ମୁମ୍ବାଇ: ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କ ଅନ୍ତିମ ସଂସ୍କାର ବୁଧବାର ହେବାକୁ ଯାଉଥିବା ବେଳେ ତାଙ୍କ ସମୟର ମହାନ ବ୍ୟାଟର୍ ସଚିନ ତେନ୍ଦୁଲକର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସଚିନ କହିଛନ୍ତି, ୱର୍ଣ୍ଣ ଆମ ଗହଣରେ ନାହାନ୍ତି ଏହାକୁ ଗ୍ରହଣ କରିବା କଷ୍ଟକର ବ୍ୟାପାର। ସେ ଜଣେ ଭୟଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ। ତାଙ୍କ ବିପକ୍ଷରେ ଖେଳିବାକୁ ଯିବା ପୂର୍ବରୁ ବିଶେଷ ପ୍ରସ୍ତୁତି କରିବାକୁ ପଡୁଥିଲା। କେବଳ ଶାରୀରିକ ଭାଷା ନୁହେଁ ମାନସିକ ଭାବେ ସେ ମଧ୍ୟ ଦୃଢ଼ ଥିଲେ’। ସୂଚନାଯୋଗ୍ୟ, ମାର୍ଚ୍ଚ ୪ ତାରିଖରେ ୫୨ ବର୍ଷୀୟ ସେନ୍ ୱର୍ଣ୍ଣଙ୍କର ଥାଇଲାଣ୍ଡ୍ରେ ହୃଦଘାତରେ ପରଲୋକ ଘଟିଥିଲା। ‘ସେନ୍ ୱର୍ଣ୍ଣଙ୍କ ବିପକ୍ଷରେ ମୋର ପ୍ରଥମ ଶୃଙ୍ଖଳା ୧୯୯୮ରେ ଭାରତରେ ହୋଇଥିଲା। ସଭିଏଁ ଏହି ଶୃଙ୍ଖଳାକୁ ତେନ୍ଦୁଲକର ବନାମ ସେନ୍ ୱର୍ଣ୍ଣ ଆଖ୍ୟା ଦେଇଥିଲେ। କିନ୍ତୁ ମୁଁ ମନେ ପକାଇଦେବାକୁ ଚାହେଁ ଏହା ଭାରତ ବନାମ ଅଷ୍ଟ୍ରେଲିଆ ଶୃଙ୍ଖଳା ଥିଲା। ଜଣେ ବିଶ୍ବ ଶ୍ରେଣୀୟ ବୋଲରଙ୍କୁ ଖେଳିବାକୁ ଗଲାବେଳେ ଚାପ ଆସିଥାଏ।
କେବଳ ଖେଳିବାକୁ ଯିବାକୁ ପଡ଼େ ନାହିଁ, ଆଶା ରଖିଥାଏ ଭଲ ଖେଳିବାକୁ। ମୁଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରି ଯାଏ। କେବଳ ପଡ଼ିଆରେ ନୁହେଁ ରୁମ୍ରେ ବସିଥିବା ବେଳେ ବି ତାଙ୍କଠାରୁ ପାଦେ ଆଗୁଆ ରହିବାକୁ ପଡ଼େ। କାରଣ ସେ ମଧ୍ୟ ମାନସିକ ଖେଳ ଖେଳି ଚାପ ପକାଇଥା’ନ୍ତି। ଆପଣ ତାଙ୍କ ଶାରୀରିକ ଭାଷାକୁ ଦେଖିଲେ ଜାଣିପାରିବେ। ସେ ୪ ୱିକେଟ୍ ନେବେ କି ୫ ୱିକେଟ୍ ନେବେ କିମ୍ବା ୱିକେଟଶୂନ୍ୟ ରହିବେ ସେଥିରେ କିଛି ଯାଏ ଆସେ ନାହିଁ। ତାଙ୍କର ପ୍ରତିଟି ବଲ୍ କିନ୍ତୁ ଭୟଙ୍କର ଥାଏ। ଆପଣ ଦିନର ଦ୍ବିତୀୟ ଶେଷ ଓଭର ଖେଳୁଥିଲେ ବି ଆଖିକୁ ଖୋଲା ରଖିବାକୁ ପଡ଼େ, କାରଣ ସେ ଆଉଟ୍ ପାଇଁ ସବୁବେଳେ ପ୍ରୟାସ କରିଥାଆନ୍ତି’ ବୋଲି ସଚିନ ପ୍ରକାଶ କରିଛନ୍ତି।