟ୍ରାକ୍ରେ ସ୍ପିନରଙ୍କ ଆଧିପତ୍ୟ ମଧ୍ୟରେ ରନ୍ ସଂଗ୍ରହ କରିବାକୁ ବ୍ୟାଟରମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା ବେଳେ କୋହଲି ପ୍ରଥମ ପାଳିରେ ୪୪ ଏବଂ ଦ୍ବିତୀୟ ପାଳିରେ ୨୦ ରନ୍ କରିଥିଲେ। ଭାରତ ଏହି ଟେଷ୍ଟ୍କୁ ୩ ଦିନ ମଧ୍ୟରେ ଜିତି ନେଇଥିଲା। ତେବେ ଏହି ଟେଷ୍ଟ୍ ଅବସରରେ କୋହଲି ଏକ ମାଇଲଖୁଣ୍ଟ ଛୁଇଁଥିଲେ। ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ କୋହଲି ପୂର୍ବତନ ଭାରତୀୟ ଓପ୍ନର ବୀରେନ୍ଦ୍ର ସେହବାଗ୍ଙ୍କୁ ଟପି ଯାଇଥିଲେ। ବର୍ଡର-ଗାଭାସ୍କର ଟ୍ରଫିରେ ସେହବାଗ୍ ମୋଟ ୧୭୩୮ ରନ୍ ନିଜ ନାମରେ ରଖିଥିଲେ। ଦିଲ୍ଲୀ ଟେଷ୍ଟ୍ ପୂର୍ବରୁ କୋହଲିଙ୍କ ରନ୍ ସଂଖ୍ୟା ୧୬୯୪ ଥିଲା।
ଫଳରେ ସେହବାଗ୍ଙ୍କୁ ଟପିବା ପାଇଁ ତାଙ୍କୁ ୪୫ ରନ୍ର ଆବଶ୍ୟକତା ରହିଥିଲା। କିନ୍ତୁ କୋହଲି ଉଭୟ ପାଳିରେ ୬୪ ରନ୍ କରି ସେହବାଗ୍ଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ। ଏବେ କୋହଲିଙ୍କ ମୋଟ ରନ୍ ୧୭୫୮ରେ ପହଞ୍ଚିଯାଇଛି। ବର୍ଡର-ଗାଭାସ୍କର ଟ୍ରଫିରେ କୋହଲି ୨୨ ଟେଷ୍ଟ୍ରୁ ୪୬.୨୬ ହାରାହାରିରେ ଏହି ରନ୍ କରିଛନ୍ତି। ସେଥିରେ ୭ ଶତକ ଓ ୫ ଅର୍ଦ୍ଧଶତକ ସାମିଲ ରହିଛି। ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ରନ୍ (୨୦୦୦ରୁ ଅଧିକ) ସଂଗ୍ରହକାରୀ ଭାରତୀୟଙ୍କ ତାଲିକାରେ ସଚିନ ତେନ୍ଦୁଲକର (୩୨୬୨ ରନ୍, ୩୪ ଟେଷ୍ଟ୍, ୫୬.୨୪ ହାରାହାରି, ୯ ଶତକ, ୧୬ ଅର୍ଦ୍ଧଶତକ) ଶୀର୍ଷରେ ରହିଥିଲା ବେଳେ ଭିଭିଏସ୍ ଲକ୍ଷ୍ମଣ (୨୪୩୪ ରନ୍, ୨୯ ଟେଷ୍ଟ୍) ଏବଂ ରାହୁଲ ଦ୍ରାବିଡ୍ (୨୧୪୩ ରନ୍, ୩୨ ଟେଷ୍ଟ୍) ପରବର୍ତୀ ଦୁଇ ସ୍ଥାନରେ ଅଛନ୍ତି।
ଅନ୍ୟପକ୍ଷରେ ଟେଷ୍ଟ୍ ଫର୍ମାଟ୍ରେ ଭାରତ ପାଇଁ ସର୍ବାଧିକ ରନ୍ କରିବାରେ କୋହଲି (୮୧୯୫ ରନ୍, ୧୦୬ ଟେଷ୍ଟ୍, ୪୮.୪୯ ହାରାହାରି) ଷଷ୍ଠ ଭାରତୀୟ ହୋଇଥିଲା ବେଳେ ସମସ୍ତ ଫର୍ମାଟ୍ରେ ମୋଟ ୨୫,୦୦୦ ରନ୍ ପୂରଣ କରିବାରେ ବିଶ୍ବର ଷଷ୍ଠ ଏବଂ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି।