ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ଗୁରୁବାର ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ତାଙ୍କ ମା’ ସରୋଜା ଦେବୀ ଖୁସି ହୋଇଯାଇଛନ୍ତି। ଟୋକିଓ ବିଜେତା ନୀରଜଙ୍କୁ ପଛରେ ପକାଇ ଅଲିମ୍ପିକ୍ସ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମଙ୍କ ପାଇଁ ମଧ୍ୟ ସେ ଖୁସି ବ୍ୟକ୍ତ କରିଛନ୍ତି। ସରୋଜା କହିଛନ୍ତି ଯେ ‘‘ଆମେମାନେ ରୌପ୍ୟ ପଦକ ପାଇଁ ବହୁତ ଖୁସି, ଯିଏ ସ୍ବର୍ଣ୍ଣ ଜିତିଛି ସେ ଆମ ପୁଅ ଏବଂ ରୌପ୍ୟ ଯିଏ ଜିତିଛି ସେ ବି ଆମ ପୁଅ। ସମସ୍ତେ ଆଥ୍ଲେଟ୍ ଏବଂ କଷ୍ଟ କରିଛନ୍ତି। ସେ ପ୍ରକୃତରେ ଭଲ କରିଛି। ତାଙ୍କର ପ୍ରିୟ ଚୁରୁମା ଖୁଆଇ ନୀରଜକୁ ସ୍ବାଗତ କରିବି। ମୁଁ ବହୁତ ଖୁସି ଯେ ଲୋକ ବାଣ ପୁଟାଇ ଉତ୍ସବ ପାଳନ କରୁଛନ୍ତି ଏବଂ ଲଡୁ ବାଣ୍ଟୁଛି’’। ନୀରଜଙ୍କ ପିତା ସତୀଶ କୁମାର ପୁଅର ପ୍ରଦର୍ଶନ ନେଇ କହିଛନ୍ତି ଯେ ‘‘ସମସ୍ତଙ୍କର ସେମାନଙ୍କ ଦିନ ଥାଏ। ଆଜି ପାକିସ୍ତାନର ଦିନ। କିନ୍ତୁ ଆମେ ରୌପ୍ୟ ଜିତିଲୁ, ଏହା ଆମ ପାଇଁ ଗର୍ବର କଥା। ମୁଁ ଭାବୁଛି ତାଙ୍କ ଜଙ୍ଘ ଜନିତ ଆଘାତ ସମସ୍ୟା ତାଙ୍କ ପ୍ରଦର୍ଶନରେ ଫରକ ପକାଇଛି। ଦେଶ ପାଇଁ ରୌପ୍ୟ ଜିତିଥିବାରୁ ଆମେ ଖୁସି ଓ ଗର୍ବ ଅନୁଭବ କରୁଛୁ। ଯୁବ ସମାଜ ତାଙ୍କ ଦ୍ବାରା ନିଶ୍ଚିତ ଅନୁପ୍ରାଣିତ ହେବେ’’।
ପ୍ୟାରିସ୍: ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ଅସ୍ତ୍ରୋପଚାର ହେବ। ଗତ କିଛି ମାସ ଧରି ନୀରଜଙ୍କ ଅସ୍ତ୍ରୋପଚାର ଉପରେ ବିଚାର କରାଯାଇଥିଲେ ମଧ୍ୟ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏଥିରେ ବିଳମ୍ବ ହେଉଥିଲା। ଏବେ ଅଲିମ୍ପିକ୍ସ ଶେଷ ହେବାକୁ ଯାଉଥିବାରୁ ନୀରଜଙ୍କ ଅସ୍ତ୍ରୋପଚାର ମଧ୍ୟ ଖୁବ୍ ଶୀଘ୍ର ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ତିନି ଜଣ ନାମୀ ଡାକ୍ତରଙ୍କୁ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ପୂର୍ବରୁ ୨୦୨୨ ବିଶ୍ବ ଚାମ୍ପିଅନ୍ସିପ୍ରେ ନୀରଜଙ୍କ ଜଙ୍ଘରେ ଆଘାତ ଲାଗିଥିବା