ୱର୍ଣ୍ଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା: ହୃଦ୍‌ଘାତ ହିଁ ମୃତ୍ୟୁର କାରଣ

ଅସହ୍ୟ ଛାତି ଯନ୍ତ୍ରଣା ଓ ପ୍ରବଳ ଝାଳ ବୋହୁଥିବାର ଅଭିଯୋଗ କରିଥିଲେ, ଗାଭାସ୍କରଙ୍କ ଉପରେ ୱର୍ଣ୍ଣ ପ୍ରଶଂସକ କ୍ଷୁବ୍ଧ

ବ୍ୟାଂକକ୍: ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ସେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ସହ କୌଣସି ସନ୍ଦେହଜନକ ଘଟଣା ଘଟିନି ବୋଲି ସ୍ପଷ୍ଟ ହୋଇଛି। ଥାଇଲାଣ୍ଡ ପୁଲିସ ଏହି ବିଷୟରେ ୱର୍ଣ୍ଣଙ୍କ ପରିବାରବର୍ଗଙ୍କୁ ଜଣାଇ ଦେଇଛି। ପରିବାର ମଧ୍ୟ ଏହି ନିଷ୍ଠୁର ସତ୍ୟକୁ ଗ୍ରହଣ କରି ନେଇଥିବା ଜଣାପଡ଼ିଛି। ଅଷ୍ଟ୍ରେଲୀୟ ଦୂତାବାସ ମାଧ୍ୟମରେ ତାଙ୍କ ମୃତ ଶରୀରକୁ ପରିବାରବର୍ଗକୁ ଖୁବଶୀଘ୍ର ହସ୍ତାନ୍ତର କରାଯିବ ବୋଲି ଥାଇ ପୁଲିସ ସୂଚନା ଦେଇଛି। ପୁଲିସ ବିଭାଗର ମୁଖପାତ୍ର କହିଛନ୍ତି ଯେ ଆଜି ଆମେ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଛୁ। ୱର୍ଣ୍ଣଙ୍କ ମୃତ୍ୟୁ ସ୍ବାଭାବିକ ଭାବେ ହୋଇଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଅଧିକାରୀମାନେ ଏହି ରିପୋର୍ଟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆଇନ ଅନୁଯାୟୀ ପଦକ୍ଷେପ ନେବେ। ସେପଟେ ୱର୍ଣ୍ଣ ଛୁଟି କଟାଉଥିବା କୋ ସୁମି ରିସୋର୍ଟ ବାହାରେ ପ୍ରଶଂସକମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୫୨ ବର୍ଷୀୟ ୱର୍ଣ୍ଣ ଗତ ଶୁକ୍ରବାର ତାଙ୍କ ହୋଟେଲ କୋଠରୀରେ ବେହୋସ ହୋଇ ପଡ଼ିରହିଥିଲା ବେଳେ ଉଦ୍ଧାର ହୋଇଥିଲେ। ଡାକ୍ତରମାନେ ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ କ୍ରିକେଟ୍ ଦୁନିଆରେ ଶୋକର ଛାୟା ଖେଳିଯାଇଥିଲା। ୱର୍ଣ୍ଣ ଶ୍ବାସ ରୋଗରେ ପୀଡ଼ିତ ଥିଲା ବେଳେ ତାଙ୍କର ପୂର୍ବରୁ ମଧ୍ୟ ଥରେ ଛୋଟ ଧରଣର ହୃଦ୍‌ଘାତର ଶିକାର ହୋଇଥିଲେ।

