ଅଷ୍ଟ୍ରେଲିଆକୁ ଜିତାଇଲେ ୱାର୍ଣ୍ଣର-ଜାମ୍ପା

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨୨ତମ ମ୍ୟାଚ୍‌ରେ ଗୁରୁବାର ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଛି ଅଷ୍ଟ୍ରେଲିଆ। ତା ସହ ୨ ମ୍ୟାଚ୍‌ରୁ ୨ ବିଜୟ ପାଇ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରି ଚତୁର୍ଥ ସ୍ଥାନକୁ ଖସିଛି। ମ୍ୟାଚ୍ ଜିତିବା ସହ ଦୁର୍ଦ୍ଧର୍ଷ ଓପନର ଡେଭିଡ୍ ୱାର୍ଣ୍ଣର (୬୫) ଫର୍ମକୁ ଫେରିବା ଅଷ୍ଟ୍ରେଲିଆର ଖୁସିକୁ ଦ୍ବିଗୁଣିତ କରିଛି।

୧୫୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦୀର୍ଘ ବ୍ୟବଧାନ ପରେ ଦୃଢ଼ ମୂଳଦୁଆ ପାଇଥିଲା। ଆଇପିଏଲ୍‌ ସହ ଚଳିତ ବିଶ୍ବକପ୍‌ର ପୂର୍ବ ମ୍ୟାଚ୍‌ଗୁଡ଼ିକରେ ବିଫଳ ହୋଇଥିବା ଓପନର ୱାର୍ଣ୍ଣର ଓ ଫିଞ୍ଚ୍ ପ୍ରଥମ ୱିକେଟ୍‌ରେ ୭୦ ରନ୍ ଯୋଡ଼ି ନେଇଥିଲେ। ଫିଞ୍ଚ୍‌ଙ୍କୁ ସ୍ପିନର ୱାନିନ୍ଦୁ ହସରଙ୍ଗା କ୍ଲିନ୍ ବୋଲ୍ଡ କରିବା ବେଳକୁ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଅବଶ୍ୟ ବଡ଼ ପାଳି ଖେଳି ପାରି ନଥିଲେ। ତେବେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ପ୍ରଥମେ ୱାର୍ଣ୍ଣର ଏବଂ ପରେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ସହ ମିଶି ଅଷ୍ଟ୍ରେଲିଆକୁ ସହଜ ବିଜୟ ଉପହାର କରିଥିଲେ। ମାତ୍ର ୩୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ୱାର୍ଣ୍ଣର ୬୫ ରନ୍‌ର ଦ୍ରୁତ ପାଳି ଖେଳିବା ଅନ୍ୟଦଳଗୁଡ଼ିକ ପାଇଁ କିନ୍ତୁ ବିପଦ ସଙ୍କେତ ହୋଇଥିଲା। ‌‌ଲାହିରୁ କୁମାରଙ୍କୁ ଚୌକା ମାରି ୧୮ ବଲ୍ ପୂର୍ବରୁ ଷ୍ଟୋଇନିସ୍ ଅଷ୍ଟ୍ରେଲିଆ ବିଜୟରେ ମୁଣ୍ଡି ମାରିଥିଲେ। ଘାତକ ବୋଲିଂ କରି ୪ ଓଭରରେ ୧୨ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିବା ସ୍ପିନର ଆଦାମ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଅଷ୍ଟ୍ରେଲିଆ ଆଜି ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ନିଷ୍ପତ୍ତିକୁ ସାର୍ଥକ କରି କଙ୍ଗାରୁ ବୋଲର ପ୍ୟାଟ୍ କମିନ୍ସ ତୃତୀୟ ଓଭରରେ ଶ୍ରୀଲଙ୍କାର ଓପନିଂ ଯୋଡ଼ିକୁ ଭାଙ୍ଗି ଦେଇଥିଲେ। ପଥୁମ ନିସଙ୍କା ବଡ଼ ସଟ୍ ଖେଳିବା ‌ଲୋଭରେ ଡେଭିଡ୍ ୱାର୍ଣ୍ଣରଙ୍କ ହାତରେ ଧରାପଡ଼ିବା ବେଳକୁ ଶ୍ରୀଲଙ୍କାର ସ୍କୋର ଥିଲା ମାତ୍ର ୧୫। ଏହା ପରେ କୁଶଲ ପେରେରା ଓ ଚରିତ ଅସଲଙ୍କା ଦ୍ବିତୀୟ ୱିକେଟ୍‌ରେ ୬୩ ରନ୍ ଯୋଡ଼ିଥିଲେ। ଉଭୟ ୩୫ ରନ୍ ଲେଖାଏଁ କରିଥିଲା ବେଳେ ନିଜ ନିଜ ୱିକେଟ୍ କିନ୍ତୁ ଫିଙ୍ଗି ଦେଇଥିଲେ। ଏହି ଦୁଇ ସେଟ୍ ବ୍ୟାଟର୍‌ ୮ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଶ୍ରୀଲଙ୍କାର ରନ୍ ସଂଗ୍ରହ ଗତି ଢେର କମି ଯାଇଥିଲା। ଏହା ପରେ ଭାନୁକା ରାଜପାସ୍କେଙ୍କ ଛଡ଼ା ଅନ୍ୟ କୌଣସି ସିଂହଳୀ ବ୍ୟାଟର୍‌ ଅଷ୍ଟ୍ରେଲୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ। ଫଳରେ ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍‌ରେ ଅଟକି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଓ ଆଦାମ ଜାମ୍ପା ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର