ଭୁବନେଶ୍ୱର: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଓଡ଼ିଶା ମହିଳା ହକି ଦଳ ସ୍ବର୍ଣ୍ଣ ଜିତିଥିଲା ବେଳେ ପୁରୁଷ ଦଳ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା। ପୁରୁଷ ଫୁଟ୍ବଲ୍ ଦଳ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲା। ଏହି ସଫଳତା ଲାଗି ଗୁରୁବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ହକି ଓ ଫୁଟ୍ବଲ୍ ଖେଳାଳିମାନଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ‘‘ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା-୨୦୨୫ରେ ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ଆମ କ୍ରୀଡ଼ାବିତ୍ମାନେ ଜାତୀୟସ୍ତରରେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି। ଏମାନେ ହେଲେ ଆମ ଗର୍ବ ଓ ଗୌରବ। ଆଗକୁ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏମାନଙ୍କ ବିଜୟର ଯାତ୍ରା ଜାରି ରହୁ। ଏଥିସହ ମହିଳା ହକି ଦଳର ସ୍ୱର୍ଣ୍ଣିମ ବିଜୟ ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଉଛି। ଦେଶକୁ ଶାସନ କରିବା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ଦେଶ ପାଇଁ ଲଢ଼ିବା ପର୍ଯ୍ୟନ୍ତ ମହିଳାମାନେ ସବୁଠି ନେତୃତ୍ୱ ନେଇଛନ୍ତି। ମହିଳା ହକି ଦଳର ଏ ସ୍ବର୍ଣ୍ଣ ପଦକ ଓଡ଼ିଶାର ସମସ୍ତ ମହିଳା କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିଛି ଏବଂ କ୍ରୀଡ଼ାକ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ମଧ୍ୟ ଯୋଗାଇଛି। ମହିଳା ହକି ଦଳର ସମସ୍ତ ଖେଳାଳିଙ୍କର କଠିନ ପରିଶ୍ରମର ଫଳ ହେଉଛି ଏହି ସ୍ବର୍ଣ୍ଣ ପଦକ। ଆମ ରାଜ୍ୟରେ ତୃଣମୂଳ ସ୍ତରରେ ସୁଦୃଢ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଓ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ଆମ ସରକାର ତରଫରୁ ବିଭିନ୍ନ କାର୍ଯ୍ୟ କରାଯାଉଛି। ଆଗାମୀ ଦିନରେ କ୍ରୀଡ଼ାର ସମଗ୍ର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପ୍ରଦାନ କରାଯିବ’’। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶା ସପ୍ତଦଶ ସ୍ଥାନରେ ସୀମିତ
ଭୁବନେଶ୍ବର: ବିହାରରେ ଆୟୋଜିତ ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଗୁରୁବାର ଉଦ୍ଯାପିତ ହୋଇଛି। ଏଥିରେ ଓଡ଼ିଶା ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୪ ପଦକ ପାଇ ତାଲିକାରେ ସପ୍ତଦଶ ସ୍ଥାନରେ ଅଭିଯାନ ଶେଷ କରିଛି। ମହାରାଷ୍ଟ୍ର ୫୮ ସ୍ବର୍ଣ୍ଣ, ୪୭ ରୌପ୍ୟ ଓ ୫୩ କାଂସ୍ୟ ସହ ୧୫୮ ପଦକ ପାଇ ଶୀର୍ଷରେ ରହିଛି। ହରିୟାଣା (୩୯ ସ୍ବର୍ଣ୍ଣ, ୨୭ ରୌପ୍ୟ, ୫୧ କାଂସ୍ୟ) ୧୧୭ ଦ୍ବିତୀୟ ଏବଂ ରାଜସ୍ଥାନ (୨୪ ସ୍ବର୍ଣ୍ଣ, ୧୨ ରୌପ୍ୟ, ୨୪ କାଂସ୍ୟ) ୬୦ ପଦକ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୮୦ (୭୯ ମହିଳା, ୧୦୧ ପୁରୁଷ) ଜଣ ଖେଳାଳି ଭାଗ ନେଇଥିଲେ। ମହିଳା ହକି ଓ ଖୋ ଖୋ ଦଳ, ସଟ୍ପୁଟର ଓମ୍କାର ନନ୍ଦ, ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁ, ଜ୍ୟୋତ୍ସ୍ନା ଶବର ସ୍ବର୍ଣ୍ଣ ଜିତିଥଲା ବେଳେ ପୁରୁଷ ଫୁଟ୍ବଲ୍, ଖୋ ଖୋ ଏବଂ ରଗ୍ବୀର ଉଭୟ ଦଳ, ଭାରୋତ୍ତୋଳିକା ଟିକି ମୋହିନୀ ମଲ୍ଲିକ, ମୀନା ସାନ୍ତା ରୌପ୍ୟ ପାଇଥିଲେ। ଜିମ୍ନାଷ୍ଟ୍ ଆଜାଦ୍ ଲସ୍କର, ଆଥଲେଟ୍ ଏଲ୍ ସ୍ନିଗ୍ଧା ଓ ପାର୍ବତୀ ହାଁସଦା କାଂସ୍ୟ ପଦକ ଜିତିଥିଲେ।