ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌କୁ ଆଉ‌ ମାସେରୁ କମ୍‌ ସମୟ ଥିବା ବେଳେ ପ୍ରତ୍ୟେକ ଦଳ ସେମାନଙ୍କ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। କିନ୍ତୁ ଭାରତୀୟ ଦଳର ପ୍ରଦର୍ଶନ ଏବେବି ସନ୍ତୋଷଜନକ ହୋଇପାରିନାହିଁ। ଭାରତୀୟମାନେ ଚାପକୁ ଠିକ୍‌ ଭାବେ ପରିଚାଳନା କରିବାରେ ଅସମର୍ଥ ହେଉଛନ୍ତି। ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଏହା ଉପରେ ଉଦ୍‌ବେଗ ପ୍ରକାଶ କରିବା ସହ ଭାରତୀୟ ଖେଳାଳିମାନେ ବିଶ୍ବକପ୍‌ରେ ଚାପରେ ରହିବେ ବୋଲି କହିଛନ୍ତି। ତେଣୁ ଏଥିରୁ ମୁକୁଳିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଅଛି କି? ଚାପକୁ ବ୍ୟବହାର କରି ଗେମ୍‌ ଚେଞ୍ଜର ହୋଇପାରିବା କି ? ବୋଲି ୨୦୧୧ ବିଶ୍ବକପ୍‌ ବିଜୟୀ ଦଳର ଶ୍ରେଷ୍ଠ ଖେଳାଳି ଯୁବରାଜ ପ୍ରଶ୍ନ କରିଛନ୍ତି।

Advertisment

ଏହା ଉପରେ ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହବାଗ୍‌ ଭିନ୍ନ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ମତରେ, ‘ଚାପ କଥା ଯେତେବେଳେ ଉଠୁଛି, ତାହେଲେ ଏଥର ଆମେ ଚାପ ନେବା ନାହିଁ ବରଂ ଜଣେ ବିଜେତା ଭଳି ଖେଳି ପ୍ରତିପକ୍ଷକୁ ଚାପ ଦେବା। ଗତ ୧୨ ବର୍ଷ ମଧ୍ୟରେ ଆୟୋଜକ ଦଳ ବିଶ୍ବକପ୍‌ ଜିତି ଆସୁଛି। ୨୦୧୧ରେ ଆମେ ଜିତିଥିଲୁ, ୨୦୧୫ରେ ଅଷ୍ଟ୍ରେଲିଆ ଓ ୨୦୧୯ରେ ଇଂଲଣ୍ଡ ନିଜ ଘରେ ଜିତିଥିଲା। ଏବେ ୨୦୨୩ରେ ଆମେ ତୋଫାନ୍‌ କରିବା’ ବୋଲି ସେହବାଗ୍‌ ପ୍ରତିକ୍ରିୟା ରଖିଥିଲେ। ସେହିପରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଭାରତୀୟ ଦଳ ଉପରେ ଆସ୍ଥା ପ୍ରକଟ କରିବା ସହ ଏଥର ଏକ ମଜବୁତ୍‌ ଦଳ ଗଠିତ ହୋଇଛି ଏବଂ ଟ୍ରଫି ଜିତିବାକୁ ବଡ଼ ସୁଯୋଗ ରହିଥିବା ‌କହିଛନ୍ତି।