ବିଶ୍ୱକପ୍‌: ପାଣିରେ ପଡ଼ିଲା ରୋହିତ ଶର୍ମାଙ୍କ ଶତକ, ଭାରତ ବିପକ୍ଷରେ ଇଂଲଣ୍ଡ ୩୧ ରନ୍‌ରେ ବିଜୟୀ

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ରବିବାର ଇଂଲଣ୍ଡ ଠାରୁ ଭାରତ ୩୧ ରନ୍‌ରେ ପରାସ୍ତ ହୋଇଛି। ଚଳିତ ବିଶ୍ୱକପରେ ଏହା ହେଉଛି ଭାରତର ପ୍ରଥମ ପରାଜୟ। ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୦୬ ରନ୍‌ କରିଛି। ଏହି ବିଜୟ ସହ ଇଂଲଣ୍ଡର ସେମିଫାଇନାଲ ମ୍ୟାଚ୍‌ ଖେଳିବାର ଆଶା ବଢ଼ିଛି।

ଦ୍ୱିତୀୟ ଇନିଂସରେ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ଇନିଂସ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଥିଲା। ଟିମ୍‌ ୮ ରନ୍‌ରେ ଲୋକେଶ ରାହୁଲ (୦ରନ୍‌)ଙ୍କୁ ହରାଇଥିଲା। କ୍ରିସ୍‌ ଓ୍ଵକସ୍‌ଙ୍କ ବଲରେ ରାହୁଲ ଆଉଟ ହୋଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୩୩୭ ରନ୍‌ କରିଥିଲା। ଅଧିନାୟକ ବିରାଟ କୋହଲି (୬୬ ରନ୍‌, ୭୬ ବଲ, ୭ ଚୌକା) ୨ୟ ଓ୍ଵିକେଟରେ ରୋହିତ ଶର୍ମାଙ୍କ ସହିତ ଶତକୀୟ ଭାଗିଦାରୀ (୧୩୮ ରନ୍‌) ହୋଇପାରିଥିଲେ। ଲିଆମ ପ୍ଲଙ୍କେତଙ୍କ ବଲ ଜେମସ୍‌ ଭିନସ୍‌ଙ୍କୁ କ୍ୟାଚ୍‌ ଦେଇ କୋହଲି ଆଉଟ୍‌ ହୋଇଥିଲେ।

Hindustan Times

ଓପନର ରୋହିତ ଶର୍ମା ଶତକ ହାସଲ କରିଥିଲେ। ସେ ୧୦୯ଟି ବଲ ଖେଳି ୧୫ଟି ଚୌକା ସହାୟତାରେ ୧୦୨ ରନ୍‌ କରିଥିଲେ। କ୍ରିସ୍‌ ଓ୍ଵକସ୍‌ଙ୍କ ବଲ ଜୋସ୍‌ ବଟଲରଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ଭାରତ ୧୯୮ ରନ୍‌ରେ ୩ୟ ଓ୍ଵିକେଟ୍‌ ଭାବେ ରୋହିତଙ୍କୁ ହରାଇଥିଲା। ଇଂଲଣ୍ଡର ୪ର୍ଥ ଶିକାର ହୋଇଥିଲେ ଋଷଭ ପନ୍ତ। ପନ୍ତ (୩୨ ରନ୍‌, ୨୯ ବଲ, ୪ ଚୌକା) ଛକା ମାରିବାକୁ ଉଦ୍ୟମ କରି ଲିଆମ ପ୍ଲୁଙ୍କେତଙ୍କ ବଲ କ୍ରିସ୍‌ ଓ୍ଵକସ୍‌ଙ୍କୁ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୩ଟି ବଲ ଖେଳି ୪୫ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୪୨ ରନ ଓ କେଦାର ଯାଦବ ଅପରାଜିତ ୧୨ ରନ୍‌ କରିଥିଲେ।

ବର୍ମିଂହାମ୍‌ର ଆଜବେଷ୍ଟନ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୩୩୭ ରନ୍‌ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୫ଟି ଓ୍ଵିକେଟ୍‌ ନେଇଥିଲେ। ସେ ୧୦ ଓଭର ବୋଲିଂ କରି ୬୯ ରନ୍‌ ଦେଇଥିଲେ। କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ରନ୍‌ ପାଇଁ ଭୋକିଲା ଥିବା ଇଂଲଣ୍ଡର ଓପନର ଜନି ବେୟାରଷ୍ଟୋ (୧୧୧ ରନ୍‌, ୧୦୯ ବଲ, ୧୦ ଚୌକା, ୬ଛକା) ୯୦ଟି ବଲ ଖେଳି ଶତକ ହାସଲ କରିଥିଲେ। ସେ ମହମ୍ମଦ ସାମିଙ୍କ ବଲ ଋଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ଟିମ୍‌ର ଅନ୍ୟତମ ଓପନର ଜସନ ରାୟ ଆଉଟ୍‌ ହେବା ପୂର୍ବରୁ ୬୬ ରନ୍‌ କରିଛନ୍ତି। ସେ ୫୭ଟି ବଲ ଖେଳି ସେ ୭ ଟି ଚୌକା ଓ ୨ଟି ଛକା ମାରିଛନ୍ତି। କୁଲଦୀପ ଯାଦବଙ୍କ ବଲରେ ଜସନ ରୟ ଆଉଟ୍‌ ହୋଇଥିଲେ। ଅଧିନାୟକ ଇଅନ ମୋର୍ଗାନ (୧ ରନ୍‌)ଙ୍କୁ କେଦାର ଯାଦବଙ୍କ ହାତରେ ସାମି କ୍ୟାଚ୍‌ କରାଇଥିଲେ। ଇଂଲଣ୍ଡ ୧୬୦ ରନ୍‌ରେ ଜସନ ରଏ, ୨୦୫ ରନ୍‌ରେ ବେୟାରଷ୍ଟୋ ଓ ୨୦୭ ରନ୍‌ରେ ମୋର୍ଗାନଙ୍କୁ ହରାଇଥିଲା। ସ୍କୋର ୨୭୭ ରନ୍‌ରେ ୪ର୍ଥ, ୩୧୦ ରନ୍‌ରେ ୫ମ, ୩୧୯ ରନ୍‌ରେ ୬ଷ୍ଠ ଓ ୩୩୬ ରନ୍‌ରେ ୭ମ ଓ୍ଵିକେଟ୍‌ର ବିପର୍ଯ୍ୟୟ ଘଟିଥିଲା।

ଜୋଏ ରୁଟ (୪୪ ରନ୍‌)ଙ୍କୁ ସାମି ପାଭଲିଅନ ପଠାଇଥିଲେ। ସ୍କୋର ୨୭୭ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। କ୍ରିକସ୍‌ ଓ୍ଵକସ୍‌ ୫ଟି ବଲ ଖେଳି ୭ ରନ କରିଥିଲେ। ସେ ସାମିଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ଏହା ପୂର୍ବରୁ ଜୋସ୍‌ ବଟଲର (୨୦ ରନ୍‌) ମଧ୍ୟ ସାମିଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଯଶପ୍ରୀତ ବୁମରା ନିଜ କୋଟାର ଶେଷ ଓଭରରେ ବେନ୍‌ ଷ୍ଟୋକସ୍‌ (୭୯ ରନ୍‌)ଙ୍କୁ ରବୀନ୍ଦ୍ର ଜାଦେଜାଙ୍କ ହାତରେ କ୍ୟାଚ୍‌ କରାଇ ଆରଉଟ କରିଛନ୍ତି।

ସମ୍ବନ୍ଧିତ ଖବର