ନୂଆଦିଲ୍ଲୀ: ଭାରତର ଅଲିମ୍ପିକ୍ସ ଅଂଶଗ୍ରହଣ ଓ ପ୍ରଥମ ପଦକ ବିଜୟକୁ ୧୨୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ମୋଟ ପଦକ ୨୮ରେ ସୀମିତ ରହିଛି। ହକିରୁ ସର୍ବାଧିକ ୧୧ ପଦକ ମିଳିଥିଲା ବେଳେ ଅନ୍ୟ ୧୭ଟି ବ୍ୟକ୍ତିଗତ ପଦକ। ବ୍ୟକ୍ତିଗତ ପଦକ ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ କେବଳ ବଂଧୁକଚାଳନାରୁ। ପ୍ରତି ଥର ପଦକ ଜିତିବା ଲାଗି ଭାରତୀୟ କ୍ରୀଡ଼ାବିତ୍‌ ସଂଘର୍ଷ କରୁଥିବା ବେଳେ ଦୌଡ଼କୁଦରେ ସ୍ବାଧୀନ ଭାରତ ଖାତା ଖୋଲିପାରିନାହିଁ। ଏହାକୁ ନେଇ ଦେଶର ମହାନ ଧାବିକା ପିଟି ଉଷା ଦୁଃଖ ପ୍ରକାଶ କରିଛନ୍ତି। ଦେଶରେ ବର୍ତମାନର ଦୌଡ଼କୁଦ ସ୍ଥିତିକୁ ନେଇ ଉଷା କହିଛନ୍ତି ଏହା ୫୦:୫୦ ସ୍ଥିତିରେ ରହିଛି। ଭାରତୀୟ ଦୌଡ଼କୁଦ ସଂଘ (ଏଏଫଆଇ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛନ୍ତି। ଖେଳାଳିମାନେ ବି କଠିନ ପରିଶ୍ରମ କରୁଛନ୍ତି।

Advertisment

୧୯୯୮ ମସିହା ପରଠାରୁ ବହୁ ବିଦେଶୀ ପ୍ରଶିକ୍ଷକ ବି କାମ କରିଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ବି ବ୍ୟୟ ହେଉଛି, କିନ୍ତୁ ଆମେ ଦୌଡ଼କୁଦରେ ପଦକଟିଏ ଜିତିବା ଦୂରର କଥା, ଏହାର ନିକଟତର ବି ହୋଇପାରୁନୁ। ସମ୍ଭବତଃ କିଛି ଅଭାବ ରହିଛି। ଖେଳାଳିଙ୍କୁ ମିଳିଥିବା ସୁବିଧା ସୁଯୋଗର କିଛି ଦୁରୁପଯୋଗ ହେଉଛି, କିମ୍ବା ଖେଳାଳିଙ୍କୁ ଏହ‌ା ବାସ୍ତବରେ ମିଳୁଛି କି ନା ଦେଖିବାର ଅଛି। ମୁଁ ଏ ବିଷୟରେ ଅଧିକ କିଛି ଜାଣିନାହିଁ। କିନ୍ତୁ ଆମେ ଆଶାବାଦୀ ଭାରତ ୨୦୨୪ କିମ୍ବା ୨୦୨୮ରେ ନିଶ୍ଚିତ ପଦକ ଜିତିବ। ଏବେ ମଧ୍ୟ ତୃଣମୂଳସ୍ତରରୁ ଠିକଣା ଭାବେ ପ୍ରତିଭା ଚିହ୍ନଟ ହେଉନାହିଁ। ବହୁ ରାଜନୀତି ବି ସମ୍ପୃକ୍ତ ରହୁଛି। ବ୍ୟବସ୍ଥିତ ତଥା ବୈଜ୍ଞାନିକ ପଦ୍ଧତିର ଖେଳାଳିଙ୍କୁ ତାଲିମ ଦିଆଯାଉନାହିଁ। ଠିକଣା ସମୟରେ ଖେଳାଳିଙ୍କ ଏକ୍ସପୋଜର ପ୍ରଦାନ କରାଯାଉନାହିଁ। କେବଳ ସୀମିତ କିଛି ଖେଳାଳି ଓ ପ୍ରଶିକ୍ଷକଙ୍କୁ ସ‌ୁଯୋଗ ମିଳୁଛି, ତା’ ପୁଣି କେବଳ ବରିଷ୍ଠ ବର୍ଗରେ। ପରିବର୍ତନର ଆବଶ୍ୟକତା ରହିଛି, କିନ୍ତୁ କେଉଁଠାରୁ ଏହାର ଆରମ୍ଭ ହେବ ତାହା ବଡ଼ ପ୍ରଶ୍ନ। ନତୁବା କୋଟି କୋଟି ଟଙ୍କା ଖର୍ଚ ପାଣିରେ ପଡ଼ିଯିବ ବୋଲି ଉଷା ଏକ ଇଂରାଜୀ ଦୈନିକକୁ ଦେଇଥିବା ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଉଷା ୪ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ, ୭ ଏସୀୟ କ୍ରୀଡ଼ା ରୌପ୍ୟ, ୧୪ ଏସୀୟ ଦୌଡ଼କୁଦ ସ୍ବର୍ଣ୍ଣ ସହ ଅନ୍ତର୍ଜାତୀୟ ସ୍ତରରୁ ଶତାଧିକ ପଦକ ଜିତିଥିଲେ। ଜାତୀୟ ସ୍ତରରେ ତ ଏହା ଅଗଣିତ ରହିଥିଲା। ୧୯୮୩ରେ ଅର୍ଜୁନ ଏବଂ ୧୯୮୫ରେ ପଦ୍ମଶ୍ରୀ ସମ୍ମାନ ବି ପାଇଥିଲେ। ୧୯୮୪ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପ୍ରଥମ ମହିଳା ଭାରତୀୟ ଆଥଲେଟ୍‌ ଭାବେ ଭାଗ ନେଇଥିବା ପିଟି ଉଷା ୪୦୦ ମିଟର୍ ବାଧାଦୌଡ଼ରେ ଏକ ସେକେଣ୍ଡ୍‌ର ଶତାଂଶରୁ କମ୍ ସମୟ ପାଇଁ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ସେଠାରେ ଦେଇଥିବା ସମୟ (୫୫.୪୨ ସେକେଣ୍ଡ୍‌) ଏବେ ବି ଜାତୀୟ କୀର୍ତ୍ତିମାନ ହୋଇରହିଛି। ଭାରତ ପାଇଁ ଦୌଡ଼କୁଦରୁ ପଦକ ଜିତିଥିବା ଏକମାତ୍ର ବ୍ୟକ୍ତି ଜଣଙ୍କ ହେଲେ ନର୍ମାନ ପ୍ରିଚାର୍ଡ (୨ ରୌପ୍ୟ, ୧୯୦୦ ପ୍ୟାରିସ୍‌ ଅଲିମ୍ପିକ୍ସ)।