ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ୨୪୩ ରନ୍‌ରେ ଅଟକାଇଲା ନ୍ୟୁଜିଲାଣ୍ଡ, ଟ୍ରେଣ୍ଟ ବୋଲଟ୍‌ଙ୍କୁ ୪ ଓ୍ଵିକେଟ୍‌

ଲଣ୍ଡନ: ଆଇସିସି ବିଶ୍ୱକପ୍‌-୨୦୧୯ର ଅଙ୍କ ତାଲିକାର ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଶନିବାର ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନାହିଁ। ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ପୂରା ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୨୪୩ ରନ୍‌ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୨୪୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଟ ବୋଲଟ୍‌ ୧୦ ଓଭର ବୋଲିଂ କରି ୪ଟି ଓ୍ଵିକେଟ୍‌ ନେଇଥିଲେ। ବୋଲଟ୍‌ଙ୍କ ଓଭରରୁ ଅଷ୍ଟ୍ରେଲିଆ ୫୧ ରନ୍‌ ସଂଗ୍ରହ କରିଥିଲା। ଲକି ଫରଗୁସନ ଓ ଜେମସ୍‌ ନୀଶମଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିଲା।

ଅଷ୍ଟ୍ରେଲିଆ ପାଇଁ ଉସମାନ ଖଓ୍ଵାଜା ସର୍ବାଧିକ ୮୮ ରନ୍‌ କରିଥିଲେ। ସେ ୧୨୯ଟି ବଲ ଖେଳି ୫ଟି ଚୌକା ମାରିଥିଲେ। ଟ୍ରେଣ୍ଟ ବୋଲଟ୍‌ଙ୍କ ଦ୍ୱାରା ଶିକାର ହୋଇ ଖଓ୍ଵାଜା ପାଭଲିଅନ ଫେରିଥିଲେ। ଆଲେକ୍ସ କେରୀ ୭୨ଟି ବଲ ଖେଳି ୭୧ ରନ୍‌ କରିଥିଲେ। ଏଥିରେ ୧୧ଟି ଚୌକା ସାମିଲ ଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କ ବଲ ମାର୍ଟିନ ଗୁପଟିଲଙ୍କୁ କ୍ୟାଚ୍‌ ଦେଇ କେରି ଆଉଟ୍‌ ହୋଇଥିଲେ। ଓପନର ଡେଭିଡ଼ ଓ୍ଵାର୍ଣ୍ଣର (୧୬ ରନ୍‌) ଓ ଆରୋନ ଫିଞ୍ଚ (୮ ରନ୍‌) ଶସ୍ତାରେ ଆଉଟ୍‌ ହୋଇଥିଲେ। ପେଟ୍‌ କମିନସ୍‌ ଅପରାଜିତ ୨୩ ରନ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍‌ ୨୧ ରନ୍‌ କରି ନୀଶମଙ୍କ ବଲ ଟମ୍‌ ଲାଥମଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆର ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଅଷ୍ଟ୍ରେଲିଆକୁ ୧୫ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଫିଞ୍ଚ ଆଉଟ୍‌ ହେବା ପରେ ସ୍କୋର ୩୮ ରନ୍‌ରେ ଓ୍ଵାର୍ଣ୍ଣର ଆଉଟ୍‌ ହୋଇଥିଲେ। ସେହିଭଳି ସ୍କୋର ୮୧ ରନ୍‌ରେ ଷ୍ଟେଇନିସ, ୯୨ ରନ୍‌ରେ ଗ୍ଲେନ ମେକ୍ସେଓ୍ଵଲ, ୧୯୯ ରନ୍‌ରେ ଆଲେକ୍ସ କେରୀ, ୨୪୩ ରନ୍‌ରେ ଖଓ୍ଵାଜା, ଷ୍ଟାର୍କସ ଓ ବେହରେନଡ୍ରଫ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର