ଝାରସୁଗୁଡ଼ା: ଅକ୍ଟୋବର ସରିନି। କିନ୍ତୁ ଏବେଠୁ ଆରମ୍ଭ ହୋଇଗଲାଣି ଜଳକଷ୍ଟ। ଓଡ଼ିଶାରେ ଖରିଫ ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପାଣି ଅଭାବରୁ ଚାଷ ଉଜୁଡ଼ିଯିବାକୁ ବସିଲାଣି। ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀରୁ ଛତିଶଗଡ଼ ପାଣି ଶୋଷି ନେବା ଯୋଗୁ ଓଡ଼ିଶା ଚାଷୀ ଜଳ ପ୍ରତାରଣାର ଶିକାର ହେଉଥିବା ବର୍ଷ ବର୍ଷ ଧରି ଅଭିଯୋଗ ହୋଇଆସୁଛି। ଅନ୍ୟପଟେ ଓଡ଼ିଶା ସୀମାରେ ଛତିଶଗଡ଼ର ଶେଷ ବ୍ୟାରେଜ୍ କଲ୍ମା ତଳେ ଥିବା ଚାଷୀଙ୍କର ଦୁର୍ଦ୍ଦଶା ମଧ୍ୟ କିଛି କମ୍ ନୁହେଁ। ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳକୁ ଛତିଶଗଡ଼ର ଚାଷୀ ମଧ୍ୟ ଅନନ୍ୟୋପାୟ ହୋଇ ଏବେ ନଦୀ ଭିତରେ ଥିବା ଶୁଖିଲା ଜମିରେ ଚାଷ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଶୁଖିଯାଉଛି ଚିରସ୍ରୋତା ମହାନଦୀ
ଛତିଶଗଡ଼ରେ ବି ସ୍ଥିତି ସଙ୍ଗିନ
ଚାଷ ପଦ୍ଧତି ବଦଳାଇଲେଣି ଚାଷୀ
ସାଧାରଣତଃ ସେପ୍ଟେମ୍ବର ୩୦ ଯାଏ ବର୍ଷାଋତୁ ଭାବେ ଗଣନା କରାଯାଉଥିବା ବେଳେ ଚଳିତବର୍ଷ ମହାନଦୀର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ବି ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଫଳସ୍ବରୂପ ଛତିଶଗଡ଼ର ରାୟଗଡ଼, ସୁରଗୁଜା ଭଳି ଜିଲ୍ଲାରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ତେବେ ଛତିଶଗଡ଼ ସରକାର ମହାନଦୀ ଉପରେ କରିଥିବା ବ୍ୟାରେଜ୍ ପ୍ରକଳ୍ପ ଯୋଗୁ ଜଳ ସଂରକ୍ଷିତ ହୋଇ ତାହା ଶିଳ୍ପ ବ୍ୟବହାରରେ ଲାଗୁଛି। ଓଡ଼ିଶା ସୀମାକୁ ଲାଗି ରହିଥିବା ଶେଷ ବ୍ୟାରେଜ୍ କଲ୍ମାରେ ଶୁକ୍ରବାର ୨ଟି ଗେଟ୍ ଆଂଶିକ ଖୋଲା ରହିଥିଲା। କଲ୍ମା ବ୍ୟାରେଜ୍ର ସର୍ବାଧିକ ଜଳଧାରଣ କ୍ଷମତା ୧୯୭ ଫୁଟ୍ ରହିଥିବା ବେଳେ ଶୁକ୍ରବାର ସୁଦ୍ଧା ଏଠାରେ ୧୯୫.୬୫ ଫୁଟ୍ ପାଣି ରହିଥିଲା। ବ୍ୟାରେଜ୍ ଦେଇ ଓଡ଼ିଶା ପଟକୁ ଯେତିକି ପାଣି ଆସୁଛି ତାହା ଯଥେଷ୍ଟ ନୁହେଁ। ଯାହାଫଳରେ କଲ୍ମା ବ୍ୟାରେଜ୍ ତଳକୁ ମହାନଦୀର ଛତିଶଗଡ଼ ପାର୍ଶ୍ବରେ ଅନେକ ସ୍ଥାନ ପଡ଼ିଆ ପଡ଼ିଛି। ସୂରଜଗଡ଼ ଗେଜ ଷ୍ଟେସନ୍ରୁ ବି ପାଣି ଯଥେଷ୍ଟ ଦୂରକୁ ଖସି ସାରିଥିବା ଦେଖିବାକୁ ମିଳିଛି। ସେଠାକାର ଚାଷୀ ଅଭିମନ୍ୟୁ ମାଝୀଙ୍କ କହିବାନୁସାରେ, ଗତ କିଛି ବର୍ଷ ହେବ ବର୍ଷାଦିନକୁ ଛାଡ଼ି ଅନ୍ୟ ଦିନରେ ମହାନଦୀରେ ପାଣି ରହୁନଥିବାରୁ ଏଠାକାର ଚାଷୀ ସେମାନଙ୍କର ଚାଷ ପଦ୍ଧତି ବି ବଦଳାଇ ସାରିଲେଣି।
ଯେଉଁ ଚାଷୀ ବୋରୱେଲ୍ ଖୋଳି ପାରୁଛନ୍ତି ସେମାନେ ଧାନଚାଷ କରୁଥିବା ବେଳେ ଅନ୍ୟମାନେ ମହାନଦୀ କୂଳରେ ଥିବା ଓଦାମାଟିରେ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟ ଜଣେ ଚାଷୀ ବିଶିକେସନ ପ୍ରଧାନଙ୍କ କହିବା ମୁତାବକ, ସରକାର କଲ୍ମା ବ୍ୟାରେଜ୍ରୁ କେବଳ ଶିଳ୍ପ ପାଇଁ ପାଣି ଦେଉଥିବା ବେଳେ ବ୍ୟାରେଜ୍ ତଳମୁଣ୍ଡରେ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନି। ଏବେ ମହାନଦୀ ଶୁଖିବାକୁ ବସିଥିବାରୁ ସେମାନେ ବୋର୍ୱେଲ ପାଣିରେ ହିଁ ଧାନଚାଷ କରିବାକୁ ଓ ପାନୀୟଜଳର ଆବଶ୍ୟକତା ମେଣ୍ଟାଇବାକୁ ବାଧ୍ୟ ହେଉଥିବା ଶ୍ରୀ ପ୍ରଧାନ କହିଛନ୍ତି। ସେପଟେ ପାଣି କମ୍ ଆସିବା ଯୋଗୁ ଏବେ ହୀରାକୁଦ ଜଳଭଣ୍ଡାରରୁ ଅଢ଼େଇ ଫୁଟ୍ରୁ ବି ଅଧିକ ପାଣି ଖସିଗଲାଣି। ଗତବର୍ଷ ଅକ୍ଟୋବର ୨୧ ତାରିଖ ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୪୭ ଥିବା ବେଳେ ଚଳିତବର୍ଷ ୪ ଦିନ ପୂର୍ବରୁ ଜଳସ୍ତର ଆହୁରି ଏକ ଫୁଟ୍ ଅର୍ଥାତ୍ ୬୨୭କୁ ଖସି ସାରିଲାଣି। ଯାହାଦ୍ବାରା ଓଡ଼ିଶା ପାର୍ଶ୍ବ ଝାରସୁଗୁଡ଼ା ଜିଲ୍ଲାରେ ଜଳଭଣ୍ଡାର ଉପରେ ନିର୍ଭରଶୀଳ ଚାଷୀଙ୍କ ଦୁଃଖ ମଧ୍ୟ ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/20/wS7OsZ0lRVSWkHVd1kko.jpg)