ଅସହ୍ୟ ଛାତି ଯନ୍ତ୍ରଣା ଓ ପ୍ରବଳ ଝାଳ ବୋହୁଥିବାର ଅଭିଯୋଗ କରିଥିଲେ
ଥାଇଲାଣ୍ଡରେ ଛୁଟି କଟାଇବାକୁ ଯିବା ପୂର୍ବରୁ ୱର୍ଣ୍ଣ ନିଜ ଶରୀରକୁ ସଂପୂର୍ଣ୍ଣ ସୁସ୍ଥ ଓ ସତେଜ କରିବା ଲାଗି କେବଳ ତରଳ ଖାଦ୍ୟ ଖାଉଥିଲେ। ହୃଦ୍‌ଘାତ ହେବାର ୧୪ ଦିନ ପୂର୍ବରୁ ସେ ଏଭଳି କଷ୍ଟକର ଖାଦ୍ୟ ସାରଣୀର ଅନୁସରଣ କରୁଥିଲେ। ଏହାର କିଛି ଦିନ ପରେ ତିନି ଚାରି ଥର ଭୀଷଣ ଛାତି ଯନ୍ତ୍ରଣା ହେବା ଏବଂ ପ୍ରବଳ ଝାଳ ବୋହୁଥିବାର ଅଭିଯୋଗ କରିଥିଲେ। ତେବେ କିଛି ସମୟ ପରେ ସବୁକିଛି ଠିକ୍ ହୋଇଯାଇଥିଲା। ସାରା ଜୀବନ ମଧ୍ୟ ସେ ଧୂମପାନ କରୁଥିଲେ। ଏଣୁ ଏକ ବଡ଼ ଧରଣର ହୃଦ୍‌ଘାତ ହିଁ ତାଙ୍କ ଜୀବନ ନେଇ ଯାଇଥିଲା। ମୃତ୍ୟୁବରଣ କରିବାର କିଛି ଦିନ ପୂର୍ବରୁ ୱର୍ଣ୍ଣ ନିଜ ପୁରୁଣା ଫଟୋ ପ୍ରକାଶ କରି ଓଜନ ହ୍ରାସ କରିବା ଲାଗି କଠିନ ପରିଶ୍ରମ କରୁଥିବାର ସୂଚନା ଦେଇଥିଲେ। ଜୁଲାଇ ପର୍ଯ୍ୟନ୍ତ ପୂରା ଫିଟ୍ ହେବାର ଲକ୍ଷ୍ୟ ନେଇଥିବା କହିଥିଲେ। ତେବେ ଏହି ଖାଦ୍ୟ ସାରଣୀ ହିଁ ତାଙ୍କ ପାଇଁ କାଳ ହେଲା। ଛୁଟି କଟାଇବାକୁ ଥାଇଲାଣ୍ଡ ଯିବା ପୂର୍ବରୁ କିନ୍ତୁ ସେ ପୂରା ସୁସ୍ଥ ଥିଲେ।

ଗାଭାସ୍କରଙ୍କ ଉପରେ ୱର୍ଣ୍ଣ ପ୍ରଶଂସକ କ୍ଷୁବ୍ଧ
ନିକଟରେ ମୃତ୍ୟୁ ବରଣ କରିଥିବା ଅଷ୍ଟ୍ରେଲୀୟ ସ୍ପିନ୍ କିବଂଦନ୍ତି ସେନ୍ ୱର୍ଣ୍ଣଙ୍କୁ ସର୍ବକାଳୀନ ଶ୍ରେଷ୍ଠ ସ୍ପିନର ଭାବେ ମାନିବାକୁ ରାଜି ନହେବା ଭାରତୀୟ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ୱର୍ଣ୍ଣ ପ୍ରଶଂସକମାନେ ଏଥିଲାଗି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା ବେଳେ ଅନଲାଇନ୍‌ରେ ଟ୍ରୋଲ୍ ମଧ୍ୟ କରିଛନ୍ତି। ୱର୍ଣ୍ଣଙ୍କ ମୃତ୍ୟୁ ଖବର ପାଇବା ପରେ ଗାଭାସ୍କର ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କ୍ରି‌କେଟ୍ ଜଣେ ମହାନ ତାରକାଙ୍କୁ ହରାଇଲା ବୋଲି ମତ ଦେଇଥିଲେ। ତେବେ ୱର୍ଣ୍ଣଙ୍କୁ ସର୍ବକାଳୀନ ଶ୍ରେଷ୍ଠ ସ୍ପିନର ନୁହନ୍ତି ବୋଲି କହିଥିଲେ। ‘‘ମୋ ପାଇଁ ଭାରତୀୟ ସ୍ପିନର ଏବଂ ମୁଥୟା ମୁରଲୀଧରନ୍ ୱର୍ଣ୍ଣଙ୍କଠାରୁ ଭଲ ବୋଲର ଥିଲେ। ଭାରତ ବିପକ୍ଷରେ ୱର୍ଣ୍ଣ ପ୍ରଦର୍ଶନକୁ ଆପଣ ଏହି କ୍ଷେତ୍ରରେ ଉଦାହରଣ ଭାବେ ନେଇ ପାରନ୍ତି। ଏହା ଅତି ସାଧାରଣ ଥିଲା’’ ବୋଲି ଗାଭାସ୍କର କହିଥିଲେ। ଅନ୍ୟପକ୍ଷରେ ୱର୍ଣ୍ଣଙ୍କ ଅଚାନକ ମୃତ୍ୟୁ ଖବର ପାଇ ତାଙ୍କ ପୁରୁଣା ଅଧିନାୟକ ରିକି ପଣ୍ଟିଂ ସ୍ତବ୍ଧ ହୋଇଯାଇଛନ୍ତି। ‘‘ୱର୍ଣ୍ଣଙ୍କୁ କେତେ ଭଲ ପାଏ ତାହା ମୁଁ ତାଙ୍କୁ କହିପାରିଲିନି। ଏହା ହିଁ ମୋ ଜୀବନର ଅନ୍ୟତମ ଅବସୋସ ହୋଇ ରହିବ।’’ ବୋଲି କାନ୍ଦି କାନ୍ଦି ପଣ୍ଟିଂ କହିଛନ୍ତି। ସୂଚନାଯୋଗ୍ୟ ଯେ ୱର୍ଣ୍ଣ କରିଥିବା କଟାକ୍ଷକୁ ଗାଙ୍ଗୁଲି ପ୍ରଶଂସକ ମନେପକାଇଛନ୍ତି। ଆଡିଲେଡ୍‌ରେ ଟେଷ୍ଟ୍ ମ୍ୟାଚ୍ ଚାଲିଥିଲା ବେଳେ ତୁମକୁ ନୁହେଁ ସଚିନ ତେନ୍ଦୁଲକରଙ୍କୁ ଦେଖିବା ଲାଗି ୪୦,୦୦୦ ଦର୍ଶକ ଆସିଛନ୍ତି ବୋଲି ଗାଙ୍ଗୁଲିଙ୍କୁ ୱର୍ଣ୍ଣ କହିଥିଲେ।

