ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱକପ ଫାଇନାଲରେ ଇଂଲଣ୍ଡ, ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ସହ କରିବ ମୁକାବିଲା

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ର ୨ୟ ସେମିଫାଇନାଲରେ ଗୁରୁବାର ଅଷ୍ଟ୍ରେଲିଆକୁ ୮ଟି ଓ୍ଵିକେଟ୍‌ରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଂଚିଛି। ଫାଇନାଲରେ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡକୁ ଜୁଲାଇ ୧୪ରେ ମୁକାବିଲା କରିବ। ଏହି ମ୍ୟାଚ୍‌ ଲଣ୍ଡନର ଲଡର୍ସରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଖେଳାଯିବ। ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ବୁଧବାର ଭାରତକୁ ୧୮ ରନ୍‌ରେ ପରାସ୍ତ କରିଥିଲା।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୨୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍‌ ୩୨.୧ ଓଭରରେ ୨୨୬ ରନ୍‌ କରିବା ସହିତ ଏହି ଲକ୍ଷ୍ୟ ହାସଲ କରିଛି। ଓପନର ଜସନ ରୟ ଓ ଜନି ବେୟାରଷ୍ଟୋ (୩୪ ରନ୍‌, ୪୩ ବଲ, ୫ ଚୌକା) ସ୍ଥିତ ବୁଦ୍ଧି ବିନିଯୋଗ କରି ପ୍ରଥମ ଓ୍ଵିକେଟ୍‌ ପାଇଁ ୧୨୪ ରନ୍‌ କରିଥିଲେ। ଅଷ୍ଟ୍ରେଲିଆକୁ ପ୍ରଥମ ଓ୍ଵିକେଟ ଦେଇଥିଲେ ମିଚେଲ ଷ୍ଟାର୍କସ। ସେ ଏଲବିଡବ୍ଲୁ କରି ବେୟାଷ୍ଟୋଙ୍କୁ ପାଭଲିଅନ୍‌ ପଠାଇଥିଲେ। ସ୍କୋର ୧୪୭ ରନ୍‌ରେ ପେଟ୍‌ କମିଂନସ୍‌ଙ୍କ ବଲ ଆଲେକ୍ସ କେରିଙ୍କୁ କ୍ୟାଚ୍‌ ଦେଇ ରୟ ଆଉଟ୍‌ ହୋଇଥିଲେ। ଏହା ପୂର୍ବରୁ ସେ ୬୫ଟି ବଲ ଖେଳି ୮୫ ରନ୍‌ କରିଥିଲେ। ଏଥିରେ ୯ଟି ଚୌକା ଓ ୫ଟି ଛକା ସାମିଲ ଥିଲା।

ଜୋଏ ରୁଟ ଅପରାଜିତ ୪୯ ରନ୍‌ କରିଥିଲେ। ଏଥିରେ ୮ଟି ଚୌକା ସାମିଲ ଥିଲା। ସେହିଭଳି ଇଅନ ମୋର୍ଗାନ ଅପରାଜିତ ୪୫ ରନ୍‌ କରିଥିଲେ। ସେ ୩୯ଟି ବଲ ଖେଳି ୮ଟି ଚୌକା ମାରିଥିଲେ।

ପ୍ରଥମ ଇନିଂସରେ ପୂରା ଅଷ୍ଟ୍ରେଲିଆର ପୂରା ଟିମ୍‌ ୪୯ ଓଭରରେ ଅଲଆଉଟ୍‌ ହୋଇ ୨୨୩ ରନ୍‌ କରିଥିଲା। ବର୍ମିଂହାମ୍‌ର ଏଜବେଷ୍ଟନ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ କଙ୍ଗାଳୁ ଟିମ୍‌ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍‌ ୧୪ ରନ୍‌ ବେଳକୁ ୩ଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ ହରାଇ ସାରିଥିଲା।

ବିସ୍ଫୋରକ ଓପନର ଡେଭିଡ ଓ୍ଵାର୍ଣ୍ଣର (୯ ରନ୍‌) ଓ ଆରୋନ ଫିଞ୍ଚ ଶସ୍ତାରେ ଆଉଟ୍‌ ହୋଇଥିଲେ। ପେଟର ହ୍ୟାଣ୍ଡସ୍କମ (୪ ରନ୍‌) ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଷ୍ଟିଭେନ୍‌ ସ୍ମିଥ (୮୫ ରନ୍‌) ୩ ନମ୍ବରରେ ଆସି ୧୧୯ଟି ବଲ ଖେଳିଥିଲେ। ଏଥିରୁ ସେ ୬ଟି ଚୌକା ମାରିଥିଲେ। ଜୋସ୍‌ ବଟଲରଙ୍କ ଡାଇରେକ୍ଟ ଥ୍ରୋରେ ସ୍ମିଥ ଆଉଟ୍‌ ହୋଇଥିଲେ। ଆଲେକ୍ସ କେରି ୪୬ ରନ୍‌, ମିଚେଲ ଷ୍ଟାର୍କସ ୨୯ ରନ୍‌ ଓ ଗ୍ଲେନ ମେକ୍ସେଓ୍ଵଲ ୨୨ ରନ୍‌ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ସ୍ମିଥ ଓ ଆଲେକ୍ସ କେରି ୪ର୍ଥ ଓ୍ଵିକେଟ ପାଇଁ ୧୦୩ ରନ୍‌ ସର୍ବାଧିକ ଭାଗିଦାରୀ ହୋଇପାରିଥିଲେ। ସ୍କୋର ୧୧୮ ରନ୍‌ରେ ମାର୍କସ ଷ୍ଟୋଇନିସ ଆଉଟ୍‌ ହୋଇଥିଲେ। ସ୍ମିଥଙ୍କୁ ୮୫ ରନ୍‌ କରିବା ୪୬ ଓଭର ଯାଏଁ ପଡ଼ିଆରେ ରହିବାକୁ ପଡ଼ିଥିଲା। ଇଂଲଣ୍ଡ ତରଫରୁ କ୍ରିସ୍‌ ଓ୍ଵକସ୍‌ ଓ ଆଦିଲ ରସିଦଙ୍କୁ ୩-୩ ଓ୍ଵିକେଟ ମିଳିଥିବା ବେଳେ ଜୋଫ୍ରା ଆର୍ଚ୍ଚର ୨ଟି ଓ୍ଵିକେଟ୍‌ ନେଇଥିଲେ। ମାର୍କ ଉଡଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର