କଟକ: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ତୃତୀୟ ଦୃଷ୍ଟିବାଧିତ ଟ୍ବେଣ୍ଟି-୨୦ ବିଶ୍ବକପ କ୍ରିକେଟରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ସକାଳ ସାଢେ ୧୦ଟା ରେ ଆରମ୍ଭ ହେବ। ମ୍ୟାଚ୍ ଆୟୋଜନ ସଂକ୍ରାନ୍ତରେ ଏକ ସମ୍ବାଦିକ ସମ୍ମିଳନୀ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଭାରତର ଅଧିନାୟକ ଅଜୟ କୁମାର ରେଡ୍ଡି, ପ୍ରଶିକ୍ଷକ ଆସିଫ୍ ବାସା, କାବି ଓଡ଼ିଶାର ସଭାପତି ମହମ୍ମଦ ଜାଫର ଇକବାଲ ଉପସ୍ଥିତ ରହି ମ୍ୟାଚ ପ୍ରସ୍ତୁତି ସଂପର୍କରେ ନିଜର ମତ ରଖିଥିଲେ। ବାରବାଟୀ ପଡ଼ିଆ ଭାରତ ପାଇଁ ଲକି ବୋଲି ସମସ୍ତେ ମତ ରଖିଛନ୍ତି। ପୂର୍ବରୁ ଓଡ଼ିଶାରେ ଦୁଇଟି ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟରେ ଭାରତ ବିଜୟୀ ହୋଇଛି।
ସେହିଭଳି ୨୦୧୪ରେ ଦୃଷ୍ଟିବାଧିକ କ୍ରିକେଟ ଶିବିର ବାରବାଟୀରେ ଅନୁଷ୍ଠିତ ହୋଇଥିଲା। ସେହିବର୍ଷ ଭାରତ ବିଶ୍ବକପ୍ ଜିତି ପାରିଥିଲା। ବାରବାଟୀ ଭାରତ ପାଇଁ ଲକି ହୋଇଥିବାରୁ ମଙ୍ଗଳବାର ମ୍ୟାଚ୍ ମଧ୍ୟ ଭାରତ ସପକ୍ଷରେ ଯିବ ବୋଲି ଅଧିନାୟକ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଏକ ଶକ୍ତିଶାଳୀ ଦଳ। ବାଂଲାଦେଶ ଏବେ ପଏଣ୍ଟ୍ ଟେବୁଲରେ ଶୀର୍ଷରେ ଥିବା ବେଳେ ଭାରତ ୫ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି। ବାରବାଟୀରେ ଭାରତ ବିଜୟୀ ହୋଇ ପଏଣ୍ଟ୍ ଟେବୁଲ ଶୀର୍ଷରେ ରହିବାକୁ ଭାରତ ଆଶା ରଖିଛି। ଚଳିତ ବିଶ୍ବକପରେ ନେପାଳ, ଅଷ୍ଟ୍ରେଲିଆକୁ ପରାସ୍ତ କରିବା ସହିତ ଅମୀମାଂସିତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଭାରତ ଗୋଟିଏ ପଏଣ୍ଟ ପାଇ ମୋଟ ୫ପଏଣ୍ଟରେ ଟେବୁଲର ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇ ୬ ପଏଣ୍ଟ ପାଇଛି। ଓଡ଼ିଶାରୁ ନକୁଳ ବଡନାୟକ ଭାରତୀୟ ଦଳରେ ଖେଳୁଛନ୍ତି।