ଓ୍ଵାଟ୍‌ସନ୍‌ ଝଡ଼ ସନ୍‌ରାଇଜର୍ସ ଅସ୍ତ

ମୁମ୍ବାଇ: ବାସନ୍ଦାଦେଶ ଓ ଦୁଇ ବର୍ଷର ବ୍ୟବଧାନ ବି ଚେନ୍ନାଇ ସୁପରକିଙ୍ଗ୍ସର ବିଜୟ ରଥକୁ ରୋକି ପାରି ନାହିଁ। ମହେନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଫାଇନାଲ୍‌ ଯାଇଥିବା ଚେନ୍ନାଇ ଅଷ୍ଟ୍ରେଲୀୟ ତାରକା ସେନ୍‌ ଓ୍ଵାଟସନ (୧୧୭* ରନ୍‌, ୫୭ ବଲ୍‌, ୧୧ ଚୌକା, ୮ ଛକା)ଙ୍କ ଚୌକା ଛକା ବର୍ଷାରେ ହିଁ ତୃତୀୟ ଥର ଆଇପିଏଲ୍‌ ଟ୍ରଫି ଜିତି ନେଇଛି। ଦକ୍ଷ ବୋଲିଂ ବାହିନୀ ପାଇଁ ଏକାଧିକ ଥର ଛୋଟିଆ ସ୍କୋରରେ ବିଜୟୀ ହେବା ସହ ଅନେକ ବିପର୍ଯ୍ୟୟ ସୃଷ୍ଟି କରି ଫାଇନାଲ୍‌ ଯାଇଥିବା ହାଇଦ୍ରାବାଦ ସନରାଇଜର୍ସର ଚମକ ଯେମିତି ରବିବାର ଚେନ୍ନାଇ ଆଗରେ ପୂରା ଫିକା ପଡ଼ିଯାଇଛି। ଏହି ଦଳର ବୋଲରମାନେ ଓ୍ଵାଟ୍‌ସନଙ୍କ ଆଗରେ ପୂରା ଆତ୍ମସମର୍ପଣ କରିଦେଇଥିଲେ। ଫଳରେ ଚେନ୍ନାଇ ୮ ଓ୍ଵିକେଟ୍‌ର ସହଜ ବିଜୟ ହାସଲ କରି ଆଇପିଏଲ୍‌-୧୧ର ବିଜେତା ଆଖ୍ୟା ଅର୍ଜନ କରିଛି। ରବିବାର ହାଇଦ୍ରାବାଦ ୧୭୯ ରନ୍‌ର ଆହ୍ଵାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଓ୍ଵାଟ୍‌ସନ୍‌ ଝଡ଼ ସହାୟତାରେ ଚେନ୍ନାଇ ୯ ବଲ୍‌ ପୂର୍ବରୁ ଏବଂ ମାତ୍ର ୨ ଓ୍ଵିକେଟ୍‌ ହରାଇ ହାସଲ କରିନେବା ସହ ବିଜୟ ମୁକୁଟ ପିନ୍ଧିଲା। ୨୦୧୦ ଏବଂ ୨୦୧୧ରେ ଦୁଇଥର ଲଗାତାର ବିଜେତା ହୋଇଥିବା ଚେନ୍ନାଇ ୭ ବର୍ଷ ପରେ ପୁଣି ଥରେ ଆଇପିଏଲ୍‌ ଜିତିଲା। ତା’ ସହ ଆଇପିଏଲ୍‌ର ସଫଳତମ ଦଳ ହେବାର ଗୌରବ ମଧ୍ୟ ଲାଭ କଲା।

