ୱର୍ଣ୍ଣର ଟି-୨୦ ବିଶ୍ବକପ୍‌ରେ ପାଳି ଆରମ୍ଭ କରିବେ: ଫିଞ୍ଚ୍‌

ମେଲ୍‌ବର୍ଣ୍ଣ: ଚଳିତ ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ କରିଥିବା ଡେଭିଡ୍‌ ୱାର୍ଣ୍ଣରଙ୍କୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌। ଆଇପିଏଲ୍‌ ବିଫଳତା ସହ ପ୍ରାୟ ଗୋଟିଏ ବର୍ଷ ହେବ ଅନ୍ତର୍ଜାତୀୟ ଟି-୨୦ ଖେଳିନଥିବା ଏହି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ କିନ୍ତୁ ୟୁଏଇରେ ହେବାକୁ ଥିବା ବିଶ୍ବକପ୍‌ରେ ଓପନିଂ କରିବେ ବୋଲି ଫିଞ୍ଚ୍‌ କହିଛନ୍ତି। ‘‘ହଁ ସେ ଅଷ୍ଟ୍ରେଲିଆର ଜଣେ ଶ୍ରେଷ୍ଠ ଖେଳାଳି। ତାଙ୍କ ପ୍ରସ୍ତୁତିକୁ ନେଇ ଆମର କୌଣସି ସନ୍ଦେହ ନାହିଁ। ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ସେ ଭଲ ପାଆନ୍ତି। ‌ଏବେ ବି ନିଜର ଅଭ୍ୟାସକୁ ଜୋର୍‌ଦାର ଚଳାଇଛନ୍ତି। ଆଗାମୀ ବିଶ୍ବକପ୍‌ ବେ‌ଳେ ‌ନିଶ୍ଚିତ ଭଲ ପ୍ରଦର୍ଶନ ଦେବେ ବୋଲି ଫିଞ୍ଚ୍‌ କହିଛନ୍ତି।

ସେପ୍ଟେମ୍ବର ୨୦୨୦ ପରଠୁ ୱାର୍ଣ୍ଣର ଅଷ୍ଟ୍ରେଲିଆ ପକ୍ଷରୁ ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି। ଆହତ ଯୋଗୁଁ ଏହି ସମୟ ମଧ୍ୟରେ ୪ ଶୃଙ୍ଖଳାର ୧୪ ମ୍ୟାଚ୍‌ ଖେଳି ନାହାନ୍ତି। ଚଳିତ ଆଇପିଏଲ୍‌ରେ ସେ ୮ ମ୍ୟାଚ୍‌ ଖେଳିଥିଲା ବେଳେ କେବଳ ୨ଟି ଅର୍ଦ୍ଧଶତକ କରିଛନ୍ତି। ଅନ୍ୟପକ୍ଷରେ ଗତ ଅଗଷ୍ଟରେ ଫିଞ୍ଚ୍‌ଙ୍କ ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ‌ଦଳ ସହ ଯୋଗଦେଉଛନ୍ତି। ଅଷ୍ଟ୍ରେଲିଆ ଅକ୍ଟୋବର ୧୮ରେ ନ୍ୟୁଜିଲାଣ୍ଡ ଏବଂ ୨୦ରେ ଭାରତ ବିପକ୍ଷରେ ଦୁଇଟି ୱାର୍ମ-ଅପ୍‌ ମ୍ୟାଚ୍‌ ଖେଳିବା ପରେ ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ହେଲେ ଏହି ଦୁଇ ୱାର୍ମ-ଅପ୍‌ରେ ଫିଞ୍ଚ୍‌ଙ୍କ ଖେଳିବା ନେଇ ସନ୍ଦେହ ରହିଛି। ‌‘‘ମୁଁ ଅଭ୍ୟାସ ଆରମ୍ଭ କଲେଣି। ଆଣ୍ଠୁ ଉପରେ ଭାର ପଡ଼ୁଥିଲେ ମଧ୍ୟ କିଛି କଷ୍ଟ ଜଣାପଡ଼ୁନି। ତେଣୁ ମୁଁ ମ୍ୟାଚ୍‌ ଖେଳିବାକୁ ଫିଟ୍‌’’ ବୋଲି ଫିଞ୍ଚ୍‌ କହିଛନ୍ତି।

ସମ୍ବନ୍ଧିତ ଖବର