ଦୁବାଇ: କେପ୍ଟାଉନ୍ରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍ ଅବସରରେ ଡିଆର୍ଏସ୍କୁ ନେଇ ଦେଇଥିବା କଟୁ ମନ୍ତବ୍ୟ ପାଇଁ ବିରାଟ କୋହଲିଙ୍କ ଭାରତୀୟ ଦଳ ଜରିମାନାରୁ ବର୍ତ୍ତିଯାଇଛି। ହେଲେ ଦଳକୁ ଚେତାବନୀ ଶୁଣାଇଛନ୍ତି ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ। ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍ ଏଲଗାରଙ୍କ ଏଲ୍ବିଡବ୍ଲ୍ୟୁ ଆଉଟ୍ ନିଷ୍ପତ୍ତି ଡିଆରଏସ୍ରେ ବଦଳିଯିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କୋହଲି ଷ୍ଟମ୍ପ ମାଇକ୍ରୋଫୋନ୍ ପାଖକୁ ଯାଇ ‘‘କେବଳ ପ୍ରତିପକ୍ଷ ନୁହେଁ, ତୁମ ଦଳ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କର। ସବୁବେଳେ ଲୋକଙ୍କୁ ଧରିବାକୁ ଚେଷ୍ଟା କରୁଛ’’ ବୋଲି ମନ୍ତବ୍ୟ ଦେଇଥିଲେ। ପୂରା ଦେଶ ମାତ୍ର ୧୧ ଜଣ ଖେଳାଳିଙ୍କ ବିରୋଧରେ ଖେଳୁଛି ବୋଲି ମଧ୍ୟ କେଏଲ୍ ରାହୁଲ କହୁଥିବା ଶୁଣିବାକୁ ମିଳିଥିଲା।
ଏଥିରେ ମୟଙ୍କ ଅଗ୍ରୱାଲ ମଧ୍ୟ ଯୋଡ଼ି ହୋଇଯାଇଥିଲେ। ପଡ଼ିଆ ଭିତରେ ଏଭଳି ଉଗ୍ରତାକୁ ଅଧିକାଂଶ ସମାଲୋଚନା କରିଥିଲେ। ଶେଷରେ ମ୍ୟାଚ୍ ରେଫରି ଏଭଳି ଘଟଣା ନେଇ ଭାରତୀୟ ଦଳର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ପରବର୍ତୀ ସମୟରେ ଏଭଳି ଆଚରଣ ଦେଖାଇଲେ ଦଳ ଦଣ୍ଡିତ ହେବ ବୋଲି ପ୍ୟାଇକ୍ରଫ୍ଟ ଚେତାଇ ଦେଇଛନ୍ତି। ଫଳରେ ଭାରତୀୟ ଦଳର ଖେଳାଳିମାନେ ବଡ଼ ଧରଣର ଜରିମାନାରୁ ବର୍ତ୍ତିଯାଇଛନ୍ତି। ସେମାନଙ୍କ କ୍ଷୋଭ କୌଣସି ଅଧିକାରୀଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ସିଧାସଳଖ ବୈଷୟିକ ଜ୍ଞାନ କୌଶଳ ବିରୋଧରେ ଥିଲା ବୋଲି ବିଚାରକୁ ନିଆଯାଇଥିଲା। ପୁଣି ଆଇସିସି ଆଚରଣ ସଂହିତାରେ ପ୍ରସାରଣ ସଂସ୍ଥା କିମ୍ବା ବୈଷୟିକ ଜ୍ଞାନ କୌଶଳର ସମାଲୋଚନା ପାଇଁ ଦଣ୍ଡିତ ହେବାର ନୀତି ନଥିବା ଭାରତୀୟ ଦଳ ଦଣ୍ଡରୁ ବର୍ତ୍ତିଯିବାର କାରଣ ଥିଲା।