ବିନା ଅର୍ଧଶତକରେ ହାଇଦ୍ରାବାଦ ୧୭୮/୬
ଆଜିର ଏହି ପ୍ରତୀକ୍ଷିତ ଫାଇନାଲରେ ଚେନ୍ନାଇ ଟସ୍‌ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦ୍ୱିତୀୟ ଓଭରରେ ଶ୍ରୀବତ୍ସ ଗୋସ୍ୱାମୀ (୫) ଙ୍କୁ ରନ୍‌ ଆଉଟ୍‌ କରି ମାତ୍ର ୧୩ ରନ୍‌ରେ ହାଇଦ୍ରାବାଦକୁ ପ୍ରଥମ ଝଟକା ଦେଇଥିଲା। ସେହିଭଳି ରବୀନ୍ଦ୍ର ଜାଦେଜା ଏକ ସୁନ୍ଦର ବଲ୍‌ରେ ବିପଜ୍ଜନକ ଶିଖର ଧାଓ୍ଵନ (୨୬ ରନ୍‌, ୨୫ ବଲ୍‌, ୨ ଚୌକା, ୧ ଛକା)ଙ୍କୁ ବୋଲ୍ଡ କରି ଚେନ୍ନାଇ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ତଥାପି ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୪୭ ରନ୍‌, ୩୬ ବଲ୍‌, ୫ ଚୌକା, ୨ ଛକା) ଓ ୟୁସୁଫ ପଠାନ (୪୫* ରନ୍‌, ୨୫ ବଲ୍‌, ୪ ଚୌକା, ୨ ଛକା)ଙ୍କ ଉପଯୋଗୀ ପାଳି ବଳରେ ହାଇଦ୍ରାବାଦ ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ଅଲରାଉଣ୍ଡର ସକିବ-ଅଲ୍‌-ହାସନ (୨୩ ରନ୍‌, ୧୫ ବଲ୍‌, ୨ ଚୌକା, ୧ ଛକା) ଙ୍କ ସହ କ୍ରେଗ୍‌ ବ୍ରାଥେଓ୍ଵଟ୍‌ (୨୧*ରନ୍‌, ୧୧ ବଲ୍‌, ୩ ଛକା) ମଧ୍ୟ ଛୋଟିଆ ହେଲେ ଦ୍ରୁତ ପାଳି ଖେଳିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ସନ୍‌ରାଇଜର୍ସ ପାଳିରେ ଗୋଟିଏ ହେଲେ ବି ଅର୍ଧଶତକ ଦେଖିବାକୁ ମିଳି ନଥିଲା। ସେହିଭଳି ଶେଷ ଦୁଇ ଓଭରରୁ ଏହି ଦଳ କେବଳ ୧୮ ରନ୍‌ ସଂଗ୍ରହ କରି ପାରିଥିଲା। ନୂଆ ବଲ୍‌ରେ ଦୀପକ ଚହର ଏବଂ ଲୁଙ୍ଗି ଏନ୍‌ଗିଡ଼ି ଚେନ୍ନାଇ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେଥିପାଇଁ ହିଁ ହାଇଦ୍ରାବାଦ ୨୦୦ ରନ୍‌ ଛୁଇଁ ପାରି ନଥିଲା। ହେଲେ ଓ୍ଵିଲିୟମସନ୍‌ (୭୩୫) ବିରାଟ କୋହଲି (୯୭୩, ୨୦୧୬) ଓ ଡେଭିଡ୍‌ ଓ୍ଵାର୍ନର (୮୪୮)ଙ୍କ ପରେ ଗୋଟିଏ ଋତୁରେ ସର୍ବାଧିକ ରନ୍‌ କରିବାରେ ତୃତୀୟ ସ୍ଥାନରେ ପହଞ୍ଚି ଯାଇଥିଲେ।

