ଦୁବାଇ : ଆସନ୍ତା ଆଇପିଏଲ୍ରେ ୟୁଏଇ ପିଚ୍ରୁ ସ୍ପିନରଙ୍କୁ ଭରପୂର ସହଯୋଗ ମିଳିବ ବୋଲି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସ୍ପିନର ୱାସିଙ୍ଗଟନ୍ ସୁନ୍ଦର କହିଛନ୍ତି। ଏପରିକି ସମସ୍ତ ଅଭ୍ୟାସ ପିଚ୍ଗୁଡ଼ିକ ମଧ୍ୟ ବହୁତ ଧିମା ରହୁଛି। ତେଣୁ ମ୍ୟାଚ୍ବେଳେ ମଧ୍ୟ ଏହିଭଳି ପିଚ୍ ମିଳିବ ବୋଲି ସେ ଆଶା ରଖିଛନ୍ତି। ଏବେ ଦୁବାଇରେ ତାପମାତ୍ରା ଟିକେ ଅଧିକ ରହୁଥିବାରୁ ପ୍ରତିଯୋଗିତାର ମଧ୍ୟଭାଗ ବେଳକୁ ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିଥିବା ଦେଖିବାକୁ ମିଳିପାରେ ବୋଲି ସୁନ୍ଦର କହିଛନ୍ତି। ଆର୍ସିବି ଟ୍ବିଟର ପେଜ୍ରେ ଦେଇଥିବା ଏକ ସାକ୍ଷତକାରରେ ସୁନ୍ଦର କହିଛନ୍ତି ଯେ ପ୍ରତିଯୋଗିତା ପାଇଁ ରଣନୀତି ପ୍ରସ୍ତୁତ ହୋଇଗଲାଣି ଏବଂ ମନ ଓ ଶରୀର ପରିବେଶ ସହ ଖାପଖୁଆଇଲାଣି। ତେଣୁ ଆଗକୁ ଆମର ସାହସୀ ବୋଲରମାନେ କ’ଣ କରି ଦେଖାଉଛନ୍ତି ତାହାକୁ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ ଠିକ୍ ଲୟରେ ଏବଂ ଉଚିତ୍ ସ୍ଥାନରେ ବଲ୍ ପକାଇଲେ ସଫଳତା ନିଶ୍ଚୟ ମିଳିବ। ଆର୍ସିବି ସ୍ପିନର ଶାହାବାଜ ଅହମ୍ମଦ ଓ ଯୁଜ୍ବେନ୍ଦ୍ର ଚହଲ ଅଧିନାୟକଙ୍କ ସହ ମ୍ୟାଚ୍ ବେଳେ ସଠିକ୍ ଯୋଗାଯୋଗ ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି। ମ୍ୟାଚ୍ବେଳେ କେଉଁ ଲାଇନ୍ରେ କିଭଳି ବଲ୍ ପକାଇବାକୁ ହେବ ତାହା ଉପରେ କୋହଲି ମାର୍ଗଦର୍ଶନ କରିପାରିବେ। ପିଚ୍ ଧିମା ଥିବାରୁ ବଲ୍ ବ୍ୟାଟ୍ ପାଖକୁ ଠିକ୍ରେ ଆସିବନି। ତେଣୁ କେଉଁ ଲାଇନ୍ରେ ଓ କେତେ ଦୂରତାରେ ବଲ୍ ପକାଇବାକୁ ହେବ ସେ ବିଷୟରେ କୋହଲିଙ୍କ ସହ ଆଲୋଚନା କରିଥିବା ଚହଲ କହିଛନ୍ତି। ବୋଲିଂ କଲାବେଳେ ତୁମର ଶ୍ରେଷ୍ଠବଲ୍ ପକାଇବାକୁ କୋହଲି ପରାମର୍ଶ ଦେଉଥିବା ବେଳେ ପିଚ୍ ଧିମା ଥିବାରୁ ଆଉଟିକେ ଦ୍ରୁତ ଗତିରେ ବଲ୍ ପକାଇବାକୁ ସେ କହିଛନ୍ତି। ତେବେ ଶାହାବାଜ ଉଭୟ ବ୍ୟାଟିଂ ଓ ବୋଲିଂରେ ଧ୍ୟାନ ଦେଉଥିବା କହିଛନ୍ତି। ଆଇପିଏଲ୍ରେ ଆର୍ସିବି ତିନିଥର ଫାଇନାଲ୍କୁ ଯାଇଥିଲେ ବି କୌଣସି ଥର ଟ୍ରଫି ଜିତିପାରିନାହିଁ।
ୟୁଏଇ ପିଚ୍ ସ୍ପିନରଙ୍କୁ ସୁହାଇବ: ସୁନ୍ଦର
/sambad/media/post_attachments/wp-content/uploads/2020/09/130556-pccdthznje-1573191452.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)