ବିଶ୍ୱକପ୍‌: ପଏଣ୍ଟ ଟେବୁଲ୍‌ରେ ମଜବୁତ ସ୍ଥିତିରେ ଟିମ୍‌ ଇଣ୍ଡିଆ, ସେମିଫାଇନାଲ ଆଡକୁ ହେଉଛି ଅଗ୍ରସର

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ ୨୦୧୯ର ୨୩ଟି ମ୍ୟାଚ୍‌ ଶେଷ ହୋଇଛି। ଏଯାଏଁ ଶେଷ ହୋଇଥିବା ମ୍ୟାଚ୍‌ ଗୁଡ଼ିକକୁ ନେଇ ଆଗାମୀ ଦିନରେ ଖେଳ କେଉଁ ଦିଗରେ ବଢ଼ିବାକୁ ଯାଉଛି, ତାହା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ପାକିସ୍ତାନ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକାର ଚାପରେ ରହିଛି। ଏହି ଟିମ୍‌ ଗୁଡ଼ିକ ପାଇଁ କର ବା ମର ସ୍ଥିତି ପହଂଚିଛି। ଅନ୍ୟପକ୍ଷରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଆଡକୁ ଅଗ୍ରସର ହେଉଛି। ଏହି ୪ଟି ଟିମ୍‌ ମଧ୍ୟରୁ ଭାରତର ସ୍ଥିତି ଅଧିକ ମଜବୁତ ଅଛି।

ଚଳିତ ବିଶ୍ୱକପ୍‌ରେ ମୋଟ୍‌ ୪୮ଟି ମ୍ୟାଚ୍‌ ଖେଳାଯିବ। ଏଥିରୁ ଜୁନ୍‌ ୧୭ ଯାଏଁ ୨୩ଟି ମ୍ୟାଚ୍‌ ଶେଷ ହୋଇଥିବା ବେଳେ ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ ଆୟୋଜକ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମଙ୍ଗଳବାର ଖେଳ ଜାରି ରହିଛି। ପଏଣ୍ଟ ଟେବୁଲ କଥା ଯଦି ଆଲୋଚନା କରିବା, ଅଷ୍ଟ୍ରେଲିଆ (୮) ପ୍ରଥମ ସ୍ଥାନରେ ରହିଛି। ଭାରତ (୭) ଓ ନ୍ୟୁଜିଲାଣ୍ଡ (୭) ସମାନ ପଏଣ୍ଟ ପାଇଥିଲେ ବି ନ୍ୟୁଜିଲାଣ୍ଡ ରନ୍‌ହାର ଭଲ ଥିବାରୁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ପହଂଚିଛି। ଏହା ପରେ ବାଂଲାଦେଶ (୫ ପଏଣ୍ଟ) ଓ ଶ୍ରୀଲଙ୍କା (୪ପଏଣ୍ଟ)।

ବର୍ତ୍ତମାନ ସ୍ଥିତି ଯାହା କହୁଛି, ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଆଗରେ ଅଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍‌ ହାରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ହେଲେ ମ୍ୟାଚ୍‌ ହାରି ନାହିଁ। ଭାରତ ପାକିସ୍ତାନ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଆଗାମୀ ଦିନରେ ଭାରତ ଆହୁରି ୫ଟି ମ୍ୟାଚ୍‌ ଖେଳିବ। ଏଥିରୁ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡକୁ ମୁକାବିଲା କରିବାର ଅଛି। ବାକି ୩ଟି ମ୍ୟାଚ୍‌ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ଭେଟିବ। ଇଂଲଣ୍ଡକୁ ବାଦ୍‌ ଦେଲେ ଅନ୍ୟ ଟିମ୍‌ ଗୁଡ଼ିକୁ ଭାରତ ସହଜରେ ପରାସ୍ତ କରିବାର କ୍ଷମତା ରଖିଛି।

କାଗଜ ପତ୍ରରେ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ଅଛି। ମାତ୍ର କୁହାଯାଇ ପାରିବ ନାହିଁ ଯେ, ନ୍ୟୁଜିଲାଣ୍ଡର ରାସ୍ତା ଭାରତ ତୁଳନାରେ ଭଲ ଅଛି। କାରଣ ନ୍ୟୁଜିଲାଣ୍ଡ ନିଜର ବଶ୍ୱକପ୍‌ ମ୍ୟାଚରେ ଏଯାଏଁ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ପରାସ୍ତ କରିଛି କିନ୍ତୁ ଆଗାମୀ ଦିନରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜକୁ ଭେଟିବ। ଏହି ୫ଟି ଟିମକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିବା ସେତେ ସହଜ ନୁହେଁ।

ସମ୍ବନ୍ଧିତ ଖବର