ମେଡେନରୁ ଆରମ୍ଭ ଚୌକାରେ ମୁଣ୍ଡି
ଚେନ୍ନାଇର ବିଜୟ ଅଭିଯାନ କିନ୍ତୁ ମେଡେନ୍‌ ଓଭରରୁ ଆରମ୍ଭ ହୋଇଥିଲା। ଭୁବନେଶ୍ୱର କୁମାର ବୋଲିଂ କରିଥିବା ପ୍ରଥମ ଓଭରରୁ ଓ୍ଵାଟସନ୍‌ ଗୋଟିଏ ହେଲେ ବି ରନ୍‌ ସଂଗ୍ରହ କରି ପାରି ନଥିଲେ। ଯାହାର ଚାପ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁ ପ୍ଲେସିସଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଚତୁର୍ଥ ଓଭରରେ ମାତ୍ର ୧୦ ରନ୍‌ର ବ୍ୟକ୍ତିିଗତ ସ୍କୋରରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଏହା ପରେ ଅବଶ୍ୟ ଧିରେ ଧିରେ ଓ୍ଵାଟ୍‌ସନଙ୍କ ଲାଖ ଫିଟି ଯାଇଥିଲା। ଏକାଦଶ ବଲ୍‌ରେ ଖାତା ଖୋଲିଥିବା ଓ୍ଵାଟସନ୍‌ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ( ୩୨ ରନ୍‌, ୨୪ ବଲ୍‌, ୩ ଚୌକା, ୧ ଛକା)ଙ୍କ ସହ ମିଶି ଏକାକି ହାଇଦ୍ରାବାଦ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ବାରମ୍ବାର ବୋଲର ବଦଳାଇଥିଲେ ମଧ୍ୟ ସେ କାହାକୁ ଛାଡ଼ି ନଥିଲେ। ଲଗାତାର ଛକା ଚୌକା ବର୍ଷା କରି ଚେନ୍ନାଇକୁ ଏପ୍ରକାର ସହଜ ବିଜୟ ଉପହାର ଦେଇଥିଲେ। ୧୧୭ ରନ୍‌ର ଭାଗୀଦାରି ପରେ ରାଇନା ତାଙ୍କ ସାଥୀ ଛାଡ଼ି ଦେଇଥିଲେ। ହେଲେ ଓ୍ଵାଟ୍‌ସନ୍‌ ଶେଷ ପର୍ଯ୍ୟନ୍ତ ରହି ଚେନ୍ନାଇ ବିଜୟକୁ ପକ୍କା କରି ନେଇଥିଲେ। ଫାଇନାଲ୍‌ରେ ଚିତ୍ତାକର୍ଷକ ଶତକ ମାରିବାର ସ୍ମରଣୀୟ ଏବଂ ଅନନ୍ୟ ସଫଳତା ମଧ୍ୟ ଲାଭ କରିଥିଲେ। ତେବେ କ୍ରେଗ୍‌ ବ୍ରାଥେଓ୍ଵଟଙ୍କୁ କଭର ଉପରେ ଚୌକା ମାରି ଅମ୍ବାତି ରାୟୁଡୁ (୧୬* ରନ୍‌, ୧୯ ବଲ୍‌, ୧ ଚୌକା, ୧ ଛକା) ଚେନ୍ନାଇ ବିଜୟରେ ମୁଣ୍ଡି ମାରିଥିଲେ।

ଆରମ୍ଭରୁ ଶେଷ ଯାଏଁ
ଚେନ୍ନାଇ ଅଭିଯାନରେ ଅଷ୍ଟ୍ରେଲୀୟ ତାରକା ସେନ୍‌ ଓ୍ଵାଟସନ ହିଁ ପ୍ରମୁଖ ଭୂମିକା ତୁଲାଇଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଯାଦୁ ହିଁ ଦେଖିବାକୁ ମିଳିଥିଲା। ରକ୍ଷଣାତ୍ମକ ଢଙ୍ଗରେ ପାଳି ଆରମ୍ଭ କରିଥିବା ଓ୍ଵାଟ୍‌ସନ୍‌ ପରେ ନିଜ ଉଗ୍ର ରୂପ ଦେଖାଇଥିଲେ। ତାଙ୍କ ଆଗରେ ଯୁବ ସ୍ପିନର ରସିଦ ଖାନଙ୍କ ସହ ସନରାଇଜର୍ସର ସବୁ ବୋଲର ଫିକା ପଡ଼ି ଯାଇଥିଲେ। ଆଇପିଏଲ୍‌ର ଫାଇନାଲରେ ପଛରେ ବ୍ୟାଟିଂ କରି ଶତକ ଅର୍ଜନ କରିବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। ଓ୍ଵାଟ୍‌ସନ୍‌ ୩୩ ବଲ୍‌ରୁ ୩ ଚୌକା ଏବଂ ୪ ଛକା ବଳରେ ଅର୍ଧଶତକ ପୂରଣ କରିଥିଲେ। ସେହିଭଳି ୫୧ ବଲ୍‌ରୁ ୭ ଚୌକା ଓ ୮ ଛକା ବଳରେ ତିନି ଅଙ୍କ ଛୁଇଁଥିଲେ। ଚଳିତ ଋତୁରେ ବ୍ୟକ୍ତିଗତ ଭାବେ ଏହା ତାଙ୍କର ଦ୍ୱିତୀୟ ଶତକ ଥିଲା। ଜବରଦସ୍ତ ବ୍ୟାଟିଂ ପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୦୮ ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସକୁ ଏକାକି ବିଜୟୀ କରାଇଥିବା ଓ୍ଵାଟ୍‌ସନ୍‌ ଚେନ୍ନାଇକୁ ବିଜୟୀ କରି ନିଜ ଆଇପିଏଲ୍‌ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ିଥିଲେ।

