ହୋବାର୍ଟ: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟର୍ ଡେଭିଡ୍ ୱାର୍ଣ୍ଣର ଶୁକ୍ରବାର ଏକ ବିରଳ ମାଇଲ୍ଖୁଣ୍ଟରେ ପହଞ୍ଚିଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ କ୍ରିକେଟର୍ ଭାବେ ସେ ସମସ୍ତ ଫର୍ମାଟ୍ରେ ୧୦୦ ମ୍ୟାଚ୍ ଖେଳିବା କୀର୍ତ୍ତିମାନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଖେଳିବା ଅବସରରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ସମସ୍ତ ଫର୍ମାଟ୍ରେ ୧୦୦ ମ୍ୟାଚ୍ ଖେଳିବାରେ ସେ ଭାରତୀୟ ବ୍ୟାଟର୍ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡର ରସ୍ ଟେଲରଙ୍କ ସହ ଏଲିଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି। କେବଳ ଏତିକି ନୁହେଁ ଟ୍ବେଣ୍ଟି-୨୦ରେ ସେ ତୃତୀୟ ଅଷ୍ଟ୍ରେଲୀୟ ଭାବେ ୧୦୦ତମ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ପୂର୍ବରୁ ଆରୋନ୍ ଫିଞ୍ଚ୍ (୧୦୩) ଓ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୦୦) ଏହି ତାଲିକାରେ ଆଗରୁ ରହିଛନ୍ତି। ଅନ୍ୟପକ୍ଷରେ ୱାର୍ଣ୍ଣର ତାଙ୍କର ଏହି ମାଇଲଖୁଣ୍ଟ ମ୍ୟାଚ୍ରେ ଟସ୍ ପକାଇ ଏହାକୁ ଆହୁରି ସ୍ମରଣୀୟ କରିଛନ୍ତି। ନିୟମିତ ଅଧିନାୟକ ମିଚେଲ ମାର୍ସ କୋଭିଡ୍ରେ ଆକ୍ରାନ୍ତ ହୋଇଥିବାରୁ ସେ ଟସ୍ ପକାଇବାକୁ ଆସିନଥିଲେ। କିନ୍ତୁ ମ୍ୟାଚ୍ରେ ସେ ଦଳର ନେତୃତ୍ବ ନେଇଥିଲେ। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୧ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି।
ହୋବାର୍ଟ: ୧୦୦ ତମ ମାଇଲ୍ଖୁଣ୍ଟ ମ୍ୟାଚ୍ରେ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ୧୧ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣର (୭୦) ଓ ଜୋସ୍ ଇଙ୍ଗଲିସ୍ (୩୯) ପ୍ରଥମ ୱିକେଟ୍ରେ ୯୩ ରନ୍ ଭାଗୀଦାରି କରିବା ସହ ଦୃଢ଼ ମୂଳଦୁଆ ପକାଇଥିଲେ। ମଧ୍ୟକ୍ରମ ନିରାଶ କରିବା ପରେ ତଳଭାଗରେ ଟିମ୍ ଡେଭିଡ୍ (୩୧*) ଓ ମାଥ୍ୟୁ ୱେଡ୍ (୨୧) ଦ୍ରୁତ ରନ୍ ସଂଗ୍ରହ କରି ଦଳକୁ ୨୧୩/୭ରେ ପହଞ୍ଚାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭ୍ରମଣକାରୀ ଦଳ ମଧ୍ୟ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମ ୱିକେଟ୍ରେ ବ୍ରାଣ୍ଡନ କିଙ୍ଗ୍ (୫୩) ଓ ଜନସନ୍ ଚାର୍ଲ୍ସ (୪୨) ୮.୩ ଓଭରରେ ୮୯ ରନ୍ ସଂଗ୍ରହ କରିଥିଲେ। ଏମାନଙ୍କ ପରେ ଆଉ କେହି ଅଷ୍ଟ୍ରେଲିଆ ବୋଲିଂକୁ ଅଧିକ ସମୟ ଖେଳିପାରି ନଥିଲେ। ଜାସନ ହୋଲ୍ଡର (୩୪*) ଶେଷ ଆଡ଼କୁ ଦ୍ରୁତ ଖେଳିଥିଲେ ମଧ୍ୟ ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ। ୱାର୍ଣ୍ଣର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୨୦ ଓଭରରେ ୨୧୩/୭ (ଡେଭିଡ୍ ୱାର୍ଣ୍ଣର-୭୦, ଜୋସ୍ ଇଙ୍ଗଲିସ୍-୩୯, ଟିମ୍ ଡେଭିଡ୍-୩୭*, ଆନ୍ଦ୍ରେ ରସେଲ୍-୩/୪୨, ଆଲଜାରି ଜୋସେଫ୍-୨/୪୬)। ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୨୦୨/୮ (ବ୍ରାଣ୍ଡନ କିଙ୍ଗ୍-୫୩, ଜନସନ୍ ଚାର୍ଲ୍ସ-୪୨, ଜାସନ ହୋଲ୍ଡର-୩୪*, ଆଡାମ ଜାମ୍ପା-୩/୨୬, ମାର୍କସ ଷ୍ଟୋଇନିସ୍-୨/୨୦)।