ୱାର୍ଣ୍ଣର, ୱିଲିୟମ୍‌ସନ୍‌ ରଖୁଛନ୍ତି ରମଜାନ ଉପବାସ

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି। ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରିଛି। ଫଳରେ ଦଳ ଏବେ ପଏଣ୍ଟ ତାଲିକାର ସବୁଠାରୁ ତଳେ ରହିଛି। କିନ୍ତୁ ଏହି ନୈରାଶ୍ୟଜନକ ପ୍ରଦର୍ଶନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଥିବା ଏକତା ଓ ଭାଇଚାରାକୁ ଉଣା କରିପାରିନାହିଁ। ଏବେ ପବିତ୍ର ରମଜାନ ମାସ ଚାଲିଥିବାରୁ ହାଇଦ୍ରାବାଦ ଦଳରେ ଥିବା ମୁସଲିମ ଖେଳାଳିମାନେ ଉପବାସ ରଖୁଛନ୍ତି। ଏସବୁ ଖେଳାଳିମାନେ ହେଲେ ରସିଦ ଖାନ, ମୁଜିବୁର ରହେମାନ, ମହମ୍ମଦ ନବି ଓ ଖଲିଲ ଅହମ୍ମଦ। ନିଜର ଏହି ସାଥୀ ଖେଳାଳିମାନଙ୍କୁ ସମର୍ଥନ ଜଣାଇ ଦଳର ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ବରିଷ୍ଠ ଖେଳାଳି କେନ୍‌ ୱିଲିୟମସନ ମଧ୍ୟ ଉପବାସ କରୁଛନ୍ତି।

ଏ ସମ୍ପର୍କରେ ରସିଦ ଖାନ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଦୁଇଜଣ ମହାନ ଖେଳାଳି ଆମ ପାଇଁ ଉପବାସ ରଖୁଛନ୍ତି। ଏହି ପୋଷ୍ଟ ସହ ସେ ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଏହି ଭିଡିଓରେ ରସିଦ୍ ଉଭୟ ଓ୍ବାର୍ଣ୍ଣର ଓ ଓ୍ବିଲିୟମସନଙ୍କୁ ନିଜର ‘ଉପବାସ’ ଅଭିଜ୍ଞତା ସମ୍ପର୍କରେ ପଚାରୁଛନ୍ତି। ଏହାର ଜବାବରେ ୱାର୍ଣ୍ଣର କହୁଛନ୍ତି, “ସବୁ ଭଲ, କିନ୍ତୁ ଭୋକ ଲାଗୁଛି, ଶୋଷ ବି ଲାଗୁଛି, ପାଟି ଶୁଖିଯାଉଛି।’’ ସେହିପରି ୱିଲିୟମସନ କହୁଛନ୍ତି, “ବହୁତ ଭଲ, ଧନ୍ୟବାଦ”।

ଉଭୟ ୱାର୍ଣ୍ଣର ଓ ୱିଲିୟମସନ ବ୍ୟକ୍ତିଗତ ଭାବେ ଖ୍ରୀଷ୍ଟିୟାନ ସଂପ୍ରଦାୟର ହୋଇଥିଲେ ମଧ୍ୟ ରମଜାନ ଉପବାସ ରଖି ସେ ନିଜର ସାଥୀ ମୁସଲିମ ଖେଳାଳିଙ୍କ ମନୋବଳ ଉଚ୍ଚା ରଖିବାକୁ ଚାହୁଁଛନ୍ତି। ବିଶେଷକରି ଏହାକରି ୱାର୍ଣ୍ଣର ପ୍ରମାଣିତ କରିଦେଇଛନ୍ତି ଯେ ସେ ହିଁ ଦଳର ପ୍ରକୃତ ଲିଡର। କ୍ରମାଗତ ପରାଜୟ ପରେ ବି ଦଳୀୟ ଖେଳାଳୀଙ୍କ ମନୋବଳ ଉଚ୍ଚ ରଖିବାକୁ ଜଣେ ପ୍ରକୃତ ଲିଡର ହିଁ ଏହା କରିପାରେ।

ସମ୍ବନ୍ଧିତ ଖବର