ନାଟକୀୟ ଟସ୍‌: ମଞ୍ଜରେକରଙ୍କ ସହ ମଜା
ରବିବାର ଫାଇନାଲର ଟସ୍‌ ବେଳେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାଷ୍ୟକାର ଦାୟିତ୍ୱରେ ଥିବା ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକରଙ୍କ ସହ ଥଟ୍ଟା କରିବା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଆଜି ଟସ୍‌ ବେଳେ ଧୋନି ମୁଦ୍ରାକୁ ଉପରକୁ ପକାଇଥିଲେ। ହେଲେ ମଞ୍ଜରେକର ସମ୍ଭବତଃ ଏହା ଦେଖି ପାରି ନଥିଲେ। ଏଣୁ କିଏ ଟସ୍‌ ପକାଇଲା ଏବଂ କିଏ ଡାକିଲା ସେ ନେଇ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ଫଳରେ ଧୋନିଙ୍କୁ ତୁମେ ହେଡ୍‌ ଡାକିଲ ବୋଲି ପ୍ରଶ୍ନ କରିଥିଲେ। ହେଲେ ଧୋନି ପ୍ରତିପକ୍ଷ ଅଧିନାୟକ ଟେଲ୍‌ ଡାକିଲେ ବୋଲି କହିଥିଲେ। ଏହା ପରେ ମଧ୍ୟ ମଞ୍ଜରେକର ତାଙ୍କୁ ଛାଡ଼ି ନଥିଲେ। ହଁ ତୁମେ ହେଡ୍‌ ଡାକିଲ ବୋଲି ଧୋନିଙ୍କୁ ପୁଣି ପଚାରି ଥିଲେ। ଧୋନି ପୁଣି ଥରେ ହସି ହସି ଓ୍ଵିଲିୟମସନ୍‌ ଟେଲ୍‌ ଡାକିଲେ ବୋଲି କହିଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବା ମ୍ୟାଚ୍‌ ରେଫରିଙ୍କ ସହ ଧୋନି ଓ ଓ୍ଵିଲିୟମସନ୍‌ ମଧ୍ୟ ହସି ପକାଇଥିଲେ। ଶେଷରେ ଧୋନି ଟସ୍‌ ଜିତିବା ସ୍ପଷ୍ଟ ହେବା ସହ ସେ ଓ୍ଵିଲିୟମସନଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏହି ଘଟଣା ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ ଟସକୁ ମନେ ପକାଇ ଦେଇଥିଲା। ସେତେବେଳେ ମଧ୍ୟ ଟସକୁ ନେଇ ଭାଷ୍ୟକାର ଏମିତି ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ।

ଧୋନିଙ୍କ ଷ୍ଟମ୍ପିଂ କୀର୍ତ୍ତିମାନ
ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ସନରାଇଜର୍ସ ଅଧିନାୟକ କେନ୍‌ ଓ୍ଵିଲିୟମସନଙ୍କୁ ଷ୍ଟମ୍ପିଂ କରି ଆଇପିଏଲ୍‌ ଇତିହାସରେ ସର୍ବାଧିକ ଷ୍ଟମ୍ପିଂ କରିବାର କୀର୍ତ୍ତିମାନ ସେ କରି ନେଇଥିଲେ। ଏହି କ୍ରମରେ ଧୋନି (୩୩) କୋଲକାତା ନାଇଟ୍‌ ରାଇଡର୍ସର ଓ୍ଵିକେଟ୍‌ ରକ୍ଷକ ରବିନ ଉଥାପ୍ପାଙ୍କୁ ଟପିଥିଲେ।

ସମ୍ବନ୍ଧିତ ଖବର