ନୂଆଦିଲ୍ଳୀ: ଗୁରୁବାର ଜୁଲାଇ ୪ ତାରିଖରେ ନିଜ ଦେଶକୁ ଫେରିଛି ଟିମ୍ ଇଣ୍ଡିଆ। ଐତିହାସିକ ଟି-୨୦ ବିଶ୍ୱକପ ବିଜୟ ପରେ ଦଳର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କୁ ଦେଖି ଭାବପ୍ରବଣ ହୋଇ ଯାଇଥିଲେ ତାଙ୍କ ମାଆ ପୂର୍ଣ୍ଣିମା। ପୁଅ ଦେଶକୁ ଫେରବିା ପରେ ସେ ତାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ଏବେ କ୍ୟାମେରାରେ କଏଦ ହୋଇଛି।
ବିମାନ ବନ୍ଦରରେ ବିଶ୍ୱ ଚାମ୍ପିଅନ୍ସକୁ ସ୍ୱାଗତ କରିବାକୁ ଏକତ୍ରିତ ହୋଇଥିବା ପ୍ରଶଂସକଙ୍କ ଠାରୁ ପୂରା ଟିମକୁ ଖୁବ୍ ଭଲପାଇବା ମିଳିଥିଲା। ଟିମ୍ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେମାନଙ୍କର ଏକ ସ୍ବତନ୍ତ୍ର ସାକ୍ଷାତ୍ର ଆୟୋଜନ କରାଯାଇଥିଲା।
ଭାରତୀୟ ଅଧିନାୟକ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ପିତାମାତା ଗୁରୁନାଥ ଏବଂ ପୂର୍ଣ୍ଣିମା ଶର୍ମାଙ୍କୁ ମଧ୍ୟ ଭେଟିଥିଲେ ଓ ତାଙ୍କ ମା ତାଙ୍କୁ ଦେଖି ଭାବପ୍ରବଣ ହୋଇଥିଲେ। ପୂର୍ଣ୍ଣିମା ବାରମ୍ବାର ରୋହିତଙ୍କୁ ଚୁମ୍ବନ ଦେଇ ଆଲିଙ୍ଗନ କରିଥିଲେ ଯାହା ଗଣମାଧ୍ୟମ ଦ୍ୱାରା କଏଦ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଭାରତର ସଫଳ ଅଭିଯାନରେ ରୋହିତ ଏହି ଟୁର୍ନାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଦେଶକୁ ଫେରିଛନ୍ତି। ଟିମ୍ ଇଣ୍ଡିଆ ସକାଳ ୬ ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି।
ଏହାପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟିମ୍ ଇଣ୍ଡିଆ ବସ୍ରେ ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଭାରତୀୟ ଦଳର ଖେଳାଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।