ବ୍ରିସ୍‌ବେନ୍: ଭାରତୀୟ ଅଲ୍‌ରାଉଣ୍ଡର ୱାସିଂଟନ୍‌ ସୁନ୍ଦର ଏବଂ ସାର୍ଦୁଳ ଠାକୁର ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ୍‌ର ତୃତୀୟ ଦିବସରେ ନିଜ ନିଜ ନାମରେ ବହୁ କୀର୍ତ୍ତିମାନ ଯୋଡ଼ି ଦେଇଛନ୍ତି। ଉଭୟ ନିଜ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ସୁନ୍ଦର ଅଷ୍ଟ୍ରେଲିଆ ମାଟିରେ ଏକ ଟେଷ୍ଟ୍‌ ମ୍ୟାଚ୍‌ରେ ୧୧୦ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗିଦେବା ସବୁଠୁ ଚର୍ଚ୍ଚାରେ ରହିଛି। ଅଷ୍ଟ୍ରେଲିଆରେ ୭ ନମ୍ବର ପଦାର୍ପଣରେ ସର୍ବୋଚ୍ଚ ସ୍କୋର୍‌ (୬୨) କରିବାର ଗୌରବ ବହନ କରିଛନ୍ତି ଏହି ତାମିଲନାଡୁ ଅଫ୍‌ ସ୍ପିନର। ୧୪୪ ବଲ୍‌ରୁ ୭ ଚୌକା ଓ ୧ ଛକା ସହାୟତାରେ ଚମତ୍କାର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ସୁନ୍ଦର ଜଣେ ଭାରତୀୟ ପଦାର୍ପଣକାରୀ ଭାବେ ୭ ନମ୍ବରରେ ବ୍ୟାଟିଂ କରି ତୃତୀୟ ସର୍ବୋଚ୍ଚ ସ୍କୋରର୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ସ୍ଥାନରେ ବ୍ୟାଟିଂ କରି ୧୯୯୬ରେ ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ରାହୁଲ ଦ୍ରାବିଡ୍‌ ୯୫ ରନ୍‌ କରିଥିଲେ।ପୁଣି ସୁନ୍ଦରଙ୍କ ୬୨ ରନ୍‌ ମଧ୍ୟ ପଦାର୍ପଣରେ ୭ ନମ୍ବରରେ ବ୍ୟାଟିଂ କରିଥିବା ଜଣେ ଭ୍ରମଣକାରୀ ଖେଳାଳି ଭାବେ ସର୍ବୋଚ୍ଚ କୀର୍ତ୍ତିମାନ। ଏହି କୀର୍ତ୍ତିମାନ ପୂର୍ବରୁ ଇଂଲଣ୍ଡର ଫ୍ରାଙ୍କ୍‌ ଫୋଷ୍ଟର (୫୬ ରନ୍‌, ୧୯୧୧ ମସିହା)ଙ୍କ ନାମରେ ରହିଥିଲା।

