ପୁଣେ: ପୁଣେ ଟେଷ୍ଟ୍ର ଠିକ୍ ପୂର୍ବରୁ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦରଙ୍କୁ ଦଳରେ ସାମିଲ କରିବା ଭାରତ ପାଇଁ ମାଷ୍ଟର ଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଛି। ସାଢ଼େ ତିନି ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍କୁ ଫେରି ୱାସିଂଟନ୍ ନିଜ ଜୀବନର ସୁନ୍ଦରତମ ତଥା ସ୍ମରଣୀୟ ଦିନରେ ନ୍ୟୁଜିଲାଣ୍ଡକୁ ପୂରା ଘାଇଲା କରିଦେଇଛନ୍ତି। ମହାରାଷ୍ଟ୍ର କ୍ରିକେଟ୍ ସଂଘ ପଡ଼ିଆରେ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର (୭/୫୯) ପାଇ କିୱି ଦଳକୁ ୨୫୯ ରନ୍ରେ ଅଟକାଇବା ସହ ଭାରତୀୟ କ୍ରିକେଟ୍ ଦଳକୁ ଶୃଙ୍ଖଳାକୁ ଫେରିବାର ଆଶା ଦେଇଛନ୍ତି ସେ। ସୁନ୍ଦରଙ୍କୁ ଅଭିଜ୍ଞ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ (୩/୬୪)ଙ୍କର ବି ପୂରା ସାଥ୍ ମିଳିଛି। ଉଭୟଙ୍କ ରଚିତ ଚକ୍ରବ୍ୟୂହରୁ ନ୍ୟୁଜିଲାଣ୍ଡ ଆଦୌ ବାହାରି ନପାରିବା ପରେ ସମସ୍ତ ୧୦ଟି ଯାକ ୱିକେଟ୍ ଏହି ଦୁଇ ସ୍ପିନର୍ଙ୍କ ଖାତାକୁ ଯାଇଛି। ଓପନର୍ ତଥା ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଟିମ୍ ସାଉଦିଙ୍କ ଶିକାର ହେବା ଆବଶ୍ୟ ଘରୋଇ ଦଳର ଖୁସିକୁ ସାମାନ୍ୟ ଫିକା କରିଛି। ଷ୍ଟମ୍ପ୍ସର ମାତ୍ର ୧୦ ଓଭର ପୂର୍ବରୁ ଖେଳ ଆରମ୍ଭ କରି ପ୍ରଥମ ଦିନ ଶେଷ ବେଳକୁ ଭାରତ କେବଳ ରୋହିତଙ୍କ ୱିକେଟ୍ ହରାଇ ୧୬ ରନ୍ କରିଛି। ହାତରେ ଆଉ ୯ ୱିକେଟ୍ ଥିଲା ବେଳେ ନ୍ୟୁଜିଲାଣ୍ଡର ପ୍ରଥମ ପାଳି ସ୍କୋର୍ଠାରୁ ଏବେ ୨୪୩ ରନ୍ ପଛରେ ରହିଛି ଭାରତ। ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ୬* ଏବଂ ଶୁବମନ ଗିଲ୍ ୧୦* ରନ୍ କରି ଅପରାଜିତ ରହିବା କିନ୍ତୁ ଦଳ ପାଇଁ ଆଶ୍ବସ୍ତିଭରା ଖବର ହୋଇଛି।
ଲାୟନଙ୍କୁ ଟପିଲେ ଅଶ୍ବିନ
ତିନି ଟିକିଆ ଶୃଙ୍ଖଳାରେ ୦-୧ରେ ପଛୁଆ ଥିବା ଭାରତ ଗୁରୁବାର ଟସ୍ ହାରି କ୍ଷେତ୍ରରକ୍ଷଣ ପାଇଁ ଆମନ୍ତ୍ରଣ ପାଇଥିଲା। ଅଷ୍ଟମ ଓଭରରେ ଅଶ୍ବିନ ଓପନର୍ ଟମ୍ ଲଥାମଙ୍କୁ ଶିକାର କରି ଭାରତକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ତେବେ ଡେଭନ୍ କନୱେ (୭୬) ଓ ରାଚିନ ରବୀନ୍ଦ୍ର (୬୫)ଙ୍କ ଅର୍ଧଶତକ ବଳରେ କିୱି ଦଳ ମାତ୍ର ୩ ୱିକେଟ୍ ହରାଇ ୧୯୭ ରନ୍ କରିବା ସହ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଲାଥାମଙ୍କ ପରେ ୱିଲ୍ ୟଙ୍ଗ ଓ କନୱେଙ୍କୁ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ଅଶ୍ବିନ ଟେଷ୍ଟ୍ କ୍ରିକେଟ୍ରେ ୫୩୦ ୱିକେଟ୍ ମାଇଲ୍ଖୁଣ୍ଟ ଅତିକ୍ରମ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଥମ ତିନି ୱିକେଟ୍ ଅଶ୍ବିନଙ୍କ ଖାତାକୁ ଯିବା ପରେ ତୃତୀୟ ଅଧିବେଶନ ଆରମ୍ଭରୁ ସୁନ୍ଦର ନିଜ ଯାଦୁ ଦେଖାଇଥିଲେ। ଜଣକ ପରେ ଜଣେ ନ୍ୟୁଜିଲାଣ୍ଡ ବ୍ୟାଟର୍ଙ୍କୁ ପ୍ୟାଭିଲିୟନ ଫେରାଇ ଚାଲିଥିଲେ। ଚା’ ପାନ ବିରତିର ମାତ୍ର ୧୦ ମିନିଟ୍ ପୂର୍ବରୁ ନିଜ ତୃତୀୟ ସ୍ପେଲ୍ ଆରମ୍ଭ କରି ପରବର୍ତ୍ତୀ ଘଣ୍ଟାକ ଯାଏଁ ପୂରା ଘାତକ ସାବ୍ୟସ୍ତ ହୋଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ତାର ଶେଷ ୭ ୱିକେଟ୍ ମାତ୍ର ୭୨ ରନ୍ରେ ହରାଇଥିଲା। ଏହି ସାତଟି ଯାକ ୱିକେଟ୍ ସୁନ୍ଦର ହିଁ ନେଇଥିଲେ। ସେଥିମଧ୍ୟରୁ ୫ଜଣ ବୋଲ୍ଡ ହୋଇଥିଲେ। ଏହା ମଧ୍ୟ ତାଙ୍କର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଥିଲା। ସେପଟେ ଅଶ୍ବିନ (୫୩୧ ୱିକେଟ୍, ୧୦୪* ଟେଷ୍ଟ୍) ନିଜ ୩ ୱିକେଟ୍ ସଫଳତା ବଳରେ ୨୫ ଟେଷ୍ଟ୍ କମ୍ ଖେଳି ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ (୫୩୦ ୱିକେଟ୍, ୧୨୯ ମ୍ୟାଚ୍)ଙ୍କୁ ଟପିଥିଲେ। ପୂର୍ବରୁ ସର୍ଫରାଜ ଖାନ୍ ଓ କେଏଲ୍ ରାହୁଲଙ୍କ ମଧ୍ୟରୁ କିଏ ଖେଳିବ ସେ ଚର୍ଚ୍ଚାରେ ବିରାମ ଲଗାଇ ଅଧିନାୟକ ରୋହିତ ଏବଂ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ଫର୍ମରେ ଥିବା ସର୍ଫରାଜଙ୍କୁ ଦଳରେ ନେଇଥିଲେ। ସେହିଭଳି ଅଲରାଉଣ୍ଡ୍ ବିକଳ୍ପକୁ ବଢ଼ାଇ କୁଲଦୀପ ୟାଦବଙ୍କ ସ୍ଥାନରେ ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇଥିଲେ।
ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୭୯.୧ ଓଭରରେ ୨୫୯ (ଡେଭନ୍ କନୱେ ୭୬, ରାଚିନ ରବୀନ୍ଦ୍ର ୬୫, ମିଚେଲ ସାଣ୍ଟନର୍ ୩୩, ୱାସିଂଟନ୍ ସୁନ୍ଦର ୭/୫୯, ଆର୍. ଅଶ୍ବିନ ୩/୬୪)। ଭାରତ ପ୍ରଥମ ପାଳି ୧୧ ଓଭରରେ ୧୬/୧ (ରୋହିତ ଶର୍ମା ୦, ଶୁବମନ ଗିଲ୍ ୧୬*, ଯଶସ୍ବୀ ଜୟସ୍ବାଲ ୬*, ଟିମ୍ ସାଉଦି ୧/୪)।