ମଂଚେଷ୍ଟର: ଅଧିନାୟକ କେନ୍ ଓ୍ଵିଲିୟମସନ୍ଙ୍କ ବିସ୍ଫୋରକ ୧୪୮ ରନ୍ ବଳରେ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୨୯୧ ରନ୍ କରିଛି। ଓ୍ଵିଲିୟମସନ୍ ୧୫୪ଟି ବଲ ଖେଳି ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତାଙ୍କୁ ସାଥୀ ଖେଳାଳି ରସ୍ ଟେଲର ଭଲ ସହଯୋଗ କରିଥିଲେ। ଟେଲର ୯୫ଟି ବଲ ଖେଳି ୬୯ ରନ୍ କରିଥିଲେ। ଏଥିରେ ୭ଟି ଚୌକା ସାମିଲ ଥିଲା।
ଆଇସିସି ବିଶ୍ୱକପ୍-୨୦୧୯ର ୨୯ତମ ମ୍ୟାଚ୍ରେ ଟସ୍ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା। ମଂଚେଷ୍ଟରସ୍ଥିତ ଇମିରେଟସ୍ ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିିୟମ୍ରେ ନ୍ୟୁଜିଲାଣ୍ଡ ମାତ୍ର ୭ ରନ୍ ମଧ୍ୟରେ ନିଜର ଓପରନ ଦ୍ୱୟ ମାର୍ଟିନ ଗୁପଟିଲ ଓ କୋଲିନ ମୁନରୋଙ୍କୁ ହରାଇଥିଲା। ଗୁପଟିଲଙ୍କୁ ସେଲଡନ କଟଟ୍ରେଲ ଏଲବିଡବ୍ଲୁ କରିଥିବା ବେଳେ କଟଟ୍ରେଲଙ୍କ ବଲରେ ମୁନରୋ ବୋଲ୍ଡ ହୋଇଥିଲେ। ଉଭୟ ବ୍ୟାଟସ୍ମ୍ୟାନ୍ ଖାତା ନ ଖୋଲି ପାଭଲିଅନ୍ ଫେରିଥିଲେ।
ଟମ୍ ଲାଥମ ୧୨ ରନ୍, ଜେମସ୍ ନୀସମ ୨୮ ରନ୍, କୋଲିନ ଡି ଗ୍ରାଣ୍ଡହୋମ ୧୬ ରନ ଓ ମିଚେଲ ସଣ୍ଟନର ୧୦ ରନ୍ କରିଥିଲେ। ସେଲଡନ କଟଟ୍ରେଲଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ କାର୍ଲୋସ ବ୍ରାଥେଓ୍ଵଟ୍ ୨ଟି ଓ୍ଵିକେଟ ନେଇଥିଲେ। କ୍ରିସ୍ ଗେଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।