ବଡ଼ ପାଳି ଖେଳିବେ ବୋଲି ପିତାଙ୍କୁ କଥା ଦେଇଥିଲେ ୱାସିଂଟନ୍‌

ରବିବାର ଖେଳ ଜୀବନର ଶ୍ରେଷ୍ଠ ପାଳି ଖେଳିଥିବା ୱାସିଂଟନ୍ ସୁନ୍ଦର ନିଜ ପିତାଙ୍କୁ ବଡ଼ ପାଳି ଖେଳିବେ ବୋଲି କଥା ଦେଇଥିଲେ। ଏହି କଥା ନିଜେ କହିଛନ୍ତି ତାଙ୍କ ପିତା ଏମ୍ ସୁନ୍ଦର। ୱାସିଂଟନ୍ (୬୨) କିନ୍ତୁ ଶତକ ହାସଲ କରିପାରିନଥିବାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି ପିତା। ‘ୱାସିଂଟନ୍ ପ୍ରତ୍ୟେହ ଅଷ୍ଟ୍ରେଲିଆରୁ ତା ମା’ ଓ ମୋ ସହିତ କଥା ହୋଇଥାଏ। ଗତ ସଂଧ୍ୟାରେ ମୁଁ କହିଥିଲି ସୁଯୋଗ ମିଳିଲେ ବଡ଼ ସ୍କୋର୍‌ କରିବୁ, ସେ କହିଥିଲା ‘ନିଶ୍ଚିତ’। ଅଷ୍ଟ୍ରେଲିଆର ସ୍କୋର୍‌ ପାଖାପାଖି ହୋଇଯାଇଥିବାରୁ ସେ ଅଟକିଯାଇଥିବ। ସିରାଜ ବ୍ୟାଟିଂ ପାଇଁ ଆସିବା ପରେ‌ ସେ ଚୌକା ଓ ଛକା ମାରିଥିଲା।‌ ସେ ଏଭଳି କରିବାକୁ ସକ୍ଷମ। ନିମ୍ନକ୍ରମରେ‌‌ ଖେଳୁଥିଲେ ମଧ୍ୟ ପୁଅ ମୋର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍।

ଦଲିପ ଟ୍ରଫି ଏବଂ ରଣଜୀ ଟ୍ରଫିରେ ଭଲ‌ ଖେଳିବା ସତ୍ତ୍ବେ ବିଗତ ୪ ବର୍ଷ ହେବ ୱାସିଂଟନ୍ ତାମିଲନାଡୁ ପାଇଁ ରଣଜୀ ଟ୍ରଫି ଖେଳି ନପାରିବା ଦୁର୍ଭାଗ୍ୟଜନକ ବୋଲି ସିନିୟର୍‌ ସୁନ୍ଦର ପ୍ରକାଶ କରିଥିଲେ। ୨୦୧୬-୧୭ ରଣଜୀ ଋତୁରେ ୱାସିଂଟନ୍‌ ଲାହଲିରେ ମୁମ୍ବାଇ ବିପକ୍ଷରେ ଅଭିନବ ମୁକୁନ୍ଦଙ୍କ ସହ ପାଳି ଆରମ୍ଭ କରି ୧୦୭ ରନ୍ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ତ୍ରିପୁରା ବିପକ୍ଷରେ ରଣଜୀ ଶତକ (୧୫୬) ଏବଂ ୨୦୧୭ରେ ଦଲୀପ ଟ୍ରଫି ଫାଇନାଲ୍ (ଗୋଲାପି ବଲ୍)ରେ ୧୧ ୱିକେଟ୍ (୫/୯୪, ୬/୮୭) ଅକ୍ତିଆର କରିଥିଲେ। ୧୯ ବର୍ଷରୁ କମ୍ ବର୍ଗରେ ମୁମ୍ବାଇ ବିପକ୍ଷରେ ଶତକ ମଧ୍ୟ ହାସଲ କରିଥିଲେ। ୪ ବର୍ଷ ହେବ ରଣଜୀ ଟ୍ରଫି ଖେଳିନଥିବା ସୁନ୍ଦର ମୋଟ ୧୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ନିଜ କ୍ରିକେଟ୍ ସ୍ବପ୍ନକୁ ସାକାର କରିପାରିନଥିବା ଏମ୍ ସୁନ୍ଦର ଏବେ ପୁଅକୁ ଟେଷ୍ଟ୍ ଖେଳାଳି ରୂପରେ ପାଇ ବହୁତ ଖୁସି ହୋଇଛନ୍ତି। ତାଙ୍କ ଝିଅ ମଧ୍ୟ ତାମିଲନାଡୁ ପାଇଁ ୪୨ ମ୍ୟାଚ୍‌ ଖେଳି ସାରିଛନ୍ତି।

ସମ୍ବନ୍ଧିତ ଖବର