Advertisment

ପଦାର୍ପଣରେ ୩ ୱିକେଟ୍‌ ଓ ଅର୍ଦ୍ଧଶତକରେ ପ୍ରଥମ ଭ୍ରମଣକାରୀ କ୍ରିକେଟର୍‌
ସୁନ୍ଦର ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ୍‌ରେ ଘରୋଇ ଦଳର ପ୍ରଥମ ପାଳିରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାପରେ ସେ ଭାରତ ପ୍ରଥମ ପାଳିରେ ଅର୍ଦ୍ଧଶତକ ଜମାଇଥିଲେ। ଅଷ୍ଟ୍ରେଲିଆ ମାଟିରେ ପଦାର୍ପଣରେ ଏପରି ଯୁଗଳ ସଫଳତା ହାସଲ କରିବାରେ ସୁନ୍ଦର ୭୪ ବର୍ଷ ପରେ ପ୍ରଥମ ଭ୍ରମଣକାରୀ କ୍ରିକେଟର୍‌ ହୋଇଛନ୍ତି। ସେ ମଧ୍ୟ ଏକ୍ଷେତ୍ରରେ ତୃତୀୟ ଭାରତୀୟ ରହିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ କ୍ରିକେଟର୍‌ ଭାବେ ଦତ୍ତୁ ଫାଡ୍‌କର ୧୯୪୭-୪୮ ଗସ୍ତ ଅବସରରେ ସିଡ୍‌ନିରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରି ୫୧ ରନ୍‌ କରିଥିଲା ବେଳେ ୧୪ ରନ୍‌ରେ ୩ ୱିକେଟ୍‌ ଦଖଲ କରିଥିଲେ। ଅନ୍ୟ ଭାରତୀୟ ଭାବେ ହନୁମା ବିହାରୀ (୨୦୧୮ ସେପ୍ଟେମ୍ବର ୭ରୁ ୧୧, ବ୍ରିସ୍‌ବେନ୍‌, ୫୦* ରନ୍‌, ୩/୮୯) ମଧ୍ୟ ଏଭଳି ଯୁଗଳ ସଫଳତା ହାତେଇଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରି ୬୭ ରନ୍‌ କରିଥିବା ସାର୍ଦୁଳ ତୃତୀୟ ସର୍ବୋଚ୍ଚ ସ୍କୋରର୍‌ ରହିଛନ୍ତି।publive-image

ଆଝାର-ପ୍ରଭାକରଙ୍କୁ ଟପିଲେ
ଗାବା ଟେଷ୍ଟ୍‌ର ତୃତୀୟ ଦିବସରେ ୱାସିଂଟନ୍‌ ସୁନ୍ଦର ଏବଂ ସାର୍ଦୁଳ ଠାକୁର ସପ୍ତମ ୱିକେଟ୍‌ରେ ୧୨୩ ରନ୍‌ର ଭାଗୀଦାରି ଗଢ଼ି ଭାରତକୁ ବିପଦମୁକ୍ତ କରିଥିଲେ। ଭାରତ ପାଇଁ ଏହା ସପ୍ତମ ୱିକେଟ୍‌ରେ ତୃତୀୟ ସର୍ବୋଚ୍ଚ ଭାଗୀଦାରି କୀର୍ତ୍ତିମାନ। ଏକ୍ଷେତ୍ରରେ ସୁନ୍ଦର-ସାର୍ଦୁଳ କପିଳ ଦେବ-ମନୋଜ ପ୍ରଭାକର ଏବଂ ମହମ୍ମଦ ଆଝାରୁଦ୍ଦିନ୍‌-ପ୍ରଭାକରଙ୍କୁ ଟପି ଯାଇଛନ୍ତି। ୧୯୯୧ରେ କପିଳ-ପ୍ରଭାକର ୫୮ ରନ୍‌ର ଭାଗୀଦାରି ଗଢ଼ିଥିଲା ବେଳେ ୧୯୯୨ରେ ଆଡିଲେଡ୍‌ରେ ଆଝାର-ପ୍ରଭାକର ୧୦୧ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଏବେ ୨୦ ବର୍ଷ ପରେ ଏହି ଦୁଇଟି କୀର୍ତ୍ତିମାନକୁ ସୁନ୍ଦର-ସାର୍ଦୁଳ ଭାଙ୍ଗି ଦେଇଛନ୍ତି। ସୁନ୍ଦର-ସାର୍ଦୁଳଙ୍କ ୧୨୩ ରନ୍‌ ଭାଗୀଦାରି ବଳରେ ଏକ ସମୟରେ ୧୮୬/୬ରେ ସଂଘର୍ଷ କରିଥିବା ଭାରତ ପ୍ରଥମ ପାଳି ୩୩୬ ରନ୍‌ରେ ପହଞ୍ଚି ଯାଇଥିଲା।