ନୀରଜ କହିଥିଲେ। ସେବେଠାରୁ ତାଙ୍କ ଜଙ୍ଘରେ କିଛି ନା କିଛି ସମସ୍ୟା ରହିଆସୁଛି। ପ୍ୟାରିସ୍ ପୂର୍ବରୁ ଆଘାତକୁ ଅଧିକ ଗୁରୁତର ନକରିବା ପାଇଁ ସେ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ। ଏପରିକି ଜାଭଲିନ୍ ଫାଇନାଲ୍ ଶେଷ ହେବା ପରେ ନୀରଜଙ୍କ ବାପା ମଧ୍ୟ ଏହି ଆଘାତ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ନୀରଜ ମଧ୍ୟ ପଦକ ପାଇବା ପରେ ଆହତ ବିଷୟରେ ଜଣାଇଛନ୍ତି। ୨୦୨୨ରେ ମଧ୍ୟ ସେ ୮୯.୯୪ ମିଟର ପର୍ଯ୍ୟନ୍ତ ଜାଭଲିନ୍ ଫିଙ୍ଗିପାରିଥିଲେ। ତଥାପି ସମସ୍ୟା ଭିତରେ ଜାଭ୍ଲିନ୍ ଫିଙ୍ଗିବା ବେଳେ ୫୦ ପ୍ରତିଶତ ଧ୍ୟାନ ଆହତ ଉପରେ ଦେବାକୁ ପଡ଼ିଥିଲା। ସବୁବେଳେ ବୈଷୟିକ ଦିଗ ଉପରେ ଧ୍ୟାନ ଦେବାକୁ ପଡୁଥିଲେ ବି ଆହତ ସହିତ ପ୍ରତିଦ୍ବନ୍ଦ୍ବିତା କରିବା କଷ୍ଟକର ଥିଲା ବୋଲି ନୀରଜ କହିଥିଲେ। ନୀରଜଙ୍କ ଜଙ୍ଘରେ ଯନ୍ତ୍ରଣା ହେଉଥିବାରୁ ଏବେ ସେ ହାର୍ନିଆରେ ଆକ୍ରାନ୍ତ ହେଲେଣି। ସର୍ଜରି କରିବା ପାଇଁ ଗତବର୍ଷଠୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଅଲିମ୍ପିକ୍ସ ପାଇଁ ସେ ଏହାକୁ ଏଡ଼ାଇ ଚାଲିଥିବା ପ୍ରତିକ୍ରିୟାରେ କହିଛନ୍ତି।
ବଦଳିବେ ନୀରଜଙ୍କ ପ୍ରଶିକ୍ଷକ
ଅଲିମ୍ପିକ୍ସ ଇତିହାସରେ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ପ୍ରଶିକ୍ଷକ କ୍ଲସ୍ ବାର୍ତୋନିଜ୍ ଆଉ ଏହି ଦାୟିତ୍ବରେ ରହିବେନି। ପ୍ୟାରିସ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ବେଳେ ଏବେ ତାଙ୍କ ଅବଧି ଶେଷ ହୋଇଛି। ୨୦୧୯ରେ ନୀରଜଙ୍କ ସହାୟକମାନଙ୍କ ସହିତ ଯୋଡ଼ି ହୋଇଥିବା ବାର୍ତୋନିଜ୍ଙ୍କ ପ୍ରାଥମିକ ଚୁକ୍ତି ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଥିଲା। କିନ୍ତୁ ତାଙ୍କ ପ୍ରଶିକ୍ଷଣରେ ନୀରଜ ଦିନକୁ ଦିନ ଉଚ୍ଚସ୍ତରକୁ ଯାଉଥିଲା ବେଳେ ଟୋକିଓରେ ପ୍ରଥମ ଭାରତୀୟ ଦୌଡ଼କୁଦ କ୍ରୀଡ଼ାବିତ୍ ଭାବେ ସ୍ବର୍ଣ୍ଣ ପଦକ ଜିତିବାରୁ ତାଙ୍କ ଚୁକ୍ତି ଅବଧିକୁ ପ୍ୟାରିସ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।