ଏକ ଲକ୍ଷ ଲୋକଙ୍କ ସମ୍ମୁଖରେ ଅନ୍ତେଷ୍ଟି
ୱର୍ଣ୍ଣଙ୍କ ଅନ୍ତେଷ୍ଟିକ୍ରିୟା ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ପଡ଼ିଆ (ଏମ୍‌ସିଜି)ରେ ୧ ଲକ୍ଷ ଲୋକଙ୍କ ସମ୍ମୁଖରେ ଅନୁଷ୍ଠିତ ହେବ। ଏମ୍‌ସିଜିରେ ହିଁ ୱର୍ଣ୍ଣଙ୍କ ଅନ୍ତେଷ୍ଟି ସମାପନ ହେବ ବୋଲି ତାଙ୍କ ପ୍ରବନ୍ଧକ ଜେମ୍ସ ଏରସ୍କିନ୍ ସ୍ପଷ୍ଟ କରି ନାହାନ୍ତି। ତେବେ ୱର୍ଣ୍ଣଙ୍କ ଭଳି ବ୍ୟକ୍ତିତ୍ବଙ୍କ ପାଇଁ ଏମ୍‌ସିଜି ହିଁ ଶେଷ ଶ୍ରଦ୍ଧାଞ୍ଜଳି ଦେବାର ପ୍ରକୃଷ୍ଟ ସ୍ଥାନ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଏମ୍‌ସିଜିରେ ୱର୍ଣ୍ଣଙ୍କ ଅନ୍ତେଷ୍ଟି ହେବ ବୋଲି ଦି ସଣ୍ଡେ ହେରାଲ୍ଡ ଖବରକାଗଜ ଦାବି କରିଛି। ପରିବାରବର୍ଗ କିନ୍ତୁ ତାଙ୍କ ଶବ ଗ୍ରହଣ କରିବାକୁ ଅପେକ୍ଷା କରି ରହିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍‌ ବ୍ୟକ୍ତିଗତ ଭାବେ କିଭଳି ଥାଇଲାଣ୍ଡରୁ ୱର୍ଣ୍ଣଙ୍କ ଶବ ଶୀଘ୍ର ଅଷ୍ଟ୍ରେଲିଆ ଆସିବ ସେ ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧିତ ଖବର