ବିଶ୍ୱକପ୍‌: ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୬୪ ରନ୍‌ରେ ବିଜୟୀ, ବେହରେନଡ୍ରଫଙ୍କୁ ୫ ଓ୍ଵିକେଟ୍‌

ଇଂଲଣ୍ଡର ୪ ବ୍ୟାଟସ୍‌ମ୍ୟାନଙ୍କୁ ପାଭଲିଅନ୍‌ ପଠାଇଲେ ମିଚେଲ ଷ୍ଟାକର୍ସ

ଲଡର୍ସ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ୨୦୧୯ର ୩୨ତମ ମ୍ୟାଚ୍‌ରେ ମଙ୍ଗଳବାର ଆୟୋଜକ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୬୪ ରନ୍‌ରେ ପରାସ୍ତ କରିଛି। ଆରୋନ ଫିଞ୍ଚଙ୍କ ଶିତକ ପରେ ଜସନ ବେହରେନ୍‌ଡ୍ରଫଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧରାଶୟୀ ହୋଇଛି। ବେହରେନଡ୍ରଫ ୧୦ ଓଭର ବୋଲିଂ କରି ୪୪ ରନ୍‌ ଦେଇଥିଲେ ଓ ୫ ଜଣ ଖେଳାଳିଙ୍କୁ ପାଭଲିଅନ୍‌ ପଠାଇଥିଲେ। ସେହିପରି ମିଚେଲ ଷ୍ଟାକର୍ସ ୮.୪ ଓଭର ବୋଲିଂ କରି ୪୩ ରନ୍‌ ଦେଇଥିବା ବେଳେ ଇଂଲଣ୍ଡର ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପାଭଲିଅନ୍‌ ପଠାଇଥିଲେ। ମାର୍କସ ଷ୍ଟୋଇନିସ୍‌ଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୮୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍‌ ୪୪.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୨୧ ରନ୍‌ କରିଛି। ଇଂଲଣ୍ଡର ବେନ୍‌ ଷ୍ଟୋକସ୍‌ ସର୍ବାଧିକ ୮୯ ରନ୍‌ କରିଥିଲେ। ସେ ୧୧୫ଟି ବଲ ଖେଳି ୮ଟି ଚୌକା ଓ ୨ଟି ଛକା ମଧ୍ୟ ମାରିଥିଲେ। ଜନି ବେୟାରଷ୍ଟୋ ୨୭ ରନ୍‌, କ୍ରିସ୍‌ ଓ୍ଵକସ୍‌ ୨୬ ରନ୍‌ ଓ ଜୋସ୍‌ ବଟଲର-ଆଦିଲ ରସିଦ୍‌ ୨୫-୨୫ ରନ୍‌ କରିଥିଲେ।

ପ୍ରଥମ ଇନିଂସରେ ଓପନର୍‌ ଆରୋନ୍‌ ଫିଞ୍ଚଙ୍କ ଶତକ (୧୦୦ ରନ୍‌, ୧୧୬ ବଲ, ୧୧ ଚୌକା, ୨ ଛକା) ବଳରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୨୮୬ ରନ୍‌ ଟାର୍ଗେଟ ଦେଇଥିଲା। ଆଇସିସି ବିଶ୍ୱକପ୍‌ ୨୦୧୯ର ୩୨ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୨୮୫ ରନ୍‌ କରିଛି। ଇଂଲଣ୍ଡର ବିଶ୍ୱ ପ୍ରସିଦ୍ଧ ଲଡର୍ସ ଷ୍ଟାଡିୟମ୍‌ରେ ଆରୋନ୍‌ ଓ ଡେଭିଡ ଓ୍ଵାର୍ଣ୍ଣର (୫୩ ରନ, ୬୧ ବଲ, ୬ ଚୌକା) ପ୍ରଥମ ଓ୍ଵିକେଟ୍‌ରେ ୧୨୩ ରନ୍‌ କରିଥିଲେ।

Hindustan Times

ଅଷ୍ଟ୍ରେଲିଆ ୧୭୩ ରନ୍‌ରେ ୨ୟ ଓ୍ଵିକେଟରେ ଉସମାନ୍‌ ଖଓ୍ଵାଜା (୨୩ ରନ୍‌)ଙ୍କୁ ହରାଇଥିଲା। ସେହିପରି ସ୍କୋର ୧୮୫ ରନ୍‌ରେ ୩ୟ ଓ୍ଵିକେଟରେ ଆରୋନ ଆଉଟ ହୋଇ ପାଭଲିଅନ୍‌ ଫେରିଥିଲେ। ଇଂଲଣ୍ଡର ୪ର୍ଥ ଶିକାର ୨୧୩ ରନ୍‌ରେ (ଗ୍ଲେନ ମେକ୍ସେଓ୍ଵଲ ୧୨ ରନ୍‌), ୨୨୮ ରନ୍‌ରେ ୫ମ ଓ୍ଵିକେଟରେ ମାର୍କସ ଷ୍ଟୋଇନିସ (୮ ରନ୍‌) ଆଉଟ୍‌ ହୋଇଥିଲେ। ସ୍କୋର ୨୫୦ ରନରେ ଅଷ୍ଟ୍ରେଲିଆ ଷ୍ଟିଭେନ୍‌ ସ୍ମିଥ, ୨୫୯ ରନ୍‌ରେ ପେଟ୍‌ କମିନ୍‌ସ (୧ ରନ୍‌) ଆଉଟ୍‌ ହୋଇଥିଲେ।

ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ଅଷ୍ଟ୍ରେଲିଆର ସ୍କୋରକୁ ବୃଦ୍ଧି କରିପାରି ନ ଥିଲେ। ଆଲେକ୍ସ କେରି ଅପରାଜିତ ୩୮ ରନ୍‌ ଓ ମିଚେଲ ଷ୍ଟାକର୍ସ ଅପରାଜିତ ୪ ରନ୍‌ କରିଥିଲେ। ଇଂଲଣ୍ଡର କ୍ରସ୍‌ ଓ୍ଵକସ୍‌ଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଜୋଫ୍ରା ଆର୍ଚ୍ଚର, ମାର୍କ ଉଡ୍‌, ବେନ୍‌ ଷ୍ଟୋକସ୍‌ ଓ ମୋଇନ୍‌ ଅଲିଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର