କୋହଲିଙ୍କ ବ୍ୟାଟିଂ ଦେଖୁଥିଲେ ସବୁବେଳେ ଖୁସି ଲାଗେ: ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ

ନୂଆଦିଲ୍ଲୀ: କେପ୍‌ଟାଉନ୍‌ରେ ନିଜ କ୍ୟାରିୟରର ୨ୟ ସର୍ବଶ୍ରେଷ୍ଠ ପାଳି ଖେଳିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ୱର ମହାନ୍‌ ଖେଳାଳିମାନେ ପ୍ରଶଂସା କରୁଛନ୍ତି। ଏହି ପ୍ରଶଂସକମାନଙ୍କ ତାଲିକାରେ ଅଛନ୍ତି ପାକିସ୍ତାନର ପୂର୍ବତନ ବୋଲର ଓ୍ଵାସିମ ଆକ୍ରମ। ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଆକ୍ରମ ବହୁତ ପ୍ରଶଂସା କରି କହିଛନ୍ତି, କୋହଲିଙ୍କ ବ୍ୟାଟିଂ କରୁଥିବା ଦେଖୁଥିଲେ ସବୁବେଳେ ଖୁସି ଲାଗିଥାଏ। କୋହଲିଙ୍କ ଫିଟନେସ୍‌ ତାଙ୍କୁ ଏକ ଭିନ୍ନ ସ୍ତରରେ ପହଞ୍ଚାଇଛି।

ଆକ୍ରମ କହିଛନ୍ତି, ସୁନିଶ୍ଚିତ ଭାବରେ କୁହାଯାଇ ପାରିବ ଯେ, ଫିଟ୍‌ନେସର ମୂଲ୍ୟ ରହିଛି। ବହୁଦିନ ଖେଳିବା ପରେ ବ୍ୟାଟ୍‌ସମ୍ୟାନ୍‌ ଅଭିଜ୍ଞ ହୋଇଯାଇଥାଏ। ସେ ଜାଣିପାରି ଥାଏ ଯେ, କେଉଁ ବଲକୁ କେମିତି ଖେଳାଯିବ। ମୁଁ ଭାବୁଛି ଯେ, କୋହଲିଙ୍କୁ ୨-୩ ବର୍ଷ ପୂର୍ବରୁ ଏହି ଅଭିଜ୍ଞତା ମିଳି ସାରିଛି। କେଉଁ ପରିସ୍ଥିତିରେ କିଭଳି ବ୍ୟାଟିଂ କରାଯିବ କୋହଲି ଭଲ ଭାବରେ ଜାଣିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ ସମୁଦାୟ ୩୧୮ ରନ ସଂଗ୍ରହ କରିସାରିଛନ୍ତି। କୋହଲି ଡରବାନରେ ୧୧୨ ରନ୍‌, ସେଞ୍ଚୁରିଅନ୍‌ରେ ୪୬ ରନ୍‌ ଓ କେପ୍‌ଟାଉନ୍‌ରେ ଅପରାଜିତ ୧୬୦ ରନ୍‌ ସଂଗ୍ରହ କରିଛନ୍ତି। କୋହଲି ଭାରତକୁ ୩-୦ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି।

କେପ୍‌ଟାଉନ୍‌ରେ ବିରାଟ ଉତ୍ତମ ପ୍ରଦର୍ଶନ କରିବା ନେଇ ଆକ୍ରମ ପ୍ରଶଂସା କରିଛନ୍ତି। କୋହଲିଙ୍କ ପ୍ରଦର୍ଶନ ସବୁକ୍ଷେତ୍ରରେ ବହୁତ ଭଲ। ଆକ୍ରମ କହିଛନ୍ତି, ଆଜିର ଦିନରେ ମୁଁ ଯଦି କୋହଲିଙ୍କୁ ବୋଲିଂ କରିବି, ହଇରାଣ ହେବାକୁ ପଡ଼ିବ। ଯେମିତି ପିଚ୍‌ ହେଉ ପଛେ କୋହଲିଙ୍କୁ ବୋଲିଂ କରିବା ସହଜ ନୁହେଁ।

ସମ୍ବନ୍ଧିତ ଖବର