ବୁମ୍‌ରାଙ୍କ ଅନୁପସ୍ଥିତିର ଭରଣା କରିପାରିଛୁ: ଭୁବନେଶ୍ବର

ସିଡ୍‌ନି : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆହତ ହେବା ଯଦିଓ ଦଳ ପାଇଁ ବଡ଼ କ୍ଷତି ହୋଇଛି, କିନ୍ତୁ ବର୍ତ୍ତମାନର ବୋଲିଂକ୍ରମ ତାଙ୍କ ଅନୁପସ୍ଥିତିକୁ ଭରଣା କରିବାରେ ସକ୍ଷମ ବୋଲି ଭୁବନେଶ୍ବର କୁମାର ଦୃଢୋକ୍ତି ପ୍ରକାଶ କରିଛନ୍ତି। ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ବିଜୟ ପାଇବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବୋଲିଂ ବିଷୟରେ ‌ଭୁବନେଶ୍ବର ଏହି ସୂଚନା ଦେଇଛନ୍ତି। ବିଶ୍ବକପ୍‌ର ଠିକ୍‌ ପୂର୍ବରୁ ବୁମ୍‌ରା ପିଠିରେ ଆଘାତ ଯୋଗୁଁ ବାଦ୍‌ ପଡ଼ିଥିଲେ ଏବଂ ଏହି ସମୟରେ ଭୁବନେଶ୍ବର ନିଜେ ମଧ୍ୟ ଖରାପ ପ୍ରଦର୍ଶନ ଦେଇ ଗତି କରୁଥିଲେ। ଯାହାଫଳରେ ଡେଥ୍‌ ଓଭରଗୁଡ଼ିକରେ ଭାରତ ସଂଘର୍ଷ କରୁଥିବା ଦେଖାଯାଉଥିଲା। କିନ୍ତୁ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ବର ଚମତ୍କାର ବୋଲିଂ କରି ପାକିସ୍ତାନକୁ ପଛକୁ ଠେଲି ଦେଇଥିଲେ।

ତେବେ ବୁମ୍‌ରା ଦଳରେ ନଥିଲେ ବି ବୋଲରମାନେ ଅଧିକ କିଛି କରିପାରିବେ ନାହିଁ ବୋଲି ଧାରଣାକୁ ଦୂର କରିପାରିଛି ଭାରତ। ସମସ୍ତେ ନିଜର ସାମର୍ଥ୍ୟ ଅନୁସାରେ ବୋଲିଂ କରିଆସୁଛନ୍ତି। ଏହାବଳରେ ପ୍ରଥମ ଦୁଇଟି ମ୍ୟା୍‌ଚରେ ବୋଲରମାନଙ୍କୁ ସଫଳତା ମିଳିଆସୁଥିବା ଭୁବନେଶ୍ବର କହିଛନ୍ତି। ଏସିଆ କପ୍‌ରେ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିବା ବିଷୟରେ ଭୁବନେଶ୍ବର କହିଛନ୍ତି ଯେ ଏତେ ବର୍ଷ ମଧ୍ୟରେ ଗୋଟିଏ ଥର ଖରାପ ସମୟ ଆସିଥିଲା ଏବଂ ଖରାପ ମଧ୍ୟ ହେଲା। ତାହାକୁ ସେଠାରେ ଶେଷ କରିଦେବା ଠିକ୍‌ ହେବ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ। ଡେଥ୍‌ ଓଭର ବୋଲିଂ ସଂପର୍କରେ ଗଣମାଧ୍ୟମ ଓ ଭାଷ୍ୟକାରମାନେ ଅନେକ କଥା କହିବେ। କିନ୍ତୁ ଗୋଟିଏ ଦଳ ଭାବେ ଆମେ ଆମର ଭଲ ଓ ଖରାପ ସମୟରୁ କିପରି ବାହାରିହେବ ଜାଣିଛୁ। ଟ୍ବେଣ୍ଟି-୨୦ ମ୍ୟାଚ୍‌ ବୋଲରମାନଙ୍କ ପାଇଁ ସବୁବେଳେ କଠିନ ସମୟ ରହିଥାଏ, ସେହିପରି ‌ଯଦି ପିଚ୍‌ ଖରାପ ଥାଏ ବ୍ୟାଟରମାନେ ମଧ୍ୟ ସଂଘର୍ଷ କରିଥା’ନ୍ତି। ଏସିଆ କପ୍‌ ଗୋଟିଏ ବଡ଼ ଇଭେଣ୍ଟ ହୋଇଥିବାରୁ ଲୋକମାନେ ଆମଠାରୁ ଅଧିକ କିଛି ଆଶା ରଖିଥା’ନ୍ତି। ତେଣୁ ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତା ସମୟରେ ସେ ନିଜକୁ ସାମାଜିକ ଗଣମାଧ୍ୟମଠୁ ଦୂରେଇ ରଖିଛନ୍ତି। କିଏ କିଛି କହିଲେ ବି ତାଙ୍କୁ ଫରକ ପଡ଼େନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳରେ କେହି ନିର୍ଦ୍ଧିଷ୍ଟ ଡେଥ୍‌ ଓଭର ବିଶେଷଜ୍ଞ ନାହାନ୍ତି। ପ୍ରତ୍ୟେକ ବୋଲର ଦକ୍ଷ ଏବଂ ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ବୋଲିଂ କରିବାକୁ ପଡ଼େ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର